ଯୁକ୍ତ୨ ପରୀକ୍ଷା ବାତିଲ୍‌ : କେମିତି ହେବ ବିକଳ୍ପ ମୂଲ୍ୟାୟନ ? ୧୫ ଦିନରେ ନିର୍ଦ୍ଧାରଣ ‌ହେବ ମାପଦଣ୍ଡ

203

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷା ବାତିଲ୍‌ ହୋଇଛି। ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ହରଡ଼ଘଣାରେ। କେଉଁ ଆଧାରରେ ପିଲାଙ୍କ ମୂଲ୍ୟାୟନ କରାଯିବ, ବାଟ ପାଉନି ପରିଷଦ। ଯୁକ୍ତ୨ ପ୍ରଥମ ବର୍ଷରେ କେତେକ କଲେଜ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଇଥିଲେ। ତେବେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ୍‌ କରି ସମସ୍ତ ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦେବାରୁ ବାକି କଲେଜ ପରୀକ୍ଷା କରାଇ ନଥିଲେ। ତେଣୁ ଦୁଇ ବର୍ଷ ମଧ୍ୟରେ ଗୋଟିଏ ବି ପରୀକ୍ଷାର ମାର୍କ ପରିଷଦ କିମ୍ବା ସମସ୍ତ କଲେଜ ପାଖରେ ନ ଥିବାରୁ ଚିନ୍ତା ବଢ଼ିଯାଇଛି।

ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୫ଦିନ ମଧ୍ୟରେ ନିର୍ଦ୍ଧାରିତ ମାନଦଣ୍ଡ ପ୍ରସ୍ତୁତ କରିବାକୁ ପରିଷଦକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ବିଶେଷଜ୍ଞ କମିଟି ଗଠନ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପରିଷଦର ପୂର୍ବତନ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ନେଇ ଆସନ୍ତା ୩ ଦିନ ମଧ୍ୟରେ ଏକ କମିଟି ଗଠନ ହେବ। କମିଟିର ସଦସ୍ୟମାନଙ୍କୁ ନେଇ ଆସନ୍ତା ୧୫ଦିନ ମଧ୍ୟରେ ବିକଳ୍ପ ବାଟ ବାହାର କରାଯିବ। ତେବେ ଏହି ବାଟ କ’ଣ ହେବ, ତାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, କଲେଜ କର୍ତୃପକ୍ଷ ଉତ୍ସୁକତାର ସହ ଚାହିଁ ରହିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ପ୍ରଫେସର୍‌ ବାସୁ‌ଦେବ ଛାଟୋଇ କହିଛନ୍ତି ଯେ ବିକଳ୍ପ ମୂଲ୍ୟାୟନର ଏକମାତ୍ର ବାଟ ହେଲା ମାଟ୍ରିକ୍‌ ମାର୍କ ଆଧାର। ପିଲାଟି ମାଟ୍ରିକ୍‌ରେ ସର୍ବାଧିକ ନମ୍ବର ରଖିଥିବା ଦୁଇଟି କିମ୍ବା ୩ଟି ବିଷୟର ମାର୍କକୁ ନେଇ ମୂଲ୍ୟାୟନ କରାଯାଇପାରେ। ନଚେତ୍‌ ପରିଷଦ ନିକଟରେ ଆଉ କୌଣସି ବିକଳ୍ପ ଥିବା ପରି ମନେହେଉନି।

ବିଜେବି ଜୁନିଅର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ବିଷ୍ଣୁ ଚରଣ ଦାଶ କହିଛନ୍ତି, ‘ କରୋନା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ବିକଳ୍ପ ମୂଲ୍ୟାୟନ ଲାଗି ପରିଷଦ ପାଖରେ କୌଣସି ଦସ୍ତାବିଜ୍‌ ନାହିଁ। ମୋ ମତରେ କରୋନାର ନିମ୍ନଗତି ଆରମ୍ଭ ହୋଇଛି। ତେଣୁ ମାସେ କିମ୍ବା ଦୁଇ ମାସ ବିଳମ୍ବିତ ହେଉ ପଛେ, ପରିଷଦ ପକ୍ଷରୁ ପିଲାଙ୍କ ପାଇଁ ଏକ ଅବଜେକ୍ଟିଭ୍‌ ପ୍ରଶ୍ନକୁ ନେଇ ପରୀକ୍ଷା କରାଯାଉ। ଦଶମ ଶ୍ରେଣୀ ମାର୍କ ଆଧାରରେ ଦ୍ବାଦଶ ମୂଲ୍ୟାୟନ କରିବା ଠିକ୍‌ ହେବନି।’

୬୬୨ ବର୍ଗ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ‘କପି-ପେଷ୍ଟ’। ସିବିଏସ୍‌ଇ ପାଖରେ ବିକଳ୍ପ ମାର୍କିଂ ରହିଛି। ହେଲେ ରାଜ୍ୟ ବୋର୍ଡ ପାଖରେ ସେମିତି କିଛି ବିକଳ୍ପ ନାହିଁ। ମାର୍କିଂର ଫର୍ମୁଲା କ’ଣ ରହିବ, ତାହା ଉପରେ ଆମେ ନଜର ରଖିଛୁ। ରାଜ୍ୟ ସରକାର ଯାହା ବି ନିଷ୍ପତ୍ତି ନିଅନ୍ତୁ ନା କାହିଁକି, ମେଧାବୀ ପିଲା ଯେପରି ପ୍ରଭାବିତ ନ ହୁଅନ୍ତି ତାହା ଦେଖିବା କଥା।

ଶିକ୍ଷାବିତ୍‌ ପବିତ୍ର ମହାଲାଙ୍କ ମତରେ ଏବେ କେବଳ ଗୋଟିଏ ମାତ୍ର ବିକଳ୍ପ ମାଟ୍ରିକ୍‌ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ। ତା’ ବ୍ୟତୀତ ଆଉ କିଛି ଉପାୟ ନାହିଁ। ଦଶମ ମାର୍କ ଆଧାରରେ ଦ୍ବାଦଶ ଶ୍ରେଣୀରେ ପିଲାଙ୍କୁ ମୂଲ୍ୟାୟନ କରିବା ଠିକ୍‌ ହେବନାହିଁ। କାରଣ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌, ଜେଇଇ ମେନ୍‌, ଜେଇଇ ଆଡଭାନ୍ସ ପରୀକ୍ଷାରେ ପିଲାମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଯାହା ବି ନିଷ୍ପତ୍ତି ନିଆଯାଉଛି ତାହା ସଠିକ୍‌ ହେବା ଆବଶ୍ୟକ।