କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଗଣାମଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରସାରଣ ହେଉଛି, ସରକାର ମଧ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ ଏବେ ବି ପଲିଥିନ୍ ତଳେ ବିତୁଛି ଫନି ବିପନ୍ନଙ୍କ ଜୀବନ । ଫନି ଯିବାର ପ୍ରାୟ ତିନି ବର୍ଷ ପରେ ବି ବିପନ୍ନଙ୍କୁ ଘରଟିଏ ମିଳିନାହିଁ । ତେଣୁ ପଲିଥିନ୍ ଟଙ୍ଗା ଘରେ ରହୁଛନ୍ତି ପିପିଲି ବସ୍ତି ଅଂଚଳର ଲୋକେ ।

Advertisment

ଝଡ଼ର ୩ ବର୍ଷ ପରେ ବି ପଲିଥିନ୍ ତଳେ ବିପନ୍ନ । ଭରିନି ଫନି କ୍ଷତ, ପୁଣି ବାତ୍ୟା କଥା ଶୁଣି ଭୟଭୀତ । ସମୁଦ୍ରରେ ଦାନା ବାନ୍ଧୁଥିବା ବାତ୍ୟା ସଂପର୍କୀତ ଖବର ଗଣମାଧ୍ୟମରୁ ଜଣି ଛାନିଆ ବସ୍ତି ବାସିନ୍ଦା । ଯଦି ବାତ୍ୟା ହୁଏ, ତେବେ କ’ଣ କରିବେ ପଲିଥିନ୍ ଢଙ୍କା ଘରେ ରହୁଥିବା ଲୋକେ? କେମିତି କରିବେ ଝଡ଼-ବର୍ଷାର ମୁକାବିଲା? ବାତ୍ୟା ହେଲେ କେଉଁଠି ମୁଣ୍ଡ ଗୁଂଜିବେ? ବାତ୍ୟା ଫନିର ୩ ବର୍ଷ ପରେ ବି ଅଂଟା ସଳଖି ପାରିନଥିବା ପୁରୀ ଜିଲ୍ଲା ପିପିଲିର ଏହି ବସ୍ତିବାସିନ୍ଦା ।

୩ ବର୍ଷ ତଳେ ବାତ୍ୟା ଫନିରେ ଘରଦ୍ୱାର ଭାଙ୍ଗି ଯାଇଛି । ପ୍ରାୟ ୪ଶହ ପରିବାର ଭଙ୍ଗା ଦଦରା ଘରେ ରହୁଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ପଲିଥିନ ଖଣ୍ଡିଏ ଲେଖାଏଁ ଦିଆଯାଇଛି । ଏଇ କଳା ପଲିଥିନ୍ ଦେଇ ପ୍ରଶାସନ ଦାୟିତ୍ୱ ସାରିଛି, ଆଉ ରାଜନେତାମାନେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ବର୍ଷ ସାରା ଏମିତି ଘରେ ରହୁଥିବା ବସ୍ତି ବାସିନ୍ଦା, ବାତ୍ୟା ଆସିଲେ ଆଶ୍ରୟସ୍ଥଳୀ ଖୋଜନ୍ତି ।