ଏଥର ନିସ୍ତାର ନାହିଁ, ସାବାଡ ହେବ ଚୀନ୍ । ସେନା ଲଢିବ ସୀମାରୁ, ଲୋକେ ଲଢିବେ ପ୍ରତି ଘରୁ । ଆରମ୍ଭ ହେଲା ୱାଙ୍ଗଚୁକଙ୍କ ବୁଲେଟ-ୱାଲେଟ ଅଭିଯାନ । ଦେଶବାସୀ ହାତ ମିଳାଇଲେ ମୁଣ୍ଡ ନୁଆଁଇବ ଚୀନ୍ ।

880

ଲଦାଖରେ ଚୀନର ଦାଦାଗିରି ପରେ ତାତି ଉଠିଛି ଭାରତ । ବାରମ୍ବାର ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ଚୀନକୁ ଚିତ୍ କରିବାକୁ ଭାରତୀୟ ମାନେ ଆରମ୍ଭ କରିଛନ୍ତି ବଡ ଅଭିଯାନ । ଯେଉଁ ଲଦାଖ ସୀମାରେ ଚୀନ୍ ଦାଦାଗିରି ଦେଖାଉଛି, ସେହି ଲଦାଖରୁ ଚୀନକୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ବୁଲେଟ-ୱାଲେଟ ଅଭିଯାନ । ଏଣିକି ଚୀନକୁ ସେନା ବୁଲେଟରେ ଓ ସାଧାରଣ ନାଗରିକ ୱାଲେଟରେ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି ସୋନମ ୱାଙ୍ଗଚୁକ୍ । ସୋନମ ୱାଙ୍ଗଚୁକ୍ ସେହି ବ୍ୟକ୍ତି ଯାହାଙ୍କ ଜୀବନୀ ଉପରେ ସୁପରହିଟ୍ ବଲିଉଡ ଫିଲ୍ମ ଥ୍ରୀ ଇଡିୟଟସ ହୋଇଛି । ସୀମାରେ ଭାରତ-ଚୀନ ମୁହାଁମୁହିଁ ହେଉଥିବା ବେଳେ ୱାଙ୍ଗଚୁକଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡ଼ିଓରେ ଚୀନକୁ ଚେକମେଟ୍ ଦେବାକୁ ବୁଲେଟ-ୱାଲେଟ ଅସ୍ତ୍ର ଆପଣାଇବାକୁ ଦେଶବାସୀଙ୍କୁ କହିଛନ୍ତି ୱାଙ୍ଗଚୁକ୍ ।

ଚୀନକୁ ସାବାଡ କରିବାକୁ ୱାଙ୍ଗଚୁକଙ୍କ ବୁଲେଟ-ୱାଲେଟ ଅସ୍ତ୍ର । ସୀମାରେ କେବଳ ସେନା ନୁହେଁ ବରଂ ସାଧାରଣ ଲୋକ ଘରେ ବସି ବେଜିଂ ଉପରେ କରନ୍ତୁ ଆକ୍ରମଣ । ଚୀନ୍ ନିର୍ମିତ ସାମଗ୍ରୀକୁ ବୟକଟ୍ କରି ଭାରତୀୟ ମାନେ ଦେଖାନ୍ତୁ ୱାଲେଟ ପାୱାର । କାରଣ ସେନାର ବୁଲେଟ ଠାରୁ ଭାରତୀୟଙ୍କର ୱାଲେଟ ପାୱାର ଚୀନକୁ ଏଭଳି ଶକ୍ତ ଝଟକା ଦେବ ଯାହା ବେଜିଂକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେବ । କାରଣ ଭାରତୀୟ ବଜାର ହେଉଛି ଚୀନ୍ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ତେଣୁ ଦେଶବାସୀଙ୍କ ବୟକଟ ପ୍ରହାରରେ କ୍ଷଣିକରେ ଭାଙ୍ଗିଯିବ ଚୀନର ମେରୁଦଣ୍ଡ । ଛୁଞ୍ଚି ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବର୍ଷକୁ ପାଖାପାଖି ୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଭାରତୀୟ ବଜାରରେ ବିକ୍ରି କରିଥାଏ ଚୀନ୍ । ତେଣୁ ଏହି ସାମଗ୍ରୀ ବହିଷ୍କାର କରି ଚୀନ ଉପରେ ବିନା ଲଢେଇରେ ବିଜୟ ପ୍ରାପ୍ତ କରପାରିବ ଭାରତ ।

ସେହିଭଳି ଭାରତରେ ବହୁଳ ବ୍ୟବହାର ହେଉଥିବା ଆପ୍ ଟିକଟକ୍, ସେୟାର ଇଟ, ୟୁସି ବ୍ରାଉଜର ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଛି ଚୀନ୍ । ଏପରିକି ଏହି ଆପ୍ ଗୁଡିକୁ ଚୀନରେ ଯେତିକି ଡାଉନଲୋଡ କରାଯାଇନାହିଁ ତାହା ଠାରୁ ଅଧିକ ଭାରତୀୟ ମାନେ କରିଛନ୍ତି । ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଏହି ଆପ୍ ଗୁଡିକୁ ଅନ୍ ଇନଷ୍ଟଲ କରିବାକୁ ଆହ୍ୱାନ ଦେଇଛନ୍ତି ୱାଙ୍ଗଚୁକ୍ ।

ୱାଙ୍ଗଚୁକଙ୍କ ଏହି ଆହ୍ୱାନ ପରେ ଭାରତରେ ଆରମ୍ଭ ହୋଇଛି ବୟକଟ-ମେଡ ଇନ୍ ଚାଇନା ଅଭିଯାନ । ଏହି ଅଭିଯାନକୁ ଗାଁରୁ ଗ୍ଲୋବାଲ କରିବାକୁ ଆଗେଇ ଆସଛନ୍ତି ଭାରତୀୟ ବ୍ୟବସାୟୀ ମାନେ । କାରଣ କରୋନା ମହାମାରୀ ପାଇଁ ପୂରା ବିଶ୍ୱରେ ଚୀନ୍ ଏକପ୍ରକାର ଏକଘରକିଆ ହୋଇଥିବା ବେଳେ ଏବେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ସ୍ୱଦେଶୀକୁ ପ୍ରାଥମିକତା ଓ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବାକୁ ୱାଙ୍ଗଚୁକଙ୍କ କାନ୍ଧରେ ଏବେ କାନ୍ଧ ମିଳାଇଛି ପୂରା ଭାରତ । କାରଣ ଚୀନକୁ ସବୁଦିନ ପାଇଁ ଚୁପ୍ କରିବାକୁ ହେଲେ ଭାରତ ପାଇଁ ଏହି ଅଭିଯାନ ହେଉଛି ସବୁଠୁ ବଡ ଅସ୍ତ୍ର ।