ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ କଲେଜକୁ ହେଉଥିଲା ଟଙ୍କା ବର୍ଷା : ୨୦୧୪ରେ ସିଏଜି ଆପତ୍ତି ଉଠାଇବା ପରେ ବି କେମିତି ମିଳୁଥିଲା ଆର୍ଥିକ ସହାୟତା ?

କିଏ ସେହି ପ୍ରଶାସନିକ ଅଧିକାରୀ? ଯାହା ପାଖରେ ପହଂଚିଥିଲା ଗୋବିନ୍ଦ

344

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ଗୋବିନ୍ଦ ସାହୁର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମ୍ନାକୁ ଆସିବାରେ ଲାଗିଛି । ମନ୍ତ୍ରୀ, ଅଫିସରଙ୍କୁ ହାତ କରି ସେ ପ୍ରଭାବ ବିସ୍ତାର କରିଥିବା ଚର୍ଚ୍ଚା ହେଉଛି । ସବୁଠାରୁ ବଡକଥା ହେଉଛି, ୨୦୧୪ରୁ ସିଏଜି ଆପତି ଉଠାଇଥିଲେ ବି ଗୋବିନ୍ଦ ସାହୁର ମହାଲିଙ୍ଗ କଲେଜକୁ ଟଙ୍କା ବର୍ଷା ହେଉଥିଲା । ମନ୍ତ୍ରୀଙ୍କ ସହ ତାର ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ କିଛି ଅଫିସରଙ୍କ ସହ ତାର ଘନିଷ୍ଠତା ଥିବା ସନ୍ଦେହ ବଢିବାରେ ଲାଗିଛି ।

– ୨୦୧୪ରେ ସିଏଜି ଗୋବିନ୍ଦର ଅନୁଷ୍ଠାନ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସଂପର୍କରେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ
– ସେହିବର୍ଷ ପଂଚାୟତିରାଜ ବିଭାଗର ବାର୍ଷିକ ବୈଷୟିକ ଅନୁଧ୍ୟାନ ରିପୋର୍ଟରେ ସିଏଜି ୨୦୧୨-୧୩ରେ ନିର୍ମାଣାଧୀନ ରହିଥିବା ଏହି ଘରୋଇ କଲେଜ ପ୍ରତି ଅନୁକମ୍ପା ନେଇ ଆପତି କରିଥିଲେ
– କେଉଁ ପରିସ୍ଥିତିରେ ସରକାରୀ ନିୟମକୁ ବେଖାତିର କରି ୪ଲକ୍ଷ ଟଙ୍କାରେ ପିଏମଜିଏସୱାଇ ରାସ୍ତା ମହାଲିଙ୍ଗ କଲେଜ ଯାଏଁ କରାଗଲା ଆପତି କରିଥିଲେ
– ସେହିବର୍ଷ ଯୁକ୍ତ ଦୁଇ ଆଂଚଳିକ ମହାବିଦ୍ୟାଳୟର ଲନ୍ ନିର୍ମାମ ପାଇଁ ୩ ଲକ୍ଷ ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଦିଆଯାଇଥିଲା
– ପୁଣି ୨୦୧୨-୧୩ରେ ମହିଳା ହଷ୍ଟେଲ ଓ ଏହାର ପାଚେରୀ ପାଖ କଂକ୍ରିଟ ପାଇଁ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ୬ ଲକ୍ଷ ଟଙ୍କା ଦିଆଯାଇଥିଲା
– ସିଏଜି ରିପୋର୍ଟ ପାଇବା ପରେ ମଧ୍ୟ ୨୦୧୪-୧୫ରେ କଲେଜର ଗାର୍ଲ୍ସ କମନରୁମ୍ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି
– କେବଳ ସେତିକି ନୁହେଁ ୨୦୧୭-୧୮ ମସିହାରେ ମଧ୍ୟ ସାଂସଦ ପାଣ୍ଠିରୁ ପୁଣି ୫ ଲକ୍ଷ ଟଙ୍କା ଦିଆଯାଇଥିବା ରେକର୍ଡ ରହିଛି

ପ୍ରଶ୍ନ ଉଠୁଛି, ପଶ୍ଚିମ ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି ନା ଗୋବିନ୍ଦମାନଙ୍କର ବିକାଶ ଲାଗି ? କଣ ଏମିତି ଗୋବିନ୍ଦର ଏତେ ପ୍ରଭାବ ? ନେତାଙ୍କ ସହିତ ଗୋବିନ୍ଦର ସଂପର୍କ ଏବେ ରାଜରାସ୍ତାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । କଳାହାଣ୍ଡି ଓ ବଲାଙ୍ଗୀର ତ ପଡୁଛି ଉଠୁଛି, ସମୁଦାୟ ପଶ୍ଚିମ ଓଡ଼ିଶା ବି। ହେଲେ ଏବେ ଜଣାପଡିଲାଣି ଯେ କିଛି ପ୍ରଭାବଶାଳୀ ପ୍ରଶାସନିକ ବାବୁମାନଙ୍କ ପର୍ଯ୍ୟନ୍ତ ଗୋବିନ୍ଦର ପହଞ୍ଚଥିଲା । ଖୋଦ୍ ରାଜଧାନୀେର ଥିବା ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟ କିଭଳି ଚାଲିଛି, ତାକୁ ଦେଖିବାକୁ ସମୟ ପାଉନଥିବା ବାବୁମାନେ ଗୋବିନ୍ଦ କଲେଜକୁ ଯାଇଥିବା ଖବର ଆସିଲେଣି । ଏମାନେ କିଏ ? କାହିଁକି ସେଠାକୁ ଯାଇଥିଲେ? ଯଦି ଗଲେ, ଫେରିବା ପରେ ସରକାରଙ୍କୁ ଏ ସଂପର୍କରେ କିଛି ରିପୋର୍ଟ ଦେଇଥିଲେ କି ? ଏହା ଅନୁସନ୍ଧାନ ସାପେକ୍ଷ ।