ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା

ଗାଡ଼ିରୁ ଗୋଡ଼ ଘୁଷୁଡ଼ୁଥିବା ଦେଖି କହିଥିଲେ ରାସ୍ତାରେ ଯାଉଥିବା ଲୋକ । ସେପଟେ ସାଙ୍ଗ ସୋନାଲି ନାଁରେ ଚାଟିଂ କରୁଥିଲା ଅଭିଯୁକ୍ତ ରାକେଶ

2,738

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଗଲା ଅଭିଯୁକ୍ତ ରାକେଶ । ତା’ର ସତ ଜଣାପଡ଼ିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା । ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା ।

ତେବେ ରାକେଶ ପୋଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାର କିଛି ବାଟ ସେମାନଙ୍କୁ ପିଛା କରିଥିଲା ।  ରାସ୍ତାରେ ଗୋଡ଼ ଘୁଷୁଡ଼ୁଥିବା ଦେଖି ସନ୍ଦେହ ହେବାରୁ ସେମାନେ ରାକେଶଙ୍କୁ ପଚରା ଉଚରା କରିଥିଲେ । ହେଲେ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା କହି  ସେମାନେ ଏଡ଼ାଇ ଯାଇଥିଲେ । କିଛି ବାଟ ଯିବା ପରେ ସେହି ଗାଡ଼ିଟି ପୁଣି ସେମାନଙ୍କୁ ଫଲୋ କରିଥିଲା ଓ ବାରମ୍ବାର ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିବା କଥା କହିଥିଲା । ଏପରିକି ତାଙ୍କ ଗୋଟିଏ ଗୋଡ଼ରୁ ଜୋତା ଖସିଯାଇଥିବାରୁ ସନ୍ଦେହ ଆହୁରି ବଢିଥିଲା । ତେବେ ଲୋକଙ୍କ ପଚରା ଉଚରା ପରେ ଭୀଷଣ ଭୟଭୀତ ହୋଇପଡ଼ିଥିଲା ଅଭିଯୁକ୍ତ ରାକେଶ ଓ ତାଙ୍କ ସାଥୀ । ତେଣୁ ମୟୁରଭଂଜ ଯିବା ବାଟରେ ସେମାନେ ରାସ୍ତା କଡ଼ରେ ମୃତ ଦେହକୁ ଫିଙ୍ଗି ଚାଲିଆସିଥିଲେ ।

ଏବେ ଝରାଫୁଲଙ୍କୁ ନେଇ ଦ୍ୱିତୀୟ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଗତ ୨୬ ତାରିଖରେ ଝରାଫୁଲ ଘରକୁ ଫେରିଥିବା ପରିବାର ଲୋକ ଜାଣିଥିଲେ । ଅପରାହ୍ନ ୪ଟା ସୁଦ୍ଧା ସେ ଘରେ ପହଂଚିଯିବା କଥା । ହେଲେ ସଂଧ୍ୟା ୬ଟା ସୁଦ୍ଧା ସେ ଘରେ ନପହଂଚିବାରୁ ଝରାଫୁଲଙ୍କୁ ବାରମ୍ବାର ଫୋନ କରିଥିଲେ ତାଙ୍କ ଭାଇ । ସେ ଫୋନ ନଉଠେଇବାରୁ ହ୍ୱାଟସଆପରେ ମେସେଜ କରିଥିଲେ । ଫୋନ ଉଠାଇବା ପାଇଁ ମଧ୍ୟ ମେସେଜରେ ଲେଖିଥିଲେ । ଝରାଫୁଲ  ଏହାର ଉତ୍ତର ରଖି କହିଥିଲେ ‘ଭାଇ ମୁଁ ଠିକ୍ ଅଛି, ନେଟଵର୍କ ପ୍ରୋବ୍ଲେମ ରହିଛି, ମୁଁ ମୋ ଫ୍ରେଣ୍ଡ୍‌ ସୋନାଲି ଘରେ ଅଛି।’ ସେହି ନମ୍ବରରେ ରାତି ୧୨ଟା ପର୍ଯ୍ୟନ୍ତ ପରିବାର ଲୋକେ ଚାଟିଂ କରି ଝରାଫୁଲଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ସୋନାଲି ଉତ୍ତର ମଧ୍ୟ ଦେଇଚାଲିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ସୋନାଲିଙ୍କ ନାଁରେ ଚାଟିଂ କରୁଥିଲେ ଅଭିଯୁକ୍ତ ରାକେଶ । ଅର୍ଥାତ୍ ସେ ହିଁ ନିଜକୁ ଝରାଫୁଲଙ୍କ ବାନ୍ଧବୀ ସୋନାଲି କହି ତାଙ୍କ ବାବଦରେ ହ୍ୱାଟସଆପରେ ପରିବାର ଲୋକଙ୍କୁ ବିଭ୍ରାନ୍ତ କରିଚାଲିଥିଲା ।