କେମିତି ହୋଇଥିଲା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି? କାହିଁକି ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ?

480

କନକ ବ୍ୟୁରୋ : କୋଲ ବ୍ଲକ ଆବଣ୍ଟନ ମାମଲାରେ ସ୍ୱତନ୍ତ୍ର କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୯ ମସିହାରେ ଏନଡିଏ ସରକାରରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହି ସମୟରେ ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଅନୁକମ୍ପା ଦେଖାଇଥିବା ନେଇ ଦିଲ୍ଲୀପ ରାୟ ଓ ଅନ୍ୟ ୫ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ଏନଡିଏ ସରକାରଙ୍କ ପ୍ରଥମ ମନ୍ତ୍ରୀ ଦିଲ୍ଲୀପ ରାୟ ଯାହାଙ୍କ ନାମରେ ଏହି ଅଭିଯୋଗ ନେଇ ସମନ ଜାରି କରିଥିଲା ସିବିଆଇର ସ୍ୱତନ୍ତ୍ର କୋର୍ଟ । ଦିଲ୍ଲୀପଙ୍କ ସହ ଅନ୍ୟ ଯେଉଁ ୫ ଜଣଙ୍କ ନାମରେ ସମନ ଆସିଥିଲା ସେମାନଙ୍କ ମଧ୍ୟରେ ରହିଛନ୍ତି କୋଇଲା ମନ୍ତ୍ରଣାଳୟର ପୂର୍ବତନ ଆଡିସିନାଲ ସେକ୍ରେଟାରୀ ପ୍ରଦୀପ କୁମାର ବାନାର୍ଜୀ, କାଷ୍ଟ୍ରୋନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ପ୍ରମୁଖ । ଏମାନଙ୍କ ବିରୋଧରେ ଆଇପିିସିର ଦଫା ୧୨୦ (ବି),୪୨୦ ଓ ୪୦୯ ଲଗାଯାଇଥିଲା ।

୧୯୯୮ ରେ ଝାରଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ କାଷ୍ଟ୍ରୋନ ମାଇନିଂ ଲିମିଟେଡ ଆବେଦନ କରିଥିଲା । କାଷ୍ଟ୍ରୋନ ମାଇନିଂ ଲିମିଟେଡର ମାଲିକ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ପି.କେ ଅଗ୍ରୱାଲ । ପାଖରେ ଜନବସତି ଓ ୱାଟର ଚ୍ୟାନେଲିଂରେ ସମସ୍ୟା ଥିବାରୁ ଏମପାୱାରଡ କମିଟି ପ୍ରଥମେ ଏହାକୁ ଅଗ୍ରାହ୍ୟ କରିଥିଲା । ହେଲେ ସେତେବେଳେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟ ସୁପାରିଶ କରିଥିଲେ । ସିବିଆଇ ନିଜ ଚାର୍ଜସିଟରେ ଦର୍ଶାଇଥିଲେ କି ଏ ସଂପର୍କିତ ଫାଇଲ ୧୯୯୯ ମସିହା ଏପ୍ରିଲ ୨୩ ତାରିଖରେ ଦିଲ୍ଲୀପ ରାୟଙ୍କ ପାଖକୁ ଆସିଥିଲା । ଏହାପରେ ୧୯୯୯ ମେ ୧୨ ତାରିଖରେ ନୂଆ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । ଏହି ନୂତନ ଆବେଦନରେ ପୁର୍ନବିଚାର କରିବାକୁ ଏମପାୱାରଡ କମିଟିକୁ ଅନୁରୋଧ କରିଥିଲେ ଦିଲ୍ଲୀପ ରାୟ ।

ଦିଲ୍ଲୀପ ରାୟଙ୍କ ସୁପାରିଶ ଆଧାରରେ ୧୯୯୯ ସେପ୍ଟେମ୍ବର ୧ ତାରିଖରେ ବ୍ରହ୍ମଡିହା କୋଲବ୍ଲକକୁ କାଷ୍ଟ୍ରୋନ ମାଇନିଂକୁ ବ୍ରହ୍ମଡିହା କୋଲବ୍ଲକ ଦିଆଯାଇଥିଲା । ୨୦୧୨ରେ କୋଲବ୍ଲକର ବିକାଶ ହୋଇନଥିବା ଦର୍ଶାଇ ଆବଣ୍ଟନକୁ ରଦ୍ଦ କରିଥିଲେ ୟୁପିଏ ସରକାର । ଏହାପରେ କୋଲବ୍ଲକରେ ଦୁର୍ନୀତି ନେଇ ରୁଜୁ ହୋଇଥିଲା ମାମଲା ।

କୋଲ ଇଣ୍ଡିଆ ଲିମିଟେଡ ଏବଂ ସେଣ୍ଟ୍ରାଲ ମାଇନିଂ ପ୍ଲାନିଂ ଏଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ୍ ଲିମିଟେଡର ବିରୋଧ ସତ୍ତେ୍ୱ କାଷ୍ଟ୍ରୋନ ମାଇନିଂକୁ ଅହେତୁକ ଅନୁକମ୍ପା ଦେଖାଇ କୋଇଲା ବ୍ଲକ ବଣ୍ଟନରେ ଅନିୟମିତତା ନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।