କେମିତି ଥିଲା ସୋନିଆ ଗାନ୍ଧୀ ଓ ମା’ ପାଓଲା ମାଇନୋ ସମ୍ପର୍କ ? କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷାଙ୍କୁ ପ୍ରତିଟି ମୂହୂର୍ତ୍ତରେ ସାଥ୍ ଦେଉଥିଲେ ମା’ ପାଓଲା ।

251

କନକ ବ୍ୟୁରୋ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କର ଅଗଷ୍ଟ ୨୭ ତାରିଖରେ ଦେହାନ୍ତ ହୋଇଛି । ୯୮ ବର୍ଷରେ ପାଓଲାଙ୍କ ପରଲୋକ ହୋଇଛି । ମା’ଙ୍କ ପରଲୋକରେ ମର୍ମାହତ ହୋଇଛନ୍ତି ସୋନିଆ ଗାନ୍ଧୀ । ସୋନିଆ ପାଓଲା ଇଟାଲୀର ଓର୍ବାସାନୋରେ ରୁହନ୍ତି । ସୋନିଆ ଗାନ୍ଧୀ, ପାଓଲୋ ଓ ଷ୍ଟିଫାନୋଙ୍କର ଦ୍ୱିତୀୟ କନ୍ୟା ସନ୍ତାନ । ସୋନିଆ ତାଙ୍କର ଦୁଇ ଭଉଣୀ ନାଦିଆ ଓ ଅନୁଷ୍କାଙ୍କ ଭଳି ଆଦୌ ନଥିଲେ । ସୋନିଆ କିଛି ଭିନ୍ନ କରିବା ଉପରେ ବିଶ୍ୱାସ ରଖନ୍ତି । ଆଉ ସୋନିଆଙ୍କ ସବୁ କାମରେ ମା’ ପାଓଲାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ସୋନିଆ ଯାହାକିଛି ବି ଉପଲବ୍ଧି ହାସଲ କରିଛନ୍ତି, ସେଥିରେ ତାଙ୍କ ମା’ଙ୍କର ହାତ ରହିଥିବା ଖୋଦ୍ ସୋନିଆ ଅନେକ ସମୟରେ କହିଛନ୍ତି ।

ସୋନିଆଙ୍କ ବିବାହ ଓ ବିବାଦ
– ସୋନିଆ ଇଟାଲୀର ଟ୍ୟୁରିନରେ ରହୁଥିଲେ
– ସେଠାରେ ତାଙ୍କୁ ରହିବା ପାଇଁ ଆଦୌ ଭଲ ଲାଗୁନଥିଲା
– ସୋନିଆଙ୍କ ଲାଳନପାଳନ କ୍ୟାଥଲିକ ରୀତିନୀତିରେ ହୋଇଥିଲା
– ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବିବାହ କରିବା ମାତାପିତାଙ୍କ ଆଗରେ ପ୍ରସ୍ତାବ ରଖିଥିଲେ ସୋନିଆ
– ସୋନିଆଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ପିତା ଷ୍ଟିଫାନୋ ମାଇନୋ
– ଯେଉଁକାରଣରୁ ଷ୍ଟିଫାନୋ ସୋନିଆଙ୍କ ବିବାହରେ ସାମିଲ୍ ହୋଇନଥିଲେ
– ୨୬ ଜାନୁଆରୀ, ୧୯୬୮ରେ ସୋନିଆ-ରାଜୀବ ଗାନ୍ଧୀଙ୍କ ନିର୍ବନ୍ଧ
– ୨୫ ଫେବୃଆରୀ, ୧୯୬୮ରେ ରାଜୀବ ଗାନ୍ଧୀଙ୍କ ସହ ସୋନିଆଙ୍କ ବିବାହ

ସୋନିଆଙ୍କ ବିବାହକୁ ନେଇ ଷ୍ଟିଫାନୋ ବିରୋଧ କରୁଥିଲେ । ଏହାକୁ ନେଇ ଅଧିକାଂଶ ସମୟରେ ଷ୍ଟିଫାନୋ ଓ ପାଓଲାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏହି ଝଗଡ଼ା କାରଣରୁ ସୋନିଆ ତାଙ୍କ ମା’ ପାଓଲାଙ୍କ ନିକଟତର ହୋଇପାରିଥିଲେ । ଆଉ ମା’ ଓ ଝିଅ ମଧ୍ୟରେ ଏହି ଅତୁଟ ସମ୍ପର୍କ ଅଗଷ୍ଟ. ୨୦୨୨ ପର୍ଯ୍ୟନ୍ତ କାୟମ ରହିଥିଲା ।

୧୯୮୦ରେ ପାଓଲା ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହି ସମୟରେ ଗାର୍ଡିଅନ୍ ନ୍ୟୁଜ୍ ସର୍ଭିସର ଏରିକ୍ ସିଲଭରଙ୍କୁ ସୋନିଆ ବଡ଼ ବୟାନ ଦେଇଥିଲେ । ସୋନିଆ କହିଥିଲେ ଯେ ତାଙ୍କ ପାଇଁ ତାଙ୍କ ସ୍ୱାମୀ ସବୁଠାରୁ ଶ୍ରେଷ୍ଠ ଏବଂ ତାଙ୍କ ମାଆ ଅର୍ଥାତ୍ ଇନ୍ଦିରା ଗାନ୍ଧୀ ଆହୁରି ଶ୍ରେଷ୍ଠ । ସୋନିଆ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ତାଙ୍କୁ ତାଙ୍କ ମା’ ଭଳି ଭଲ ପାଉଥିଲେ ।

ସୋନିଆ କହିଥିଲେ ଯେ ତାଙ୍କ ବିବାହ ପରେ ମା’ ପାଓଲା ଇଟାଲୀ ଫେରିଯାଇଥିଲେ । ସେତେବେଳେ ସୋନିଆ ନିଜକୁ ଏକାକୀ ଅନୁଭୂତ କରୁଥିଲେ । କିନ୍ତୁ ସେହି ସମୟରେ ଶାଶୂ ଇନ୍ଦିରା ଗାନ୍ଧୀ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଉଲ୍ଲେଖ ଥିଲା ଯେ ସେ ତାଙ୍କ ପରିବାର ତାଙ୍କୁ ବହୁତ ଭଲପାଆନ୍ତି । ଆଉ ଚିଠି ସୋନିଆଙ୍କୁ ବହୁତ ପ୍ରୋତ୍ସାହନ ଦେଇଥିଲା ।

୨୦୦୪, ମାର୍ଚ୍ଚ-ଏପ୍ରିଲରେ ପାଓଲା ଭାରତ ଗସ୍ତରେ ଆସିଥିଲେ । କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳ ଓ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦକୁ ନା କରିବାର ସପ୍ତାହକ ପୂର୍ବରୁ ପାଓଲା ଇଟାଲୀ ଚାଲିଯାଇଥିଲେ । କିନ୍ତୁ ନିର୍ବାଚନ ସମୟରେ ଯେତେବେଳେ ସୋନିଆ ଓ ପ୍ରିୟଙ୍କା ପ୍ରଚାରରେ ବ୍ୟସ୍ତ ରହୁଥିଲେ, ପାଓଲା ନିଜ ଅଣନାତି-ନାତୁଣୀଙ୍କ ସହ ସମୟ ବିତାଉଥିଲେ ।

ସୋନିଆ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମାଆ ପାଓଲାଙ୍କ ପରାମର୍ଶ ନେଉଥିଲେ । ଆଉ ମାଆଙ୍କ ପରାମର୍ଶକ୍ରମେ ସୋନିଆ ଆଗକୁ ବଢ଼ୁଥିଲେ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜର ବୁଢ଼ି ଆଈଙ୍କୁ ଖୁବ୍ ଭଲ ପାଉଥିଲେ । ଏପରିକି ପାଓଲାଙ୍କୁ ଭେଟିବା ପାଇଁ ରାହୁଲ ଇଟାଲୀ ମଧ୍ୟ ଯାଉଥିଲେ ।