କେମିତି ପୂର୍ଣ୍ଣ ହେଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର? ଶ୍ରୀମନ୍ଦିରକୁ କେଉଁଠୁ ଆସିଲା ଏତେ ସୁନା?

1,133

କନକ ବ୍ୟୁରୋ: ସୁନାବେଶରେ ସଜେଇ ହେଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରଥ ଉପରେ ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ଝଟକୁଛନ୍ତି । ଏହି ଦିବ୍ୟଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି । ୧୪୬୦ ମସିହାରୁ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇ ଆସୁଥିବା କୁହନ୍ତି, ଜଗନ୍ନାଥ ସଂସ୍କୃତି ଗବେଷକ । ତେବେ ଶ୍ରୀମନ୍ଦିରକୁ ଏତେ ସୁନା କିପରି ଆସିଲା, ଜାଣିବା ପାଇଁ ଆଜି ବି ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି ।

  • ଶ୍ରୀମନ୍ଦିରକୁ କେଉଁଠୁ ଆସିଲା ଏତେ ସୁନା?
  • କେମିତି ପୂର୍ଣ୍ଣ ହେଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର?

ରାଜା, ରାଜକର୍ମଚାରୀ, ଧର୍ମପ୍ରାଣ ବ୍ୟକ୍ତି ଓ ବଦାନ୍ୟ ଭକ୍ତଙ୍କ ସହଯୋଗରେ ସମୃଦ୍ଧ ହୋଇପାରିଥିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର । ମାଦଳାପାଞ୍ଜି ଅନୁସାରେ ଅନଙ୍ଗ ଭୀମଦେବ ବିଭିନ୍ନ ରାଜ୍ୟ ଜୟ କରି ଯେଉଁ ମହଣ ମହଣ ସୁନା ଆଣିଥିଲେ, ଶ୍ରୀମନ୍ଦିରକୁ ପ୍ରଦାନ କରିଥିଲେ । ଏହାସହ ୧୦ ହଜାର ସ୍ୱର୍ଣ୍ଣ ମୁଦ୍ରା ମଧ୍ୟ ଦାନ କରିଥିଲେ ଅନଙ୍ଗ ଭୀମଦେବ । ଗଙ୍ଗବଂଶର ରାଜତ୍ୱ ସମୟରୁ ରତ୍ନଭଣ୍ଡାର ସମୃଦ୍ଧ ହେବାରେ ଲାଗିଲା ।

ଅନଙ୍ଗ ଭୀମଦେବଙ୍କ ପରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଧନଧାନ୍ୟରେ ପୂରି ଉଠିଥିଲା ଶ୍ରୀମନ୍ଦିର । ଗବେଷକଙ୍କ ମତରେ ମହାରାଜା କପିଳେନ୍ଦ୍ର ଦେବ, ଅଧିକାଂଶ ଦକ୍ଷିଣାତ୍ୟ ରାଜ୍ୟ ଜୟ କରି ସେଠାରୁ ୧୬ଟି ହାତୀରେ ଲଦି ସୁନା ଅଳଙ୍କାର ଆଣିବା ପରେ ସିଂହଦ୍ୱାରରେ ଛିଡା ହୋଇ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ । ପରବର୍ତୀ ସମୟରେ ଗଜପତି ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କ ଲାଗି ହାତୀଦାନ୍ତ ରତ୍ନ ପଲଙ୍କ, ରତ୍ନ କଳସ, ରତ୍ନ ଛତି, ରତ୍ନ ବେଣ୍ଟ ଚାମର ଓ ସୁନା ମାର୍ଜନୀ ଆଦି ଦାନ କରିଥିଲେ । କୁହାଯାଏ ଭିତର ରତ୍ନଭଣ୍ଡାରରେ ମହଣ ମହଣ ସୁନା ଅଳଙ୍କାର ରହିଛି । ଏହାକୁ ଖୋଲିବା ପାଇଁ ବାରମ୍ବାର ଦାବି ହୋଇଆସୁଛି ।