ହକି ବିଶ୍ୱକପ୍ ବେଳେ କଳିଙ୍ଗ ଷ୍ଟାଡିୟମକୁ କେମିତି ଆସିଲେ ଦର୍ଶକ ? ପ୍ରବେଶକାରୀଙ୍କୁ କିଏ ଦେଲା ପାସ୍ ?

192

କନକ ବ୍ୟୁରୋ : ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ହକି ଜୁନିୟର ପୁରୁଷ ବିଶ୍ୱକପ୍ । ହେଲେ, ଷ୍ଟାଡିୟମ ଭିତରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି । ତେବେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ କିଏ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ଲୋକଙ୍କୁ ଅନୁମତି ନଥିବା ବେଳେ ଭିଆଇପି ପାସ୍ ବ୍ୟବସ୍ଥାକୁ କିଏ କାର୍ଯ୍ୟକାରୀ କରୁଛି ତାହା କମିଶନରେଟ୍ ପୋଲିସ ପଦାକୁ ଆଣିବା ପାଇଁ ଦାବି ହେଉଛି ।

କଳିଙ୍ଗ ଷ୍ଟାଡିୟମର ଗ୍ୟାଲେରୀକୁ କେମିତି ଆସିଲେ ଦର୍ଶକ ? ବିନା ଦର୍ଶକରେ ଜୁନିୟର ବିଶ୍ୱକପ ହକି ହେବ ବୋଲି ଘୋଷଣା ହୋଇଥିଲେ ବି ଗ୍ୟାଲେରୀରେ ଏତେ ଦର୍ଶକ ଆସିଲେ କୁଆଡୁ । ଶନିବାର କଳିଙ୍ଗ ଷ୍ଟାଡିୟମରୁ ଏଭଳି ଦୃଶ୍ୟ ଆସିବା ପରେ ସାଧାରଣରେ ଏବେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱକପର ବିଭିନ୍ନ ମ୍ୟାଚ ଖାଲି ପଡୁଥିବାବେଳେ ଭାରତର ମ୍ୟାଚ ବେଳେ ଗ।।ଲେରୀକୁ ହଠାତ୍ ଦର୍ଶକ ଚାଲିଆସୁଛନ୍ତି । କରୋନା କଟକଣା ବେଳେ ଏତେ ଦର୍ଶକ କୁଆଡୁ ଓ କେମିତି ଆସୁଛନ୍ତି ବୁଝିହେଉନି, ଏମାନଙ୍କୁ କିଏ ଅନୁମତି ଦେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାଧାରଣ ହକିପ୍ରେମୀ କଳିଙ୍ଗ ଷ୍ଟାଡିୟମର ବିଶ୍ୱକପ ଦେଖିବାକୁ ଡହଳବିକଳ ହେଉଛନ୍ତି । କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ତାଲାବନ୍ଦ କରି ବାୟୋ ବବଲ ଭିତରେ ବିଶ୍ୱକପ ଖେଳାଯାଉଛି । ତାସତ୍ୱେ କିଏ କିଭଳି ଦର୍ଶକଙ୍କୁ ଭିତରକୁ ଆଣୁଛନ୍ତି, ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ଭାରତ ମ୍ୟାଚ ବେଳେ ଗ୍ୟାଲେରୀରେ ଦର୍ଶକ ମ୍ୟାଚ ଦେଖୁଛନ୍ତି । ଏପରିକି ପାର୍କିଂର ଟିକିଏ ସ୍ଥାନ ବି ଖାଲି ରହୁନି । ଯେତେବେଳେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବ୍ୟବସ୍ଥା ନାହିଁ ଓ ପାସ ବ୍ୟବସ୍ଥା ଉପରେ କଟକଣା ଜାରି ରହିଛି ସେ ସମୟରେ ଭାରତ ମ୍ୟାଚ ବେଳେ ଦର୍ଶକ କୁଆଡୁ ଆସୁଛନ୍ତି ତାହା କେହି ବୁଝିପାରୁନାହାନ୍ତି ।

ବିଶ୍ୱକପରେ ଯେଉଁମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାପାଇଁ ଅନୁମତି ମିଳିଛି, ସେମାନଙ୍କର ୪୮ ଘଣ୍ଟାରେ କୋଭିଡ ଟେଷ୍ଟ ହେଉଛି । ତେଣୁ ପ୍ରଶ୍ନ ଉଠୁଛି, ଯେଉଁମାନେ ଘଣ୍ଟାକ ପାଇଁ ଖେଳ ଦେଖିବାକୁ ଆସୁଛନ୍ତି ସେମାନେ କଣ କରୋନା ମୁକ୍ତ ଅଛନ୍ତି । ସେମାନଙ୍କଠାରୁ କଣ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହେବନି ।

ହକି ବିଶ୍ୱକପରେ କିଛି ଦର୍ଶକ ନିୟମକୁ ବେଖାତିର କରି ଷ୍ଟାଡିୟମ ଭିତରକୁ ଆସିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

-ସାଧାରଣ ଦର୍ଶକଙ୍କୁ କାହିଁକି ମ୍ୟାଚ ଦେଖିବାରୁ ବଞ୍ଚିତ କରାଯାଉଛି ?
-ସାଧାରଣ ଦର୍ଶକଙ୍କୁ କୋଭିଡ ରିପୋର୍ଟ ଦେଖାଇ ମ୍ୟାଚ ଦେଖିବାର ସୁଯୋଗ ମିଳୁନି କାହିଁକି ?
-କଡା ସୁରକ୍ଷା ବଳୟ ଭିତରେ କିଛି ଲୋକ କିଭଳି ଷ୍ଟାଡିୟମ ଭିତରକୁ ଯାଉଛନ୍ତି ?
-ପ୍ରବେଶକାରୀଙ୍କୁ କିଏ ପାସ୍ ଦେଉଛି ?
-ପ୍ରବେଶକାରୀଙ୍କୁ ଜାଣିଶୁଣି ଛଡାଯାଉଛି ନା ଚାପରେ ଛଡାଯାଉଛି ?
– ସେମିଫାଇନାଲ ଓ ଫାଇନାଲରେ ଦର୍ଶକଙ୍କୁ କାହିଁକି ଅନୁମତି ଦିଆଯିବନି ?