ପ୍ରାଇଭେଟ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ ବି ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ । ପଜିଟିଭ ଚିହ୍ନଟ ହୋଇଥିଲେ ସୁସ୍ଥ ହେବାର ୪ ସପ୍ତାହ ପରେ ନେବେ ଟିକା ।

322

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ସରକାରଙ୍କ ଫୋକସରେ ରହିଛି ଟିକାକରଣ । ରାଜ୍ୟରେ ଏଯାଏଁ ୫୫ ଲକ୍ଷରୁ ଅଧିକ ଡୋଜ ଟିକା ଦିଆସରିଥିବା ବେଳେ ଏବେ ପୂର୍ବଭଳି ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ପୂର୍ବରୁ ପ୍ରାଇଭେଟ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ ନେଇଥିଲେ ସରକାରୀ ହସ୍ପିଟାଲରେ ଏହାର ଦ୍ୱିତୀୟ ଡୋଜ ନେଇପାରିବେ । ଆଉ ତାହା ବି ସମ୍ପୂର୍ଣ୍ଣ ମାଗଣା । କିନ୍ତୁ ଯଦି ସେମାନେ ପ୍ରାଇଭେଟ ହସ୍ପିଟାଲରେ ଟିକା ନିଅନ୍ତି ତେବେ ସେମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟ ଦେଇ ଟିକା କିଣିବାକୁ ପଡିବ । କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ନେଇପାରିବେ ଲୋକେ ।

ଏହାବାଦ୍ ଯଦି ଜଣେ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେବା ପରେ ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ସୁସ୍ଥ ହେବାର ଚାରି ସପ୍ତାହ ପରେ ୨ୟ ଡୋଜ ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅନ୍ୟପଟେ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକା ନେବାକୁ ହେଲେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ । ପଞ୍ଜୀକରଣ ଆଧାରରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ସ୍ଲଟ ଦିଆଯିବ ଓ ଏସଏମଏସ ମାଧ୍ୟମରେ ଟିକାକରଣ ବାବଦରେ ସୂଚାଇ ଦିଆଯିବ । ଯେଉଁଠିକୁ ଯାଇ ଟିକା ନେଇପାରିବେ ପଞ୍ଜୀକରଣ କରିଥିବା ବ୍ୟକ୍ତି ।