ବ୍ଲାକ ସିରେ ୠଷର ଯୁଦ୍ଧ ଜାହାଜକୁ କେମିତି ଶିକାର କଲା ୟୁକ୍ରେନ: ଟିବି-ଟୁ ଡ୍ରୋନରେ ଧ୍ୟାନ ହଟାଇବା ପରେ ମାଡ଼ କରିଥିଲା ମିଜାଇଲ

182

କନକ ବ୍ୟୁରୋ: ବୁଧବାର ରାତିରେ ବ୍ଲାକ ସି’ରେ କେମିତି ରୁଷିଆର ଦୁର୍ଦ୍ଦର୍ଶ ଯୁଦ୍ଧ ଜାହାଜ ‘ମସ୍କୋଭା’କୁ ଧ୍ୱଂସ କରିଦେଲା ୟୁକ୍ରେନ ତାହା ସାମ୍ନାକୁ ଆସିଛି । କୁହାଯାଉଛି ପାଖାପାଖି ୨ ମାସ ଯାତ୍ରା କରିବା ପରେ ରୁଷିଆର ଏହି ଯୁଦ୍ଧ ଜାହାଜଟି ୟୁକ୍ରେନ ସୀମାରେ ପହଂଚି ଯାଇଥିଲା । ୟୁକ୍ରେନ ତଟବର୍ତୀ ଅଂଚଳଠାରୁ ପ୍ରାୟ ୪୦ ମାଇଲ ଦୂରରେ ମୁତୟନ ହୋଇଥିଲା ରୁଷ ଯୁଦ୍ଧ ଜାହାଜ ‘ମକ୍ସୋଭା’ । ସ୍ନେକ ଆଇଲାଣ୍ଡ ନିକଟରେ ଏହା ପହଂଚି ସାରିଥିବାବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଥିଲା ରୁଷିଆ ।

କୁହାଯାଉଛି ବ୍ଲାକ ସିରେ ଏହା ରୁଷିଆର ସବୁଠାରୁ ଘାତକ ଯୁଦ୍ଧ ଜାହାଜ । ଯାହା ଉପରେ ଆକ୍ରମଣ କରିବା ଏକପ୍ରକାର ଅସମ୍ଭବ । କାରଣ ବ୍ଲାକ ସିରେ ମୁତୟନ ରୁଷିଆର ଅନ୍ୟ ଯୁଦ୍ଧ ଜାହାଜକୁ ଏହା ସୁରକ୍ଷା ପ୍ରଦାନ କରିବାକୁ ଆସିଥିଲା । ତେବେ ଏହାକୁ ଶିକାର କରିବା ପାଇଁ ଅତି ସତର୍କତାର ସହିତ ରଣନୀତି ପ୍ରସ୍ତୁତ କରିଥିଲା ୟୁକ୍ରେନ ସେନା ।

ପ୍ରଥମେ ବ୍ଲାକ ସିରେ ‘ମସ୍କୋଭା’ର ନଜର ହଟାଇବାକୁ ଟିବି-ଟୁ ଡ୍ରୋନ ଉଡାଇଥିଲା ୟୁକ୍ରେନ ସେନା । ୟୁକ୍ରେନର ବନ୍ଦର ସହର ଓଡେଶା ଆଖାପାଖରେ ରୁଷିଆ ଯୁଦ୍ଧ ଜାହାଜ ‘ମକ୍ସୋଭା’ର ଗତିବିଧି ଜାରି ରହିଥିବାବେଳେ ୟୁକ୍ରେନ ସେନା କେତେକ ଟିବି-ଟୁ ଡ୍ରୋନ ଉଡାଇ ଏହାର ନଜର ହଟାଇଥିଲା । ଫଳରେ ‘ମସ୍କୋଭା’ରେ ମୁତୟନ ମିଜାଇଲ ସିଷ୍ଟମ ଏହି ଡ୍ରୋନଗୁଡିକୁ ଟାର୍ଗେଟ କରିଥିଲେ । ଆଉ ସେପଟେ ନଜର ହଟାଇ ୟୁକ୍ରେନ ଏହାର ନ୍ୟାପଚୁନ କ୍ରୁଜ ମିଜାଇଲରେ ମକ୍ସୋଭା ଉପରେ ଜୋରଦାର ଆକ୍ରମଣ କରିଦେଲା । ପ୍ରାୟ ୨୮୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ୨ଟି ନ୍ୟାପଚୁନ ମିଜାଇଲ ମାଡ କରିଥିଲା ୟୁକ୍ରେନ ସେନା । ଫଳରେ ମକ୍ସୋଭା ଜାହାଜରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇଥିଲା ଓ ଏହା ବ୍ଲାକ ସି ଭିତରେ ବୁଡିଯାଇଥିଲା ।

ଯୁଦ୍ଧକୁ ୫୦ଦିନ ବିତିଥିବା ବେଳେ ଏବେ ମାଇଣ୍ଡଗେଡ ଖେଳିବା ଆରମ୍ଭ କରିଦେଇଛି ୟୁକ୍ରେନ । ବଡ କଥା ହେଉଛି ‘ମସ୍କୋଭା’ ଯୁଦ୍ଧଜାହାଜକୁ ଟାର୍ଗେଟ କରିବାକୁ ଦୀର୍ଘ ଦିନ ଧରି ଯୋଜନା କରିଥିଲା ୟୁକ୍ରେନ । କିନ୍ତୁ ରୁଷିଆ ଗୁଇନ୍ଦା ସଂସ୍ଥା ନିକଟକୁ ଏହାର କୌଣସି ଖବର ପହଂଚି ପାରିନଥିଲା ।

‘ମସ୍କୋଭା’ ଯୁଦ୍ଧ ଜାହାରେ ନାବିକ ଓ ଶହଶହ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛି ୟୁକ୍ରେନ ସେନା । ‘ମକ୍ସୋଭା’ରେ ବିସ୍ଫୋରଣ ହୋଇଥିବା ସ୍ୱୀକାର କରିଛି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ । ହେଲେ ଏଥିରେ ନିଆଁ ଲାଗିବାରୁ ଗୋଳାବାରୁଦ ବିସ୍ଫୋରଣ ହୋଇ କ୍ଷତିଗ୍ରସ୍ତ ହୋଇଥିବା କହିଛି । କିନ୍ତୁ ଯୁଦ୍ଧ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଦାବି କରିଛି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ।

ଏପଟେ ରୁଷିଆର ଡୋନବାସ ଅଧିକାର ଅଭିଯାନକୁ ଜୋରଦାର ଝଟକା ଲାଗିଛି । ବେଶ ସତର୍କତାର ସହ ରୁଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା । ପ୍ରାୟ ୯ ମାଇଲ ବିଶିଷ୍ଟ ରୁଷିଆ ସେନାର ପଟୁଆରକୁ ଅଟକାଇବାରେ ସମର୍ଥ ହୋଇଛି ୟୁକ୍ରେନ ।

ସେନା କନଭୟ ଉପରେ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛି ୟୁକ୍ରେନ ସେନା । ପୂର୍ବ ପ୍ରସ୍ତୁତି ଅନୁସାରେ ଏକ ପୋଲରେ ବୋମା ଖଂଜି ଏହାକୁ ଉଡାଇ ଦେଇଥିଲା ୟୁକ୍ରେନ । ଫଳରେ ରୁଷର ଡୋନବାସ ଅଭିଯାନ ଅଧାରେ ଅଟକି ଯାଇଥିଲା । ଏହାପରେ ଆମ୍ବୁସ କରି ଗୋଟିଏ ପରେ ଗୋଟିଏ ସେନା ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଛି ୟୁକ୍ରେନ ସେନା । ରାସ୍ତାସାରା ବୋମା ଖଂଜା ଯାଇଥିଲା । ରୁଷିୟ ସେନା ଗାଡି ଏହି ରାସ୍ତା ଦେଇ ଗଲାବେଳେ ବୋମା ବିସ୍ଫୋରଣ ହୋଇଥିଲା । ଏ ସଂପର୍କିତ ଏକାଧିକ ଫଟୋ ଜାରି କରିଛି ୟୁକ୍ରେନର ସେନା । ଏହି ଫଟୋରେ ଅନେକ ସଂଖ୍ୟାରେ ରୁଷ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧସ୍ତ୍ର ଖଂଜାଯାଇଥିବା ଗାଡିସବୁ ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖାଯାଉଛି । ଟ୍ୟାଙ୍କ ବୋଝେଇ ଅନେକ ଗାଡି ୟୁକ୍ରେନର ଖାରକିଭରୁ ଇଜିଅମ ମୁହାଁ ହୋଇଥିଲା । ଇଜିୟମ ସହିତ ସ୍ଲୋଭ୍ୟାଂସ ଓ ଡୋନବାସ ଉପରେ ଆକ୍ରମଣ ପାଇଁ ଏହି ବିରାଟ ପଟୁଆର ଆଗକୁ ବଢୁଥିଲା । ହେଲେ ୟୁକ୍ରେନର ଜୋରଦାର ଆକ୍ରମଣ ପରେ ରୁଷିଆକୁ ବିରାଟ ଧକ୍କା ଲାଗିଛି ।