କେମିତି ଅଟକାଇବେ ହାକୁଟି ! ଘରୋଇ ଉପାୟ ବ୍ୟବହାର କରି ବାରମ୍ବାର ଆସୁଥିବା ହାକୁଟିରୁ ମୁକ୍ତି ପାଆନ୍ତୁ ।

188
ସାଧାରଣତଃ ହାକୁଟି ଆସିଲେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ତରରେ ଏହାକୁ କିପରି ରୋକି ହେବ ପ୍ରୟାସ ଆରମ୍ଭ କରି ଦିଅନ୍ତି। କେହି କେହି ତ କହନ୍ତି ଚମକାଇ ଦେଲେ ହାକୁଟି ଆଉ ଉଠେନାହିଁ। କେହି କେହି ଦୁଇ ତିନି ଗ୍ଲାସ୍ ପାଣି ପିଇ ଏହାକୁ ଅଟକାଇବାକୁ ଚାହାନ୍ତି। ମାତ୍ର ସବୁବେଳେ ଏହି ଉପାୟ କାମ ଦିଏ ନାହିଁ। ହାକୁଟି ବନ୍ଦ ହୁଏ ନାହିଁ। ହାକୁଟି ଜୋର୍ ହେଉଥିଲେ ଆଉ କିଛି ଉପାୟ ମଧ୍ୟ ଜାଣି ରଖନ୍ତୁ।
ଚିନାବାଦାମ ଚଟଣି: ପିନଟ୍ ବଟର୍ ବା ଚିନାବାଦାମ ଚଟଣି ଆପଣ ହାକୁଟି ପାଇଁ ବ୍ୟବହାର କରିପାରିବେ। ଏହାକୁ ଖାଇବା ଦ୍ୱାରା ଶ୍ୱାସ ନେବାର ପ୍ରକ୍ରିୟାରେ ପରିବର୍ତ୍ତନ ଆସେ ଏବଂ ହାକୁଟି କମିଯାଏ। ହାକୁଟି ଆସୁଥିଲେ ଏଥିରୁ ଗୋଟିଏ ଚାମଚ ନେଇ ଖାଇଦିଅନ୍ତୁ।
ଚିନି: ସବୁଠାରୁ ସରଳ ଉପାୟ ହେଉଛି ଚିନି । ପ୍ରତ୍ୟେକଙ୍କ ଘରେ ଚିନି ଉପଲବ୍ଧ। ହାକୁଟି ଆସିବା ମାତ୍ରେ ଗୋଟିଏ ଚାମଚ ଚିନି ଖାଇଦିଅନ୍ତୁ। କିଛି ସମୟ ପରେ ହାକୁଟି କମିଯିବ।
ଭିନେଗାର: ଖଟା ସାମଗ୍ରୀ ମଧ୍ୟ ହାକୁଟିକୁ କମାଇ ଦେବା ଦେଖାଯାଇଥାଏ। ତେଣୁ ହାକୁଟି ଆସୁଥିଲେ ଗୋଟିଏ ଚାମଚ ଭିନେଗାର ବା ସିରକା ସେବନ କରନ୍ତୁ। ଏହା ସେବନ କରିବାର କିଛି ସମୟ ପରେ ଧୀରେ ଧୀରେ ହାକୁଟି ଆସିବା ବନ୍ଦ ହେଇଯାଏ।
ଲେମ୍ବୁ: ହାକୁଟି ବନ୍ଦ ପାଇଁ ଲେମ୍ବୁ ଖୁବ୍ ଦରକାରୀ। ଏହାର ଖଟା ସ୍ୱାଦ ଗ୍ରନ୍ଥିଗୁଡ଼ିକୁ ଟିକେ ଉତ୍ତେଜିତ କରି ହାକୁଟି ବନ୍ଦ କରିବାରେ ସହାୟତା କରିଥାଏ। ଅଧାଚାମଚ ଲେମ୍ବୁରସ ପାଣି ନ ମିଶାଇ ପାଟିରେ କିଛି ସମୟ ପାଇଁ ରଖନ୍ତୁ, ହାକୁଟି ଉଠିବା ବନ୍ଦ ହୋଇଯାଏ।
ଅଳେଇଚ: ଏକ ଚାମଚ ଅଳେଇଚ ଗୁଣ୍ଡ ଗୋଟେ ଗ୍ଲାସ୍ ଗରମ ପାଣିରେ ଭଲ ଭାବେ ମିଶାଇ ଦିଅନ୍ତୁ। ପନ୍ଦର ମିନିଟ୍ ପର୍ୟ୍ୟନ୍ତ ତାକୁ ଛାଡ଼ି ଦିଅନ୍ତୁ। ତା’ପରେ ତାକୁ ଛାଣି ଦିଅନ୍ତୁ ଏବଂ ପିଅନ୍ତୁ। ହାକୁଟି ଉଠିବା ବନ୍ଦ ହେଇଯିବ।

ଟମାଟ : ଟମାଟକୁ ଭଲ ଭାବେ ଧୋଇ ତାକୁ ଦାନ୍ତରେ କାମୁଡ଼ି କାମୁଡ଼ି ଖାଆନ୍ତୁ ।

ଅଁଳା ଓ ମିଶ୍ରି: ଅଁଳା ରସ କିମ୍ବା ଅଁଳା ସହ ମିଶ୍ରି ମିଶାଇ ଖାଆନ୍ତୁ।
ଚିନି ଓ ପୋଦିନା: ଚିନି ସହ କିଛି ପୋଦିନା ପତ୍ର ସେବନ କରନ୍ତୁ।
ଗୋଲମରିଚ ଓ ମିଶ୍ରି: ଦୁଇ ତିନିଟି ଗୋଲମରିଚ ସହ ଚିନି କିମ୍ବା ମିଶ୍ରିକୁ ପାଟିରେ ପକାଇ ଧୀରେ ଧୀରେ ତାକୁ ଚୋବାଇ ଢୋକନ୍ତୁ।
ଏତଦବ୍ୟତୀତ ଥଣ୍ଡା ପାଣି ପିଇବା ବା ବରଫ ଦ୍ୱାରା ହାକୁଟି କମେ। ବ୍ୟକ୍ତି ଧ୍ୟାନ ଅନ୍ୟ ଆଡ଼େ ନେଇଯିବା ଦ୍ୱାରା ମଧ୍ୟ ହାକୁଟି କମେ ବୋଲି କୁହାଯାଏ। ଜିଭକୁ ଯେତେ ଦୂର ସମ୍ଭବ ବାହାରକୁ ବାହାର କରନ୍ତୁ। ଏହାଦ୍ୱାରା ଗଳାର ସେହି ଭାଗ ଖୋଲି ଯାଇଥାଏ, ଯେଉଁଠି ନାସା ପଥ ସହ ଯୋଡ଼ି ହୋଇଥାଏ ଭୋକାଲ କର୍ଡ ବା ସ୍ୱରଗ୍ରନ୍ଥି। ଏହାଦ୍ୱାରା ହାକୁଟି ବନ୍ଦ ହୁଏ। ଗଭୀର ପ୍ରଶ୍ୱାସ ନିଅନ୍ତୁ। କିଛି ସେକେଣ୍ଡ ପାଇଁ ତାକୁ ଭିତରେ ରଖନ୍ତୁ। ଏହାଦ୍ୱାରା ଫୁସଫୁସରେ କାର୍ବନ ଡାଇଅକ୍ସାଇଡ୍ ଭରିଯାଏ ଏବଂ ଡାୟାଫ୍ରାମ ତାକୁ ବାହାରକୁ ବାହାର କରିଦେଇଥାଏ। ଏହାଦ୍ୱାରା ହାକୁଟି ବନ୍ଦ ହେଇଯାଇଥାଏ।