ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଫେରିଛନ୍ତି କି? ସରକାରଙ୍କୁ ଦିଅନ୍ତୁ ତଥ୍ୟ, ନଚେତ୍ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ

2,538

କନକ ବ୍ୟୁରୋ: ବିଦେଶରୁ ଫେରିଥିଲେ ତୁରନ୍ତ ତଥ୍ୟ ଦିଅନ୍ତୁ । ରାଜ୍ୟରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ପଞ୍ଜିକରଣ କରିବା ଏକପ୍ରକାରେ ଜରୁରୀ ହୋଇପଡିଛି । ସେହିଭଳି ସରକାରଙ୍କ ପକ୍ଷକୁ ଏହାକୁ ବାଧ୍ୟତାମୂଳକ ମଧ୍ୟ କରାଯାଇଛି । ଆଉ ଯେଉଁମାନେ ପଞ୍ଜିକରଣ ନକରିବେ ସେମାନଙ୍କ ବିରୋଧରେ ଉଭୟ ସିଆରପିସି ଓ ଆଇପିସିର ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ସରକାର ।

ଏଥିପାଇଁ ସରକାରଙ୍କ ପକ୍ଷରୁ ୧୦୪ ଟୋଲ ଫ୍ରି ନମ୍ବର ଏବଂ https://covid19.odisha.gov.in ୱେବ୍ ପୋର୍ଟାଲ ଜାରି କରାଯାଇଛି । ଯେଉଁଥିରେ ଯଦି ଆପଣ ବିଦେଶରୁ ଫେରିଛନ୍ତି ତେବେ ଏଠାରେ ଆପଣ ଆପଣଙ୍କ ନାଁ ରେଜିଷ୍ଟେସନ କରିପାରିବେ । ସେହିପରି ସାଙ୍ଗ, ସାଥୀ, କିମ୍ବା ପରିବାର ସଦସ୍ୟଙ୍କ ଜରିଆରେ ମଧ୍ୟ ଆପଣ ଆପଣଙ୍କ ନାଁ ରେଜିଷ୍ଟେସନ କରିପାରିବେ । ପଞ୍ଜିକରଣ କରିଥିବା ଲୋକଙ୍କ ଉପରେ ନଜର ରଖାଯିବ । ସେମାନଙ୍କୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ସେହିପରି ବିଦେଶରୁ ଆସିଥିବା ଲୋକ ୧୪ ଦିନ ପୃଥକୀକରଣରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆପଣ ଆପଣଙ୍କ ନାଁ ଏଠାରେ ରେଜିଷ୍ଟେସନ କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ ପୂରା ପ୍ରକ୍ରିୟା ।

• ଯଦି ଆପଣ ବିଦେଶରୁ ଫେରିଛନ୍ତି ତେବେ ଆପଣ ସରକାରଙ୍କ ଦ୍ୱାରା ଜାରି ହୋଇଥିବା https://covid19.odisha.gov.inକୁ ଯାଆନ୍ତୁ।

• ଏହାପରେ ଆପଣଙ୍କୁ ଏଠାରେ ଦୁଇଟି ବିକଳ୍ପ ନଜର ଆସିବ । ଗୋଟିଏ ହେଲା ଆତ୍ମ ପଂଜିକରଣ ଫର୍ମ ପୂରଣ କରନ୍ତୁ ଏବଂ ୧୦୪କୁ କଲ କରନ୍ତୁ । (ଏହି ଦୁଇଟି ବିକଳ୍ପରୁ ଆପଣ ଯେକୌଣସି ବିକଳ୍ପକୁ ଚୟନ କରି ଆପଣଙ୍କ ନାଁ ଏଠାରେ ପଂଜୀକରଣ କରିପାରିବେ)

• ଯଦି ଆପଣ ଅନଲାଇନ ଜରିଆରେ ପଂଜିକରଣ କରିବାକୁ ଚାହୁଁଛନ୍ତି ତେବେ ଏଠାରେ ନଜର ଆସୁଥିବା ‘ଆତ୍ମ ପଂଜିକରଣ ଫର୍ମ ପୂରଣ କରନ୍ତୁ’ ଅପସନକୁ ଯାଆନ୍ତୁ ।

• ଏହାପରେ ଏଠାରେ ଏକ ପେଜ୍ ଖୋଲିବ, ଯେଉଁଠି ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯଦି ଆପଣ ନିଜ ପାଇଁ ପଂଜିକରଣ କରୁଛନ୍ତି ତେବେ ଏଠାରେ ଦିଆଯାଇଥିବା ‘ନିଜ ପାଇଁ’ ଅପସନକୁ ବାଛି ପାରିବେ । ସେହିପରି ଅନ୍ୟ କାହା ପାଇଁ କରୁଥିଲେ ଦ୍ୱିତୀୟ ବିକଳ୍ପଟିକୁ ଚୟନ କରିପାରିବେ ।

• ଏହାପରେ ଯାତ୍ରୀଙ୍କ ନାଁ, ବୟସ, ଲିଙ୍ଗ, ଯଦି ଆପଣ ଅନ୍ୟ କାହା ପାଇଁ ପଂଜିକରଣ କରୁଛନ୍ତି ତେବେ ତାଙ୍କ ମୋବାଇଲ ନମ୍ବର, ସ୍ଥାନୀୟ ଯୋଗାଯୋଗ ନମ୍ବର, ଅନ୍ୟ ଦେଶରୁ ଫେରିଥିଲେ ତାଙ୍କ ପାସପୋର୍ଟ ନମ୍ବର, ଠିକଣା , ଇମେଲ ଆଡି ଏବଂ ଅଭିଭାବକଙ୍କ ନାଁ ଏବଂ ମୋବାଇଲ ନମ୍ବର ଦେବାକୁ ହେବ ।

• ଏହାରେ ତଳେ ଦିଆଯାଇଥିବା ଅପସନକୁ ଯାଆନ୍ତୁ । ଏଠାରେ ଆପଣଙ୍କଠାରେ ଜ୍ୱର କିମ୍ବା କାଶ ଦୁଇଟି ଲକ୍ଷଣ ଦେଖାଦେଉଛି କି ନାହିଁ ତାର ଜବାବ ହଁ କିମ୍ବା ନାରେ ଦେବାକୁ ହେବ ।

• ଏହାପରେ ଆପଣଙ୍କ ଯାତ୍ରା ସଂପର୍କିତ ବିବରଣୀ ଦେଇ ଏହାକୁ ସବମିଟ୍ କରି ଦିଅନ୍ତୁ ।

ଏହାପରେ ଆପଣଙ୍କ ନାଁ ଏଠାରେ ପଂଜିକୃତ ହୋଇଯିବ । ତେବେ ପଞ୍ଜିକରଣ କଲା ପରେ ଆପଣଙ୍କ ଉପରେ ସରକାର ନଜର ରଖିବା ସହ ଆପଣଙ୍କୁ ୧୪ ଦିନ କାଳ ପୃଥକୀକରଣରେ ରହିବା ପାଇଁ କୁହାଯିବ ।