କୋଭିଡରୁ ସୁସ୍ଥ ହେବା ପରେ କେମିତି ନେବେ ଯତ୍ନ : ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ତିନିମାସ ପର୍ଯ୍ୟନ୍ତ ରହିବାକୁ ପଡିବ ସତର୍କ

ସେପଟେ କୋଭିଡ୍ ସମୀକ୍ଷା ବୈଠକରେ ଅର୍ଥନୈତିକ କାରବାର ଜାରି ରଖିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

962

କନକ ବ୍ୟୁରୋ : କୋଭିଡ୍ରୁ ସୁସ୍ଥ ହେବା ପରେ କେମିତି ନେବେ ଯତ୍ନ । କଣ କରିବେ, କଣ କରିବେ ନାହିଁ । ଏନେଇ ଏକ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେତେକ ଗବେଷଣାର ସୂଚନା ଅନୁସାରେ କରୋନା ସଂକ୍ରମଣର ପ୍ରଭାବ ଦୀର୍ଘଦିନ ଧରି ରହିବାର ଭୟ ରହିଛି । ଏପରିକି ହୃଦପିଣ୍ଡ ଜନିତ ସମସ୍ୟା, ଶ୍ୱାସ ଓ ଫୁସଫୁସ୍ ଜନିତ ସମସ୍ୟା ସମେତ ସ୍ନାୟବିକ ଓ ଏଣ୍ଡୋକ୍ରାଇନୋଲଜିକାଲ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ରହୁଛି ।

ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ପରବର୍ତୀ ସଚେତନତା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ଆପଣ କଣ କରିପାରିବେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରଖିବା ଜାରି ରଖନ୍ତୁ । ଯଥେଷ୍ଟ ପରିମାଣରେ ଉଷୁମ ପାଣି ପିଅନ୍ତୁ । ସ୍ୱାସ୍ଥ୍ୟ ସ୍ଥିତି ଦେଖି ନିୟମିତ ଘରକାମ ଓ ଅଫିସ କାମ କରନ୍ତୁ । ମଧ୍ୟମ ଧରଣର ବ୍ୟାୟାମ କରନ୍ତୁ । ବିଶୋ କରି ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଶ୍ୱାସକ୍ରିୟା ସମ୍ପର୍କୀତ ବ୍ୟାୟାମ କରନ୍ତୁ । ସକାଳେ କିମ୍ବା ସଂଧ୍ୟାରେ ଚାଳନ୍ତୁ । ସଜ ରନ୍ଧା ଓ ସୁଷମ ଖାଦ୍ୟ ଖାଆନ୍ତୁ ।

ପର୍ଯ୍ୟାପ୍ତ ଶୋଇବା ସହ ବିଶ୍ରାମ ନିଅନ୍ତୁ । ଧୂମପାନ ଓ ମଦ୍ୟପାନଠୁ ଦୂରେଇ ରୁହନ୍ତୁ । ନିୟମିତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଅଧିକ ଜ୍ୱର, ଅକ୍ସିଜେନ୍ ମାତ୍ରା କମିବା, ଛାତିରେ ଯନ୍ତ୍ରଣା, ଦେଖିବାରେ ଅସୁବିଧା ପରି ସମସ୍ୟା ହେଲେ ଡାକ୍ତରଙ୍କୁ ଜଣାନ୍ତୁ । କୋଭିଡ୍ ଆକ୍ରାନ୍ତ ସମୟର ଅଭିଜ୍ଞତା ଅନ୍ୟମାନଙ୍କୁ ଜଣାନ୍ତୁ । ଡାକ୍ତରଖାନାର ଛାଡ ପାଇବାର ୭ ଦିନ ପରେ ଡାକ୍ତରଙ୍କୁ ନିଶ୍ଚିତ ପରାମର୍ଶ କରନ୍ତୁ । ଏହା ସହ ଚତୁର୍ଥ ସପ୍ତାହ ଓ ୧୨ତମ ସପ୍ତାହରେ ଡାକ୍ତରଖାନାକୁ ଯାଇ ପରାମର୍ଶ ନିଅନ୍ତୁ ।

ହୋମ୍ ଆଇସୋଲେନରେ ଥିବା ବ୍ୟକ୍ତିଙ୍କର ଲକ୍ଷଣ ଲାଗି ରହିଲେ, ନିକଟସ୍ଥ ଡାକ୍ତରଖାନା ଯାଆନ୍ତୁ । ଗୁରୁତର ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଅନ୍ତୁ । ଚତୁର୍ଥ ସପ୍ତାହରେ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ଏବଂ ଆବଶ୍ୟକ ହେଲେ ଛାତିର ଏକ୍ସରେ କରାନ୍ତୁ । ୧୨ତମ ସପ୍ତାହରେ ଛାତି ଏକ୍ସରେ, ପଲମୁନାରି ଫଙ୍ଗସନ୍ ଟେଷ୍ଟ, ଅକ୍ସିଜେନ୍ ସାଚ୍ୟୁରେସନ ମାପ, ଇକୋ କାର୍ଡିଓଗ୍ରାଫି କରାଯାଇପାରେ । ଏ ସମସ୍ତ ନିର୍ଦ୍ଦେଶାବଳୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ଶିଳ୍ପସଂସ୍ଥା ଗୁଡିକ ଯେପରି ନିର୍ବିଘ୍ନରେ ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।