କେମିତି ପରିବାର ହେବ ପ୍ରତିପୋଷଣ ? ପ୍ରବାସୀଙ୍କ ଆଖିରେ ଆଖିଏ ସ୍ୱପ୍ନ, ପାଖରେ ଟଙ୍କା ନାହିଁ , ଏବେ ଚିନ୍ତା କେମିତି ଫେରିବେ ସୁରଟ ?

248

କନକ ବ୍ୟୁରୋ : ଆଖି ଆଗରେ ବଡ ପ୍ରଶ୍ନ । କେମିତି ପରିବାରରେ ହେବ ପ୍ରତିପୋଷଣ ? କେମିତି କରିବେ ରୋଜଗାର? ଗଂଜାମ ମାଣିଧରାର ବୁଲୁ ରଣାଙ୍କ ଆଖିରେ ଆଖିଏ ପ୍ରଶ୍ନ ।  ଦୀର୍ଘବର୍ଷ ଧରି ସୁରଟର ସୂତାକଳରେ କାମ କରୁଥିଲେ ବୁଲୁ । ମାସିକ ପ୍ରାୟ ଟଙ୍କା ୧୨ ହଜାର ରୋଜଗାର ହୋଇଯାଉଥିଲା । ପରିବାର ସହ ସେଠାରେ ରହିବା ସହ ଦୁଃଖସୁଖରେ କାଟୁଥିଲେ ଦିନ । କିନ୍ତୁ କରୋନା କାଳରେ ବହୁ କଷ୍ଟରେ ଗାଁକୁ ଫେରିଲେ । ହାତରୁ ରୋଜଗାର ଚାଲିଗଲା, ଗାଁରେ ମାସ ପରେ ମାସ ବିତୁଛି ହେଲେ ପେଟପାଟଣା ଚିନ୍ତା ସବୁ ବେଳେ ଘାରିଛି । ଗାଁ ମାଟିରେ ମିଳୁନି ରୋଜଗାର । ଏବେ ଚିନ୍ତା କେମିତି ଫେରିବେ ସୁରଟ? ଗୁଜରାଟ ପାଇଁ ଆରମ୍ଭ ହୋଇଛି ରେଳ । ହେଲେ ଟ୍ରେନ ଟିକେଟ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି ବୁଲୁ । ଅପେକ୍ଷା ଆର ମାସକୁ ।

ପ୍ରବାସୀ ଓଡିଆ ନିଜ ଗାଁକୁ ଫେରିବା ବେଳେ ଏକାଧିକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେହିପରି ଏବେ ପୁଣି ଥରେ ସୁରଟ ଯିବା ବାଟରେ ବି ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ।

ମେ ୩ ଓ ମେ ୪ – ସୁରଟରୁ ଫେରୁଥିବା ୩ଟି ବସ୍ ଦୁର୍ଘଟଣା ଗ୍ରସ୍ତ

ମେ ୧୪ – ପ୍ରବାସୀଙ୍କୁ ନେଇ ବୌଦ୍ଧରୁ ଅନୁଗୁଳ ଯାଉଥିବା ମିନିବସ ଦୁର୍ଘଟଣା ଗସ୍ତ

ମେ ୨୧ – ଜଳେଶ୍ୱର ନିକଟରେ ପ୍ରବାସୀ ଶ୍ରମିକ ନେଇଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ

ସେପ୍ଟେମ୍ବର ୪ – ରାୟପୁର ନିକଟରେ ସୁରଟ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ

ସେପ୍ଟେମ୍ବର ୧୦ – ରାୟଗଡା ଗୁମା ଘାଟିରେ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣା

ଶ୍ରମିକଙ୍କ ନେଇ ଯାଉଥିବା ଏକାଧିକ ବସ ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ଏହା ବୁଲୁ ରଣାଙ୍କ ମନରେ ଭୟ ଆଣିଛି । ଟ୍ରେନରେ ଟିକେଟ ମିଳୁ ନଥିବା ବେଳେ ବସରେ ଯିବାକୁ ସାହସ କରି ପାରୁ ନାହାନ୍ତି ବୁଲୁ ।

ଧାର ଉଧାର କରି ପରିବାର ଚଳାଉଥିବା ବୁଲୁ ରଣା ଏବେ ପୁଣି ଥରେ ସୁରଟ ମୁହାଁ । ଜୀବନ ସଂଘର୍ଷ ଏବେ ଅନିଶ୍ଚିତ ବାଟରେ ଚାଲିଥିବା ବେଳେ ବଂଚିବା ପାଇଁ ଯୋଗାଡ କରୁଛି ସାହସ ।