ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ କିପରି ଡକାୟତି କରେ?

1,058

ଠକ୍ ଠକ୍ ଗ୍ୟାଙ୍ଗ ତିନୋଟି ରାଜ୍ୟ ପୋଲିସକୁ ନାକେଦମ କରି ସାରିଲାଣି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଗାଜିଆବାଦରୁ ଗୁରୁଗ୍ରାମ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଲୁଟ୍ କରିଚାଲିଛନ୍ତି । ଯେତେବେଳେ ପୋଲିସ ସେମାନଙ୍କ ପଛରେ ପଡେ ସେତେବେଳେ ଏହି ଡକାୟତମାନେ ଅଣ୍ଡରଗ୍ରାଉଣ୍ଡକୁ ହେଇଯାଆନ୍ତି । ଯଦି ଆପଣ ଏମିତି ଗ୍ୟାଙ୍ଗ ହାବୁଡରେ ପଡନ୍ତି ତେବେ ଏମାନଙ୍କ କବଳରୁ କେମିତି  ରକ୍ଷା ପାଇବେ ?

ଯଦି ଆପଣ କାରରେ ଯାତ୍ରା କରୁଛନ୍ତି । ବିଶେଷ କରି ଦିଲ୍ଲୀ କିମ୍ବା ଆଖପାଖ ଅଞ୍ଚଳରେ ତେବେ ସତର୍କ ହେଇଯାଆନ୍ତୁ ।  ଏହି ଖବର କେବଳ ଆପଣଙ୍କ ପାଇଁ । ଏଠାରେ ଆମେ ଆପଣଙ୍କୁ  ଠକ୍ ଠକ୍ ଗ୍ୟାଙ୍ଗ ବିଷୟରେ ଚେତାବନୀ ଦେଉଛୁ । ସେମାନେ ଆପଣଙ୍କୁ ଦିନ ଦ୍ଵିପହରରେ ସର୍ବସ୍ଵIନ୍ତ କରିପାରନ୍ତି । ଆପଣଙ୍କ ପାଖରେ ଥିବା ଲାପଟପ୍, ମୋବାଇଲ୍ ଏବଂ ବ୍ୟାଗ୍ ଆପଣଙ୍କ ଆଖି ସାମନାରେ ଲୁଟ କରି ନେଇଯାଇପାରନ୍ତି । ଆପଣଙ୍କ କାର ଉପରେ ସେମାନଙ୍କର ତୀକ୍ଷ୍ଣ ନଜର ରହିଛି , ସାବଧାନ ହେଇଯାଆନ୍ତୁ । ସେମାନେ ଏତେ ଚତୁର ଅଟନ୍ତି ଯେ ସେମାନେ କୌଣସି  ସମୟରେ ଆପଣଙ୍କ ଆଖିରୁ କାଜଲ ଚୋରି କରିନେଇଯିବେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଜାଣିପାରିବେ ନାହିଁ ।

 ଠକ୍ ଠକ୍ ଗ୍ୟାଙ୍ଗ ଠାରୁ ସତର୍କ ରୁହନ୍ତୁ

ଯଦି ଆପଣ ଆପଣଙ୍କ ମୋବାଇଲ୍ ଏବଂ ବ୍ୟାଗକୁ କାର ଭିତରେ ରଖୁଛନ୍ତି ତେବେ ସାବଧାନ ହେଇଯାଆନ୍ତୁ କାରଣ ଠକ୍ ଠକ୍ ଗ୍ୟାଙ୍ଗ ଜାଣିଛି ଆପଣ ସେସବୁ ଜିନିଷ କେଉଁଠାରେ ରଖିଛନ୍ତି । ଏହି ଲୋକମାନଙ୍କର ଇଗଲ ପରି ଆଖି, ଚିତାବାଘ ପରି ଫୁର୍ତ୍ତି ତା ଏବଂ ଠେକୁଆ ପରି ବୁଦ୍ଧି ଅଛି ଯାହା ଆପଣଙ୍କର ମୁଲ୍ୟବାନ ଜିନିଷକୁ ନିମିଷକ ମଧ୍ୟରେ ନେଇ ପଳାଇବେ । ଆପଣ ଜାଣିଲା ବେଳକୁ ସେମାନେ ଆପଣଙ୍କ ହାତପାଆନ୍ତାରୁ ବହୁତ ଦୂରକୁ ଚାଲି ଯାଇଥିବେ । ଆପଣ ଚାହିଁଲେ ମଧ୍ୟ ସେମାନଙ୍କୁ ଖୋଜି ପାଇବେନି । କାରଣ ଆପଣ ସନ୍ଦେହରେ ଯାହାକୁ ଜଣକୁ ଧରିଥିବେ ଲୁଟ ସାମଗ୍ରୀ ତା ପାଖରେ ନଥିବ । ଆଖି ପିଛୁଳାକେ ସେମାନେ ଲୁଟ ଜିନିଷକୁ ଅନ୍ୟ ସଦସ୍ୟ ମାନଙ୍କ ହାତକୁ ବଢେଇ ଦେଇଥିବେ । ଜଣକ ହାତରୁ ଜଣକୁ କରି କେତେ ହାତ ହେଇ ଆପଣଙ୍କ ଜିନିଷ କୋଉଠି ଯେ ପହଞ୍ଚିଥିବ ଆପଣ କଣ ପୋଲିସ ବି ଜାଣିପାରୁନି ।

ଟ୍ରାଫିକ ସିଗନାଲ୍ ହେଉ କିମ୍ବା କୌଣସି ହାଟ ବଜାରରେ ଆପଣଙ୍କ ଗାଡି ଅଟକି ରହିଥିବ ସେଇ ଜାଗାରେ ଏହି ଗ୍ୟାଙ୍ଗ ସକ୍ରିୟ ହୋଇ ଥାଆନ୍ତି । ଗାଡି ଅଟକିଲା ମାତ୍ରେ ଏମାନେ ତାଙ୍କର ଗତିବିଧି ଆରମ୍ଭ କରିଦିଅନ୍ତି । ଏମାନଙ୍କ କଥା ଜମା ଶୁଣିବେନି କି ଝରକା ଆଦୌ ଖୋଲିବେନି । ଏହି ଧୂର୍ତ୍ତ ମାନେ କାରରେ ରଖାଯାଇଥିବା ଜିନିଷ ଲୁଟ କରିବାରେ ଖୁବ ପାରଙ୍ଗମ ।  ଏହି ଗ୍ୟାଙ୍ଗର ସଦସ୍ୟମାନେ ଆପଣଙ୍କ କାରର ଝରକକୁ  ଠକ୍ ଠକ୍ କରିବେ । କହିବେ ଭାଇ ସାହେବ , ଏବଂ କାର କାଚ ତଳକୁ କରିବାକୁ ଇଙ୍ଗିତ ଦେବେ । ଆପଣ କାର କାଚ ତଳକୁ କରି କଥା କଣ ବୋଲି ବୁଝିଲା ବେଳକୁ ସେମାନେ ଚାଲି ଯାଇଥିବେ । କିଛି ସମୟ ପରେ ଆପଣ ଯେତେବେଳେ ଆପଣଙ୍କ ଜିନିଷ ଚେକ କରିବେ ସେତେବେଳେ ସେଗୁଡିକ ଆଉ ନଥିବ । ଖୁବ ଚତୁରତାର ସହ ସେସବୁ ସେମାନେ ଲୁଟ କରି ନେଇଥିବେ ଆଉ ଆପଣ କିଛି ଜାଣିପାରିବେନି ।

କେମିତି କରନ୍ତି ଚୋରୀ

ଗୋଟିଏ ଦଳରେ ୪ ରୁ ୫ ସଦସ୍ୟ ଥାଆନ୍ତି । ଲୋକଙ୍କ ବିଶ୍ବାସ ଭାଜନ ହେବାପାଇଁ ମହିଳା ଏବଂ ଶିଶୁକୁ ମଧ୍ୟ ସାମିଲ କରିଥାନ୍ତି ଦଳରେ । ଟ୍ରାଫିକ କିମ୍ବା ଅନ୍ୟ କୌଣସି ସ୍ଥାନରେ ଅଟକିଥିବା ଗାଡ଼ିକୁ ଏମାନେ ଟାର୍ଗେଟ କରିଥାନ୍ତି । ବିଶେଷ କରି ଗ୍ୟାଙ୍ଗର ଜଣେ ମହିଳା ସଦସ୍ୟ ଆସି ଆପଣଙ୍କୁ ଭାଇ ସାବ , ବେହେନ ଜୀ , ଭାବୀ ଜୀ କିମ୍ବା ମ୍ଯାଡାମ ଜୀ ସମ୍ବୋଧିତ କରି ଆପଣଙ୍କ କାରର କାଚକୁ ଠକ ଠକ କରିଥାନ୍ତି । ଝରକା ଖୋଲି କଣ ହେଲା ବୋଲି ଆପଣ ପଚାରିଲେ ସେମାନେ କୁହନ୍ତି ଆପଣଙ୍କ ଇଞ୍ଜିନରୁ ତେଲ ଲିକ କରୁଛି । ନିଆଁ ଲାଗିଯାଇପାରେ । ତରତର ହେଇ ଆପଣ କାର ଡୋର ଖୋଲି ଇଞ୍ଜିନ ଦେଖିବାକୁ ଯାଇ ପାଆନ୍ତି ଯେ ସେମିତି କିଛି ଅସୁବିଧା ହୋଇନି ବୋଲି । ଫେରି ଆସିଲା ବେଳକୁ ଆପଣଙ୍କ ବ୍ୟାଗ । ଲାପଟପ , ପର୍ସ ଯାହାକିଛି ଗାଡିରେ ଥିବ ତାକୁ ଆପଣ ଆଉ ପାଇବେନାହିଁ । ସେତିକି ସମୟ ଭିତରେ ସେସବୁ ନେଇ ସେମାନେ ଛୁ ମନ୍ତର ହେଇ ଯାଇଥିବେ । ଆପଣ କାନମୁଣ୍ଡା ଆଉଁସି ପୋଲିସ ପାଖକୁ ଯିବେ । ତେଣୁ ଏହି ଗ୍ୟାଙ୍ଗଠୁ ଦୂରେଇ ରହିବାକୁ ପୋଲିସ ପକ୍ଷରୁ ସତର୍କ ସୂଚନା ଚାରିଆଡେ ଦିଆଯାଉଛି । ଏପରି ଗ୍ୟାଙ୍ଗ ଏବେ ବହୁ ସହରରେ ଦେଖିବାକୁ ମିଳିଲେଣି ।
(ଫୋଟୋ ସାଙ୍କେତିକ)