ଆପଣ ଡାଇବେଟିସକୁ ନେଇ ଚିନ୍ତିତ କି ? ନିଜଠୁ କେମିତି ଦୂରେଇ ରଖିବେ ଡାଇବେଟିସ୍

311

କନକ ବ୍ୟୁରୋ : ଡାଇବେଟିସ୍ । ବର୍ତମାନର ଜୀବନରେ ଏହି ରୋଗକୁ ନେଇ ଏବେ ଅନେକ କଥା ଚର୍ଚ୍ଚା । ହେଲେ କଥା ଉଠୁଛି ଡାଇବେଟିସ୍ ହେଉଛି କାହିଁକି ? ଏବଂ ଏହାକୁ କ’ଣ ଏଡାଇ ହେବ ନାହିଁ । ବିଶେଷଜ୍ଞ ଡାକ୍ତରଙ୍କ କହିବା ମୁତାବକ, ଡାଇବେଟିସକୁ ଜଣେ ବ୍ୟକ୍ତି ଚାହିଁଲେ ଏଡାଇ ଦେଇପାରିବେ । ହେଲେ ଏଥିପାଇଁ ଦରକାର ସ୍ୱାସ୍ଥ୍ୟ ସଚେତନତା ଓ ନିୟନ୍ତ୍ରିତ ଜୀବନଶୈଳୀ । ତେଣୁ ଆଜି ଆସନ୍ତୁ ଜାଣିବା କେମିତି ରୋକିବେ ଡାଇବେଟିସ୍ ।

ଜଣେ ବ୍ୟକ୍ତିଙ୍କର ରକ୍ତରେ ସୁଗାର ପରିମାଣ ଖାଲି ପେଟରେ ୧୨୬ ମିଲିଗ୍ରାମ ପର୍ ଡେସିଲିଟର ରହିଲେ ତାକୁ ଡାଇବେଟିସ୍ ବୋଲି କୁହାଯାଏ । ସେହିପରି ଖାଇବାର ୨ ଘଂଟା ପରେ ରକ୍ତରେ ସୁଗାରର ପରିମାଣ ୨୦୦ ମିଲିଗ୍ରାମ ପର୍ ଡେସିଲିଟରରୁ ଅଧିକ ରହିଲେ ତାକୁ ଆମେ ଡାଇବେଟିସ୍ ବୋଲି କହିଥାଉ । ତେବେ ଯେଉଁ ବ୍ୟକ୍ତିମାନଙ୍କର ରକ୍ତରେ ଶର୍କରା ପରିମାଣ ୧୪୦ ରୁ ୧୯୯ ମିଲିଗ୍ରାମ ପର୍ ଡେସିଲିଟର ଭିତରେ ରହିଥାଏ ତାକୁ ଆମେ ପ୍ରି-ଡାଇବେଟିସ୍ ବୋଲି କହିଥାଉ । ଅର୍ଥାତ ସେହି ବ୍ୟକ୍ତିମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ହୋଇପାରେ । ହେଲେ ଏହି ଅବସ୍ଥାରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ନିଜ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣିଲେ, ଜଣେ ବ୍ୟକ୍ତିଙ୍କୁ କେବେ ବି ଡାଇବେଟିସ୍ ହେବ ନାହିଁ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଥାନ୍ତି ।

କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ ?

ସାଧାରଣତଃ ୪୫ ବର୍ଷରୁ ଅଧିକ ବୟସରର ବ୍ୟକ୍ତିଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ଯେଉଁମାନଙ୍କ ପାଖରେ ମେଦ ବହୁଳତା ରହିଛି, ଯେଉଁମାନେ ନିୟମିତ ବ୍ୟାୟାମ କରୁନାହାଁନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ସବୁଠୁ ଅଧିକ ରହିଛି । ତା ସହିତ ପରିବାରରେ କାହାକୁ ଡାଇବେଟିସ୍ ହୋଇଥିଲେ, କିମ୍ବା ଉଚ୍ଚ ରକ୍ତଚାପ ଥିଲେ ଜଣେ ବ୍ୟକ୍ତିଙ୍କୁ ଡାଇବେଟିସ୍ ହୋଇପାରେ । ସେହିପରି ଟ୍ରାଇଗ୍ଲାସିରାଇଡର ପରିମାଣ ୨୫୦ ମିଲିଗ୍ରାମ ପର୍ ଡେସିଲିଟରରୁ ଅଧିକ ରହିଲେ ଜଣେ ବ୍ୟକ୍ତିଙ୍କୁ ଡାଇବେଟିସ୍ ରୋଗ ହେବାର ଅଧିକ ଚ୍ୟାନ୍ସ ରହିଛି ।

ଡାଇବେଟିସଠୁ କେମିତି ରହିବେ ଦୂରରେ…

ନିୟନ୍ତ୍ରିତ ଜୀବନଶୈଳୀ ଓ ସଚେତନତା ହିଁ ଆପଣଙ୍କୁ ଡାଇବେଟିସଠାରୁ ଦୂରରେ ରଖିପାରିବ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ ପରିବର୍ତନ କରନ୍ତୁ । ତେଲ ମସଲା ଖାଦ୍ୟ ଓ ଚର୍ବି ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଫାଷ୍ଟଫୁଡ୍, ମିଠା, କୋଲଡ୍ ଡ୍ରିଙ୍କସ୍, ଛେଳି ମାଂସ, ଘିଅ, ବଟର, ଚିନି ଆଦିକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଆଉ ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ ।ଡାଇବେଟିସଠାରୁ ଦୂରରେ ରହିବାକୁ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରନ୍ତୁ । ତା ସହିତ ଯଦି ଆପଣଙ୍କ ଓଜନ ଅଧିକ ଅଛି, ତେବେ ଏହାକୁ ଯଥାଶୀଘ୍ର କମ କରିବାକୁ ଚେଷ୍ଟା କରନ୍ତୁ । ଧୂମପାନ ଓ ମଦ୍ୟପାନକୁ ସମ୍ପୂର୍ଣ୍ଣ ବନ୍ଦ କଲେ ହିଁ ଆପଣ ଡାଇବେଟିସକୁ ରୋକିପାରିବେ । ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଜଣେ ବ୍ୟକ୍ତି ଡାଇବେଟିସ ରୋଗଠାରୁ ନିଜରକୁ ସମ୍ପୂର୍ଣ୍ଣ ଦୂରରେ ରଖିପାରିବେ ।