ଘରେ ବିନା ମୂଲ୍ୟରେ ବନାନ୍ତୁ ହୋମ୍ କ୍ଲିନଜର୍ । ଫଳ ଚୋପାରୁ ପାଆନ୍ତୁ ଚଟାଣ ଚମକାଇବାର ତରିକା । 

102

କନକ ନ୍ୟୁଜ୍: ଘର ଚଟାଣ ହେଉ ବା ଆସବାବ ପତ୍ର ହେଉ ଏସବୁକୁ ଚମକାଇବା ପାଇଁ ଆମେ ବଜାରରୁ ଚଢା ଦର ଦେଇ କ୍ଲିନଜର କିଣିଥାଉ । କିନ୍ତୁ ଏହି ଖର୍ଚ୍ଚାନ୍ତରୁ ଆପଣ ବଞ୍ଚିପାରିବେ । ନିଜ ରୋଷେଇ ଘରେ ଯେତେ ସବୁ ଫଳ ଚୋପା ବାହାରୁଛି ସେଥିରୁ ହିଁ ଆପଣ ନିଜେ ପ୍ରସ୍ତୁତ କରିପାରିବେ କ୍ଲିନଜର । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରକ୍ରିୟା ।

ଏଥିପାଇଁ ମୁଖ୍ୟତଃ ଆବଶ୍ୟକ କିଛି(୨୫୦ ଗ୍ରାମ ଗୁଡ), କିଛି କମଳା ଓ ଲେମ୍ବୁର ଚୋପା ଓ ଗୋଟିଏ ପ୍ଳାଷ୍ଟିକ୍ ବୋତଲ ।

ପ୍ରଥମେ ନେଇଥିବା ଗୁଡିକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ଏଥିରେ ଗୁଡକୁ ମିଶାଇ ଦିଅନ୍ତୁ । ଅନ୍ୟପଟେ ନେଇଥିବା ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥିବା ଲେମ୍ବୁ ଓ କମଳା ଚୋପାକୁ ଭର୍ତ୍ତି କରନ୍ତୁ । ଯେପରି ଏହା ବୋତଲର ଏକ ତୃତୀୟାଂଶ ଭାଗ ଯାଏଁ ଭରିହୋଇଯିବ । ଏହାପରେ ଗୁଡ ମିଶିଥିବା ପାଣିକୁ ଥଣ୍ଡା ହେବା ଯାଏଁ ରଖନ୍ତୁ  । ଥଣ୍ଡା ହୋଇଗଲେ ଏହି ପାଣିକୁ ବୋତଲରେ ଢାଲନ୍ତୁ । ଧ୍ୟାନ ରଖିବେ ଗୁଡ ପାଣି ଭର୍ତ୍ତି କରିବା ପରେ ବି ଯେପରି ବୋତଲର କିଛି ଅଂଶ ଖାଲି ରୁହେ । ଗୁଡ ପାଣି ଢାଲିବା ପରେ ବୋତଲକୁ ହଲଚଲ ନକରି ଗୋଟିଏ ସ୍ଥାନରେ ରଖିଦିଅନ୍ତୁ । ଏହାର ପ୍ରକିୟାକରଣ ପାଇଁ ଏହାକୁ ସେହିପରି ଭାବରେ ୯୦ ଦିନ ଯାଏଁ ରଖନ୍ତୁ ।

 ତେବେ ବୋତଲରେ ପାଣି ଓ ଫଳ ଚୋପା ଭତ୍ତିକରି ରଖିବାର ଦୁଇଦିନ ପରେ ୯୦ ଦିନ ଯାଏଁ ପ୍ରତିଦିନ ବୋତଲର ଠିପିକୁ ସାମାନ୍ୟ ଢିଲା କରନ୍ତୁ । କିନ୍ତୁ ପୁରା ଖୋଲନ୍ତୁ ନାହିଁ । ଫଳରେ ଏହା ମଧ୍ୟରେ ସୃଷ୍ଟି ହେଉଥିବା ଗ୍ୟାସ ବାହାରିଯିବ । ୯୦ ଦିନ ପରେ ଲକ୍ଷ୍ୟ କରିବେ ସମସ୍ତ ଫଳ ଚୋପା ବୋତଲର ତଳ ଭାଗରେ ବସିଯିବ । ଏଥିରୁ ଜାଣିବେ ଯେ ଆପଣଙ୍କ ବାୟୋ ଏନଜାଇମ୍ କ୍ଲିନଜର ଏବେ ବ୍ୟବହାର ପାଇଁ ଯୋଗ୍ୟ ହୋଇଯାଇଛି ।

 ଏବେ ଏହି କ୍ଲିନଜରକୁ ଚଟାଣ ଉପରେ ସ୍ପ୍ରେ କରି ପୋଛନ୍ତୁ । ଦେଖିବେ ଆପଣଙ୍କ ଚଟାଣ ପୂର୍ବାପେକ୍ଷା ସଫା ଦେଖାଯିବ । ଏହା ସମ୍ପୂର୍ଣ୍ଣ ପ୍ରକୃତିକ ହୋଇଥିବାରୁ କୌଣସି ଇନଫେକ୍ସନର ସମ୍ଭାବନା ଆଦୌ ନଥାଏ ।  ।