ଗାଡିର ନମ୍ବରପ୍ଲେଟରେ ଲେଖାଥିବା ନମ୍ବର କଣ ସୂଚାଇଥାଏ ! ନମ୍ବରପ୍ଲେଟରୁ ଗାଡିର ମାଲିକଙ୍କୁ ଚିହ୍ନିବେ କିପରି, ଜାଣନ୍ତୁ କିଛି ଟିପ୍ସ ।

49

ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ବିକ୍ରି ହେଉଛି । ସାରା ବିଶ୍ୱରେ ବାର୍ଷିକ ସର୍ବାଧିକ ଗାଡି ଉତ୍ପାଦନ କରିବା ରାଷ୍ଟ୍ର ଭିତରେ ଭାରତର ସ୍ଥାନ ଚତୁର୍ଥ । ଚଳିତବର୍ଷ ୨୫.୩ ମିଲିୟନ ଯାନ ଭାରତରେ ନିର୍ମାଣ କରାଯାଇଛି । ତେବେ ଅନେକ ସମୟରେ ମନରେ ପ୍ରଶ୍ନ ଉଠେ ଏତେ ସଂଖ୍ୟକ ଗାଡିର କିପରି ନମ୍ବର କରାଯାଏ । ତାଛଡା କେଉଁ ଗାଡିର ମାଲିକ କିଏ ଏବଂ ଏହା କେଉଁ ରାଜ୍ୟର ଗାଡି ତାହା ଅନେକ ଲୋକ ଜାଣି ପାରନ୍ତି ନାହିଁ । ତେବେ ଗାଡିରୁ ଏହାର ମାଲିକ ଓ ଏହା କେଉଁ ରାଜ୍ୟର ଗାଡି ଜାଣିବା ପାଇଁ କିଛି ସରଳ ଉପାୟ ଆସନ୍ତୁ ଜାଣିବା ।

audi-a4-1

ନମ୍ବର ପ୍ଲେଟରେ ଲେଖାଥିବା ନମ୍ବର କଣ ସୂଚାଇଥାଏ : ଗାଡି ପଛରେ ଲାଗିଥିବା ନମ୍ବର ପ୍ଲେଟରେ ଲେଖାଥିବା ନମ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥାଏ । ନିୟମ ଅନୁଯାୟୀ, ସାଧାରଣ ନମ୍ବର ପ୍ଲେଟର ରଙ୍ଗର ଧଳା ହେବା ଆବଶ୍ୟକ ଏବଂ ଏଥିରେ କଳା ରଙ୍ଗରେ ଇଂରାଜୀ ଭାଷାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ନମ୍ବର ଲେଖିବା ଆବଶ୍ୟକ । ଗାଡିର ସମ୍ମୁଖ ଓ ପଛ ଉଭୟ ପଟରେ ନମ୍ବର ଲେଖାଯିବା ନେଇ ଆରଟିଓ ନିୟମ କରିଛି । ସେହିଭଳି ରାତି ସମୟରେ ବଡ ଗାଡି ପଛରେ ଲେଖାଥିବା ନମ୍ବର ଉପରେ ଲାଇଟ ଜଳିବା ଆବଶ୍ୟକ । ଭାରତରେ ନମ୍ବର ପ୍ଲେଟକୁ ନେଇ ଯେଉଁ ନିୟମ ପ୍ରଣୟନ ହୋଇଛି ତାହା ୧୯୯୦ ମସିହାରୁ ଆରମ୍ଭ ହୋଇଥିଲା । ଏବେ ଯେଉଁ ନମ୍ବର ଗାଡି ପଛରେ ଲେଖାଯାଉଛି ତାହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି ।

ଉଦାହରଣ ସ୍ୱରୂପ ମନେକରନ୍ତୁ ଆପଣଙ୍କ ଗାଡିର ନମ୍ବର ‘ଓଡି ୦୨ ଏବି ୫୪୨୬’ । ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଓଡି ସେହି ରାଜ୍ୟର ନାମକୁ ଇଙ୍ଗିତ କରିଥାଏ, ଯେଉଁ ରାଜ୍ୟରୁ ଆପଣ ଗାଡି କିଣିଥାନ୍ତି । ଠିକ୍ ସେହିପରି ୦୨ କୋର୍ଡ ଜିଲ୍ଲା ରେଜିଷ୍ଟ୍ରେସନ ଅଫିସକୁ ସୂଚାଇଥାଏ । ଯେଉଁ ଆରଟିଓରେ ଗାଡି ରେଜିଷ୍ଟ୍ରେସନ ହୋଇଥାଏ ତାହାର କୋର୍ଡ ଏହି ସ୍ଥାନରେ ଉଲ୍ଳେଖ ଥାଏ । ‘ଏବି’ ହେଉଛି ନମ୍ବର ରେଜିଷ୍ଟର ହେଉଥିବା ଖାତା । ଆରଟିଓ କମ୍ପ୍ୟୁଟରୀକରଣ ହେବା ପୂର୍ବରୁ ଗାଡିର ରେକର୍ଡ ଏହି ଖାତାରେ ଲେଖାଯାଉଥିଲା । ତେଣୁ ସହଜରେ କୌଣସି ଡାଟା ଖୋଜି ପାଇବା ପାଇଁ ଏଭଳି ପନ୍ଥା ଆପଣାଉଥିଲା ଆରଟିଓ । ସେହିଭଳି ୫୪୨୬ ଗାଡିର ନମ୍ବରକୁ ସୂଚାଇଥାଏ । ଅଥାର୍ତ ରେଜିଷ୍ଟରର ୫୪୨୬ ନମ୍ବର କ୍ରମାଙ୍କରେ ଆପଣଙ୍କ ଗାଡିର ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ ।

ଗାଡିର ମାଲିକଙ୍କୁ କିପରି ଚିହ୍ନିବେ : ଗାଡିର ମାଲିକଙ୍କୁ ସହଜରେ ଜାଣିବା ପାଇଁ ସରକାରଙ୍କ ତରପରୁ ବାହନ ନାମକ ଏକ ଆପ ରହିଛି । ଯେଉଁଠାରେ ପ୍ରତି ଗାଡିର ସମ୍ପୂର୍ଣ୍ଣ ତଥ୍ୟ ରହିଛି । ବାହନ ଆପ ଦ୍ୱାରା ଆପଣ ଗାଡିର ମାଲିକ କିଏ ତାହା ବେଶ ସହଜରେ ଜାଣି ପାରିବେ । ଅଚିହ୍ନା ବ୍ୟକ୍ତି ଗାଡି ଦୁର୍ଘଟଣା କରି ଯଦି ଖସି ଯାଉଥାନ୍ତି ତେବେ ଗାଡି ନମ୍ବରରୁ ହିଁ ମାଲିକର ପୂରା ତଥ୍ୟ ହାସଲ କରି ପାରିବେ । ଏହାଛଡା ଚୋରି ହୋଇଥିବା ଗାଡିର ପ୍ରକୃତ ମାଲିକଙ୍କୁ ଖୋଜିବା ପାଇଁ ଏହି ଆପ ବହୁତ ସାହାଯ୍ୟ କରିଥାଏ ।

ଗାଡିର ମାଲିକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ସରକାରଙ୍କ ତରଫରୁ ‘ପରିବହନ’ ନାମରେ ଏକ ୱେବସାଇଟ ରହିଛି । ଏହା ମାଧ୍ୟମରେ ଅନଲାଇନରେ ଆପଣ ସମସ୍ତ ତଥ୍ୟ ହାସଲ କରିପାରିବେ । ଯଦି କୌଣସି ଗାଡି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥାନ୍ତି ତେବେ ଗାଡିର ରେଜିଷ୍ଟ୍ରେସନ ଅଥାର୍ତ ଗାଡି ନମ୍ବର ସାଇଟରେ ଅପଲୋଡ କଲେ ଖୋଜୁଥିବା ଗାଡି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇ ପାରିବେ । ତେବେ ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ଆରଟିଓରେ ରେଜିଷ୍ଟର ହୋଇଥିବା ଆବଶ୍ୟକ । କାରଣ ୱେବସାଇଟରୁ ଆସିବାକୁ ଥିବା ଓଟିପି ପାସୱାର୍ଡ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ହିଁ ଆସିଥାଏ ।