ଧ୍ୟାନ ଦିଅନ୍ତୁ ମାଟ୍ରିକ ପରୀକ୍ଷାର୍ଥୀ । କେମିତି ସାହିତ୍ୟରେ ରଖିବେ ଭଲ ମାର୍କ? ପଢନ୍ତୁ, ମାଟ୍ରିକ ପରୀକ୍ଷା ଟିପ୍ସ…

225

କନକ ବ୍ୟୁରୋ: ଉଚ୍ଚଶିକ୍ଷା ପାଇଁ ମାଟ୍ରିକ ପରୀକ୍ଷାକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଏହି ପରୀକ୍ଷା ପରିଚାଳନା କରୁଥିବାରୁ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ପ୍ରବଳ ଚାପରେ ଥାନ୍ତି । ବିଶେଷ କରି ଅଭାଭାବକମାନେ ପିଲାଙ୍କଠାରୁ ଅଧିକ ଆଶା ରଖିବା, ସେମାନଙ୍କୁ ଚାପଗ୍ରସ୍ତ କରିପକାଏ । ତେଣୁ ପିଲାମାନେ କିଭଳି ମାଟ୍ରିକ ପରୀକ୍ଷାରେ ଭଲ କରିବେ ସେଥିପାଇଁ ଚାପମୁକ୍ତ ରହିବା ସର୍ବାଧିକ ଜରୁରୀ ।

  • କାଲି ମାତୃଭାଷା ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ
  • ଚାପମୁକ୍ତ ହୋଇ ପରୀକ୍ଷା ହଲକୁ ଯିବାକୁ ପରାମର୍ଶ

ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ମାତୃଭାଷା ଭଲି ବିଷୟକୁ ସ୍ଥାନିତ କରି ଚାପ କମ୍ କରିବାକୁ ପ୍ରୟାସ ହୋଇଆସୁଛି । ପ୍ରତ୍ୟେକ ବିଷୟ ମଝିରେ ୨ ଦିନ ବ୍ୟବଧାନ ମଧ୍ୟ ଦିଆଯାଇଛି । ତେବେ ଶିକ୍ଷାବିତଙ୍କ ମତରେ ସକାଳ ୮ଟା ୪୫ରେ ପ୍ରଶ୍ନପତ୍ର ପାଇବା ପରେ ଛାତ୍ରଛାତ୍ରୀଙ୍କ ପାଖରେ ୧୫ ମିନିଟର ସମୟ ରହିଛି । ତେଣୁ ପ୍ରଶ୍ନକୁ ଭଲଭାବେ ପଢି ବୁଝିବା ପରେ ଉତ୍ତର ଲେଖିବା ଉଚିତ୍ ।

ସେହିପରି ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କ ପାଖରେ ୧ ଘଣ୍ଟାର ସମୟ ରହିଛି । ଏଥିପାଇଁ ୫୦ ମାର୍କ ରହିଥିବାବେଳେ ୪ଟି ଲେଖାଏଁ ବିକଳ୍ପ ଉତ୍ତର ମଧ୍ୟ ଦିଆଯାଉଛି । ତେଣୁ ସିଲାବସ ଅନୁଯାୟୀ ଠିକ ଭାବେ ପଢିଥିଲେ ପିଲାମାନେ ଅତି ସହଜରେ ଉତ୍ତର ଲେଖିପାରିବେ ବୋଲି ଶିକ୍ଷାବିତ କହିଛନ୍ତି । ସବଜେକ୍ଟିଭ ଉତ୍ତର ପାଇଁ ଦିଆଯାଉଥିବା ଦେଢଘଣ୍ଟାର ସମୟ ମଧ୍ୟ ଯଥେଷ୍ଟ । ମାତୃଭାଷା ପରୀକ୍ଷାରେ ସୁନ୍ଦର ହସ୍ତାକ୍ଷର ଓ ବିଷୟକୁ ବୁଝି ସେହି ଅନୁସାରେ ନିର୍ଦ୍ଦିଷ୍ଟ ଉତ୍ତର ଲେଖିଲେ ଅଧିକ ନମ୍ବର ରଖିପାରିବେ ।

ମାଟ୍ରିକ ପରୀକ୍ଷା: ମାତୃଭାଷା ଟିପ୍ସ

  • ମାତୃଭାଷା ଓଡ଼ିଆରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୁଦ୍ଧ ବନାନ ଓ ସୁନ୍ଦର ଅକ୍ଷର
  • ସଂକ୍ଷିପ୍ତ ପ୍ରଶ୍ନର ଉତ୍ତରରେ ଉପଯୁକ୍ତ ବିକଳ୍ପ ବାଛିବା ଜରୁରୀ
  • ରଚନା, ପତ୍ରଲିଖନ କିମ୍ବା ଦରଖାସ୍ତ ଲେଖିବା ସମୟରେ ଉପଯୁକ୍ତ ଶବ୍ଦ ବାଛନ୍ତୁ
  • ଅନୁଚ୍ଛେଦକୁ ଭଲଭାବେ ବୁଝି ନିଜସ୍ୱ ଭାଷାରେ ଲେଖିବାକୁ ଚେଷ୍ଟା କରନ୍ତୁ

ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଜୀବନରେ ବେଶ ଗୁରୁତ୍ୱ ରଖୁଥିବାରୁ ଆମେ ଗତ ୫ ତାରିଖରୁ ବିଭିନ୍ନ ବିଷୟରେ ବଛାବଛା ଶିକ୍ଷାବିତଙ୍କୁ ନେଇ ବିଭିନ୍ନ ପରାମର୍ଶ ଦେଇଛୁ । ଏଗୁଡିକ ପିଲାଙ୍କ ପାଇଁ ବେଶ ଉପାଦେୟ ହୋଇଥିବ ବୋଲି ମତ ପ୍ରକାଶ ପାଇଛି ।