କେମିତି ପାଇବେ ଶିକ୍ଷା ଋଣ ? ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନାରେ ଋଣ ବ୍ୟବସ୍ଥା

428

କନକ ବ୍ୟୁରୋ : ୨୦ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା ଶିକ୍ଷା ଋଣ । ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଏଣିକି କଳିଙ୍ଗ ଶିକ୍ଷା ସାଥି ଯୋଜନା ବା କେଏସ୍ଏସ୍ୱାଇରେ ୨୦ଲକ୍ଷ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ଲକ୍ଷ ଟଙ୍କା ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୮ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ସର୍ବାଧିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଫଳରେ ରାଜ୍ୟରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ । ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନାର ଆର୍ଥିକ ଷ୍ଟାଣ୍ଡିଂ କମିଟି ବୈଠକରେ ସ୍କିମରେ ହେବାକୁ ଥିବା ପରିବର୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା । କେଏସଏସୱାଇ ସଂଶୋଧିତ ମାନଦଣ୍ଡ ଆଧାରରେ ବାର୍ଷିକ ଆର୍ଥିକ ଆବଶ୍ୟକତା ୭କୋଟି ଟଙ୍କାରୁ ଅଧିକ ହୋଇପାରେ । ରାଜ୍ୟ ମେଧାବୃତି ପୋର୍ଟାଲ ଜରିଆରେ କେବଳ ଏହି ସ୍କିମ କାର୍ଯ୍ୟକାରୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏବଂ ୩ବର୍ଷ ପରେ ଯୋଜନାର ମଧ୍ୟବର୍ତୀକାଳିନ ସମୀକ୍ଷା କରିବାକୁ କହିଛନ୍ତି ।

ଏଣିକି ଶିକ୍ଷା ୠଣ ୨୦ ଲକ୍ଷ

– KSSY- କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଋଣ
– ବାର୍ଷିକ ୧% ସୁଧରେ ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଋଣ ଦିଆଯାଉଛି
– ହେଲେ ଅଭିଭାବକଙ୍କ ଆୟ ସୀମା ମାତ୍ର ୬ ଲକ୍ଷର ରଖାଯାଇଥିଲା
– ଫଳରେ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ଥିଲା
– ଏହାକୁ ଦୃଷ୍ଟିରେ ରଖି ଅଭିଭାବକଙ୍କ ଆୟ ସୀମା ୮ଲକ୍ଷକୁ ବୃଦ୍ଧି
– ବାର୍ଷିକ ମାତ୍ର ୧% ସୁଧରେ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିଲା
– ଏବଂ ଏହାକୁ ୧୫ବର୍ଷ ମଧ୍ୟରେ ଶୁଝିବାର ବ୍ୟବସ୍ଥା ରହିଥିଲା
– ଏବେ ଶିକ୍ଷା ଋଣ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି
– ବିଦେଶରେ ଉଚ୍ଚଶିକ୍ଷା ପାଇଁ ଋଣ ନେଇଥିବା ଛାତ୍ରଛାତ୍ରୀ ମଧ୍ୟ ଯୋଜନାରେ ହେବେ ସାମିଲ
– ବାର୍ଷିକ ୫କୋଟି ହିସାବରେ ୫ବର୍ଷରେ ୨୫କୋଟି ଟଙ୍କା ଆବଶ୍ୟକ ପଡ଼ିବ