କନକ ବ୍ୟୁରୋ : ଜନ୍ମ ପ୍ରମାଣ ପତ୍ର ପାଇଁ ଲାଗିଛି ଧାଡି । କିଏ ଫର୍ମ ଦାଖଲ କରିବାକୁ ବ୍ୟସ୍ତ ତ ଆଉ କିଏ ପ୍ରମାଣ ପତ୍ର ପାଇବା ପାଇଁ ଅପେକ୍ଷା କରିଛନ୍ତିି । ଆଗକୁ ଏହି ଭିଡ ବଢିବ ବୋଲି ଆଶଙ୍କା କରାଯାଉଛି । କାରଣ ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣ ପତ୍ରର ବଢିଯିବ ଗୁରୁତ୍ୱ । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧିତ ଆଇନ, ଦେଶବ୍ୟାପି ଲାଗୁ ହେଲା ପରେ ଜନ୍ମ ପ୍ରମାଣର ମହତ୍ୱ ବଢିଯିବ । ପ୍ରତ୍ୟେକ ଡକ୍ୟୁମେଂଟ ଭେରିଫିକେସନ ପାଇଁ ଖୋଜାପଡିବ ଜନ୍ମ ପ୍ରମାଣ ପତ୍ର । ତେବେ ଏହାକୁ କିପରି ଆବେଦନ କରିବେ ସେନେଇ ରାଜ୍ୟସରକାର ବି ପ୍ରସ୍ତୁତି ଆରମ୍ଭ କରିଛି ।

Advertisment

ନୂଆ ନିୟମ ଅନୁଯାୟୀ ସ୍କୁଲରେ ନାମ ଲେଖାଇବା ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ବିବାହ ପଞ୍ଜିକରଣ , ସରକାରୀ ନିଯୁକ୍ତି ସହ ପାସପୋର୍ଟ ତିଆରି କରିବା ପାଇଁ ଏକକ ପରିଚୟ ପତ୍ର ଭାବେ ଜନ୍ମ ପ୍ରମାଣ ପତ୍ରକୁ ଦସ୍ତାବିଜ ଭାବେ ବ୍ୟବହାର କରାଯିବ । ତେବେ ଏହାକୁ ଆବେଦନ କରିବା ପାଇଁ ଗ୍ରାମାଂଚଳର ଆବେଦନକାରୀ ସରପଂଚଙ୍କ ଠାରୁ ଏକ ଲେଖା ନେଇ ସ୍ଥାନୀୟ ଗୋଷ୍ଠି ସ୍ଥାସ୍ଥ୍ୟ କେନ୍ଦ୍ରରେ ଆବେଦନ କରିବେ । ଡାକ୍ତରଖାନାରେ ଆବେଦନକାରୀଙ୍କର କୌଣସି ତଥ୍ୟ ନଥିଲେ ମେଡିକାଲ ଅଫିସର ଆବେଦନକାରୀଙ୍କୁ ନନ ଆଭଲେବିଲିଟି ଅଫ ସାର୍ଟିଫିକେଟ ଦେବେ । ଏହାକୁ ନେଇ ସ୍ଥାନୀୟ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ପାଖରେ ଦାଖଲ କରିବେ ଆବେଦନକାରୀ । ଏହାପରେ ଯାଂଚ କରାଯିବ ଯେ ଆବେଦନକାରୀ ଜଣକ ସଠିକ ତଥ୍ୟ ଦେଇଛନ୍ତି ନା ନାହିଁ । ସଠିକ ତଥ୍ୟ ମିଳିଲେ ମେଡିକାଲ ଅଫିସର ଆବେଦନକାରୀଙ୍କୁ ଦେବେ ଜନ୍ମ ପ୍ରମାଣ ପତ୍ର । ତେବେ ଏହି ପ୍ରକ୍ରିୟା ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

୨୦୨୩ ମୌସୁମି ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ବିଲ ଅକ୍ଟୋବର ୧ ତାରିଖରୁ ଆଇନ ଭାବେ ଲାଗୁ ହେବାକୁ ଯାଉଛି । ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ବି ମିଳିସାରିଛି ।