କନକ ବ୍ୟୁରୋ: ଘରେ ଘରେ ଆଖି ଧରା ସମସ୍ୟାକୁ ନେଇ ଚିନ୍ତାରେ ଲୋକେ । ଜଣଙ୍କର ଆଖି ଧରିବାର କିଛି ଦିନ ପରେ ଆଉ ଜଣଙ୍କ ଆଖି ଧରି ଦେଉଛି । ଏମିତି ରାଜ୍ୟର ବିଭିନ୍ନ ସ୍ଥାନରେ ଆଖିଧରା ରୋଗର ଚିତ୍ର ସବୁ ଆସିବାରେ ଲାଗିଛି । ବିଶେଷ କରି ସ୍କୁଲ ପାଲଟିଛି ଆଖିଧରାର ହଟସ୍ପଟ । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯାଉଛି । ଏହାପରେ ଆଖି ଫୁଲିଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।

Advertisment

ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରାମକ ରୋଗ ତେଣୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଆପଣଙ୍କ ଆଖି ଧରିଲେ କ’ଣ କରିବେ? କିମ୍ବା କ’ଣ କରିବେ ନାହିଁ ତାକୁ ନେଇ ଅନେକଙ୍କ ମନରେ ସନ୍ଦେହ ରହିଛି ।

ଆଖି ଧରା: କେମିତି କରିବେ ପ୍ରତିକାର?

  • ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରୁନ୍ତୁ ନାହିଁ
  • ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ
  • ନିଜର ଚଷମା ନିୟମିତ ସଫା କରନ୍ତୁ
  • ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
  • କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ
  • ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
  • ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ
  • ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ
  • ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ
  • ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାପର୍ଶ ନିଅନ୍ତୁ