କନକ ବ୍ୟୁରୋ : ମୋବାଇଲ ଫୋନକୁ ମଇଳା ଦାଉରୁ ରକ୍ଷା କରିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ ଫୋନର କଭର । ବଜାରରେ ନୂଆ ନୂଆ ଡିଜାଇନର କଭରମାନ ଉପଲବ୍ଧ ହେଉଛି । ଏବେ ତ ରାଜଧାନୀ ହେଉ ବା ଅନ୍ୟ ସହର ସବୁଠି ମୋବାଇଲ କଭର ସୁଲଭ ଦରରେ ମିଳୁଛି । କିଏ କଭରରେ ନିଜର ଫଟୋ ରଖୁଛି ତ ଆଉ କିଏ କଣ୍ଢେଇ ଫଟୋ ରଖୁଛି । ଏମିତିକି ପୁଅ ପିଲା ଏବଂ ଝିଅମାନଙ୍କ ପାଇଁ ମୋବାଇଲ କଭର ମଧ୍ୟ ଭିନ୍ନ ଭିନ୍ନ ଭେରାଇଟର ଆସୁଛି । ଲୋକମାନେ ମୋବାଇଲ କଭର ଟିକେ ମଇଳା ହୋଇଗଲେ ଏହାକୁ ବଦଳାଇ ଦେଇଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି, ଏହି କଭରକୁ କିଭଳିଭାବେ ଘରୋଇ ଉପାୟରେ ସଫା କରାଯାଇପାରିବ? ତେବେ ଆସନ୍ତୁ ଜାଣିବା କାହିଁକି ଫୋନ କଭର ମଇଳା ହୁଏ ଏବଂ କିଭଳିଭାବେ ସହଜ ଉପାୟରେ ସଫା କରିହେବ?

Advertisment

ମୁଖ୍ୟତଃ ଆମେ ସବୁବେଳେ ମୋବାଇଲକୁ ନିଜର ପକେଟରେ ରଖି ନଥାଉ । ବେଳେ ବେଳେ ମୋବାଇଲ ଫୋନକୁ ଅଫିସର ଟେବୁଲ ଉପରେ ରଖିଥାଉ । ଆଉ ଖାଇବାବେଳେ ମଧ୍ୟ ଡାଇନିଙ୍ଗ ଟେବୁଲ ଉପରେ ରଖିଥାଉ । କେହି କେହି ବାଥରୁମକୁ ମଧ୍ୟ ମୋବାଇଲକୁ ନେବାର ଅଭ୍ୟାସ ରଖିଥାନ୍ତି । ତେବେ ଆମେ ରଖୁଥିବା ସ୍ଥାନଗୁଡ଼ିକରୁ ମଇଳା କଭରରେ ଲାଗିଥାଏ ଆଉ ଏହା ଅପରିସ୍କାର ଦେଖାଯାଇଥାଏ । କେତେକଙ୍କ ଧଳା ମୋବାଇଲ କଭର ହଳଦିଆ ଏବଂ କଳା ପଡ଼ିଥିବା ଆପଣ ଦେଖିବାକୁ ପାଇଥିବେ । ତେବେ କଭରକୁ ସଫା କରି ଚକଚକ କରିବା ଅନେକ ସହଜ ଉପାୟମାନ ରହିଛି । ମନେ ରଖିବେ କି, ଫୋନ କଭର ସଫା କରିବାବେଳେ ସବୁବେଳେ ମୋବାଇଲରୁ କଭରକୁ ବାହାର କରିଦେବେ । ଏହାପରେ କେବଳ କଭରକୁ ଭଲଭାବେ ସଫା କରିବେ । ନଚେତ ପାଣି ଆପଣଙ୍କ ମୋବାଇଲରେ ପଶିବାଦ୍ୱାରା ଖରାପ ହୋଇଯାଇଥାଏ ।

ଅନେକ ସମୟରେ ଲୋକେ ସର୍ଫପାଣି ଏବଂ ସାବୁନରେ ମୋବାଇଲ କଭରକୁ ସଫା କରିଥାନ୍ତି । ତେବେ ସାବୁନ ଏବଂ ସର୍ଫପାଣିରେ ସବୁ ମେଟେରିଆଲର କଭର ସଫା ହୋଇନଥାଏ । ଅଧିକାଂଶ ସମୟରେ ଏମିତି ସଫା କରିବା ଦ୍ୱାରା କଭର ଗୁଡ଼ିକ କମ ଦିନରେ ନଷ୍ଟ ହୋଇଯାଏ ।

ସାନିଟାଇଜର: ଫୋନ କଭର ସଫା କରିବା ଲାଗି ଆପଣମାନେ ସାନିଟାଇଜରର ବ୍ୟବହାର କରିପାରିବେ । କଭରରେ ସାନିଟାଇଜର ଲଗାଇ ସଫା କପଡ଼ାରେ ଭଲଭାବେ ସଫା କରିବା ଦ୍ୱାରା ନୂଆଭଳି ଦେଖାଯାଇଥାଏ । ବ୍ରସ ସାହାଯ୍ୟରେ ମୁଖ୍ୟତଃ ସଫା କରିବା ଦ୍ୱାରା ମଇଳା ଶୀଘ୍ର ଦୂରେଇ ଯାଇଥାଏ ।

ଖାଇବା ସୋଢ଼ା: ସିଲିକନ ଏବଂ ରବରବାଲା ଫୋନ କଭରକୁ ଆପଣମାନେ ଖାଇବା ସୋଢ଼ା ବ୍ୟବହାର କରି ସଫା କରିପାରିବେ । ମୁଖ୍ୟତଃ ଫୋନରେ ଲାଗିଥିବା ଦାଗକୁ ସୋଢ଼ା ଭଲଭାବେ ସଫା କରିଥାଏ । ଫୋନକୁ ସଫା କପଡ଼ାରେ ପୋଛିବା ପରେ ଆପଣ ଯଦି ପୁଣିଥରେ ତୁଳା ସାହାର୍ଯ୍ୟ ପୋଛନ୍ତି ଫୋନର ମଇଳା ଛାଡ଼ିଯାଇଥାଏ । ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍ ।