କିପରି ହେବ ଓଡ଼ିଶା ନିର୍ମାଣ ! ମତ ରଖିଲେ ୩ ରାଜନୈତିକ ଦଳର ବରିଷ୍ଠ ନେତା ।

ଓଡ଼ିଶା ନିର୍ମାଣ କିପରି କରିହେବ ? ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ପ୍ରମୁଖ ନେତାମାନେ ନିଜର ମତ ରଖିଛନ୍ତି ।

147

କନକ ବ୍ୟୁରୋ : ଓଡ଼ିଶା ନିର୍ମାଣ ଦାୟିତ୍ୱ ନେଇ ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ନିର୍ମାଣ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ମାଟି, ମା’ ଓ ମଣିଷକୁ ଭଲପାଉଥିବା ମଣିଷ । ଓଡ଼ିଶାର ଭାଷା ସଂସ୍କୃତି ଓ ଐତିହ୍ୟକୁ ବୁଝିବା ଦରକାର । ସାଧାରଣ ମଣିଷର ସ୍ୱପ୍ନ ସହ ନିଜକୁ ସାମିଲ କରିବା ପାଇଁ ପଡ଼ିବ । ଏବେ ଶିକ୍ଷା, ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି । ଜଳସେଚନ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ହେଲେ ରାଜ୍ୟରେ ଆଜିଯାଏ ମାତ୍ର ୩୨ ପ୍ରତିଶତ ଜମିରେ ଜଳସେଚନ ହୋଇଛି । ଓଡ଼ିଶାର ବିକାଶ ପାଇଁ କୃଷିର ବିକାଶ ନିହାତି ଆବଶ୍ୟକ । କୃଷିର ବକାଶ ନହେଲେ ରାଜ୍ୟର ବିକାଶ ହେବା ଅସମ୍ଭବ । ଅନ୍ୟପଟେ ରାଜ୍ୟରେ ଯର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନାହିଁ । ସରକାର ଶୀତଳ ଭଣ୍ଡାର ପାଇଁ ଘୋଷଣା ପରେ ଘୋଷଣା କରିଚାଲିଛନ୍ତି । ହେଲେ କିଛି ହୋଇପାରୁନାହିଁ । ନିଯୁକ୍ତି, କୃଷି, ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ପ୍ରଯତ୍ନ କରିବା ଦରକାର ।

ସେହିପରି ଓଡ଼ିଶା ନିର୍ମାଣ କ୍ଷେତ୍ରରେ କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ସେନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି । କହିଛନ୍ତି ଯେ, ଆଦି ଅନାଦି କାଳରୁ ଚାଲିଆସୁଥିବା ଭୁଲ ନିଷ୍ପତିର ନିରାକରଣ ନହେଲେ ଓଡ଼ିଶା ନିର୍ମାଣ ସମ୍ଭବ ନୁହେଁ । ଯେପରିକି ବିଶ୍ୱର ଏକ ମାତ୍ର ମନ୍ଦିର ୧୨ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି । କିନ୍ତୁ ବର୍ତ୍ତମାନ କିଛି ଇଂଜିନିୟରଙ୍କ ଡ଼ିଜାଇନ୍ ଏବଂ ଭୁଲ ନିଷ୍ପତି ଯୋଗୁଁ କୋଣାର୍କ ମନ୍ଦିରର ଏଭଳି ଅବସ୍ଥା । ତେଣୁ ପ୍ରଥମେ ଓଡ଼ିଶା କ’ଣ ଜାଣିବା ଦରକାର । ୧୯୩୬ ମସିହାରେ ଯେତେବେଳେ ଓଡ଼ିଶାକୁ ଗୋଟେ ରାଜ୍ୟର ମାନ୍ୟତା ମିଳିଲା ତା’ପରଠାରୁ ଲୋକଙ୍କ ଆର୍ଥିକ ବ୍ୟବସ୍ଥାରେ କିପରି ସୁଧାର ଆସିବ ସେନେଇ ଚିନ୍ତାକରାଗଲା । କିନ୍ତୁ ଏବେ ଯୋଜନା ପରେ ଯୋଜନା ହେଉଛି ଫଳ ମିଳୁନି । ପ୍ରଥମେ ଯୁବ ଶକ୍ତି ଓ ଚାଷକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହା ହିଁ କଲେ ଓଡ଼ିଶା ନିର୍ମାଣ ହୋଇପାରିବ ବୋଲି କହିଛନ୍ତି ପିସିସି ସଭାପତି ।

ଅପରପକ୍ଷେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ପ୍ରଥମେ ଜାଣିବା ଦରକାର ଓଡ଼ିଶାର ସ୍ଥିତି କ’ଣ ରହିଛି । ୧୯୩୬ ମସିହାରେ ଯେତେବେଳେ ଓଡ଼ିଶାକୁ ଏକ ରାଜ୍ୟର ମାନ୍ୟତା ମିଳିଲା ଏହାପରେ ଏକ ସ୍ୱର୍ଣ୍ଣିମ ଓଡ଼ିଶା ଗଢ଼ିବା ପାଇଁ ସମସ୍ତେ ଉଦ୍ୟମ ଚଳାଇଲେ । ସ୍ୱାଧିନତା ପରେ ପରେ ରାଜ୍ୟର ବଜେଟ୍ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ୮୭ କୋଟି ଟଙ୍କାରେ ଥିଲା ଯାହା ବର୍ତ୍ତମାନ ୧ଲକ୍ଷ ୩୨ ହଜାର କୋଟି ଟଙ୍କାରେ ପହଁଚିଲାଣି । ରାଜ୍ୟର ଅଭିବୃଦ୍ଧି ବା ଗ୍ରୋଥ୍ ରେଟ୍ ଭାରତ ବର୍ଷର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ । ଓଡ଼ିଶା ନିର୍ମାଣ ରାଜ୍ୟର କୃଷକ ଓ ଯୁବକମାନଙ୍କୁ ନେଇ ହିଁ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମତ ରଖିଛନ୍ତି ।