ନୂଆବର୍ଷରେ ଆସିବ ନୂଆ ଭୋଟର ତାଲିକା । ଜାଣନ୍ତୁ ଭୋଟର ତାଲିକାରେ ସାମିଲ ହେବାକୁ କେମିତି କରିବେ ଆବେଦନ ଓ ଦେବାକୁ ପଡିବ କେଉଁ ପ୍ରମାଣପତ୍ର ।

467

କନକ ବ୍ୟୁରୋ : ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପାଇଁ କରିପାରିବେ ଆବେଦନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ମଧ୍ୟରେ କରିପାରିବେ ଆବେଦନ । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, ଭୋଟର କାର୍ଡରେ କୌଣସି ଭୁଲ ଥିଲେ ସଂଶୋଧନ କରିବା କିମ୍ବା ଭୋଟର ତାଲିକାରୁ ନିଜ ନାଁକୁ ବାଦ୍ ଦେବା ପାଇଁ କରିପାରିବେ ଆବେଦନ । ଫଟୋ ପୁରୁଣା ହୋଇଥିଲେ, ନାଁ ଭୁଲ ହୋଇଥିଲେ କିମ୍ବା ଠିକଣା ପରିବର୍ତ୍ତନ କରିଥିଲେ ଆବେଦନ କରିପାରିବେ ।

ଚଳିତ ଥର ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ ହେଉଛି । ଅଫଲାଇନରେ ଆବେଦନ କରିବାକୁ ବୁଥ୍ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ । ଫର୍ମରେ ଫଟୋ, ଜନ୍ମ ପ୍ରମାଣମପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦେଇ କରିପାରିବେ ଆବେଦନ । ସେହିଭଳି ନାଁ ବାଦ ଦେବାକୁ ଚାହିଁଥିଲେ ମଧ୍ୟ ସମାନ ଫର୍ମରେ କରିପାରିବେ ଆବେଦନ । ସଂଶୋଧନ ପାଇଁ ମଧ୍ୟ ସମାନ ଉପାୟ ଆପଣାଇପାରିବେ ।

ଅନଲାଇନରେ ୱେବସାଇଟରେ ମଧ୍ୟ କ୍ଲିକ୍ କରି ଆବେଦନ କରିପାରିବେ । ଭୋଟର ହେଲ୍ପଲାଇନ ମୋବାଇଲ ଆପରେ ମଧ୍ୟ କରିପାରିବେ ଆବେଦନ । ୧୫ ଡିସେମ୍ବର ଯାଏଁ ଆବେଦନ ହେବାକୁ ଥିବା ବେଳେ, ୧୫ ଡିସେମ୍ବରରୁ ୫ ଜାନୁଆରୀ ଯାଏଁ ଆବେଦନପତ୍ରର ଯାଞ୍ଚ କରାଯିବ । ଯାଞ୍ଚ ପରେ ଆସନ୍ତା ୧୫ ଜାନୁଆରୀରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ହେଉଥିଲେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।