କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହା ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ସାହାରା ଜମାକାରୀ ନିଜର ଟଙ୍କା ଫେରସ୍ତ ପାଇପାରିବେ । ଦେଶରେ ଲକ୍ଷାଧିକ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫଶିକି ରହିଛି । ତେବେ ଏହି ପୋର୍ଟାଲ ଜରିଆରେ ଏବେ ନିବେଶ ହୋଇଥିବା ଟଙ୍କା ଫେରି ପାଇବାକୁ ଆଶା ବାନ୍ଧି ବସିଛନ୍ତି ଜମାକାରୀ । ଏନେଇ ଶାହ କହିଛନ୍ତି, ଯେଉଁ ଜମାକାରୀଙ୍କ ଟଙ୍କା ବର୍ଷ ବର୍ଷ ଧରି ଫଶି ରହିଥିଲା ସେମାନଙ୍କୁ ଟଙ୍କା ଫେରସ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୪ କୋଟି ଲୋକ ଉପକୃତ ହେବେ । ରିଫଣ୍ଡ ପୋର୍ଟାଲ ଜରିଆରେ ୫୦୦୦ କୋଟି ଟଙ୍କା ଜମାକାରୀଙ୍କୁ ମିଳିବ । ଯେଉଁମାନେ ନିବେଶ କରିଛନ୍ତି ସେମାନଙ୍କ ଟଙ୍କା କେହି ଅଟକାଇ ପାରିବେନି । ସବୁଠୁ ବଡ କଥା ହେଲା, ଫେରସ୍ତ ଟଙ୍କାରେ ପାରଦର୍ଶିତା ସବୁଠୁ ବଡ ମାପଦଣ୍ଡ ରହିବ ।

Advertisment

ଏହି ରିଫଣ୍ଡ ପୋର୍ଟାଲ ଜରିଆରେ ପ୍ରଥମେ ସେହି ଜମାକାରୀଙ୍କ ଟଙ୍କା ମିଳିବ ଯେଉଁମାନଙ୍କର ନିବେଶର ଅବଧି ଶେଷ ହୋଇ ସାରିଛି । ଏହି ପୋର୍ଟାଲରେ ନିବେଶକ ପ୍ରଥମେ ନିଜ ନାଁ ପଞ୍ଜିକରଣ କରିବେ ଏବଂ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦେବେ । ଯାଞ୍ଚ ପରେ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହି ଯାଞ୍ଚ ପ୍ରକ୍ରିୟା ୩୦ ଦିନ ମଧ୍ୟରେ ଶେଷ ହେବ । ଏହାପରେ ଅନଲାଇନ ଜରିଆରେ ଟଙ୍କା ଉଠାଣ ପାଇଁ ଏସଏମଏସ ଜରିଆରେ ୧୫ ଦିନ ମଧ୍ୟରେ ସୂଚିତ କରାଯିବ । ଏହାପରେ ବ୍ୟାଙ୍କ ଖାତାକୁ ନିବେଶ ରାଶି ଆସିଯିବ । ଅଥାର୍ତ ଏହି ପ୍ରକ୍ରିୟା ପାଇଁ ଆବେଦନ କରିବା ପରେ ଜମାକାରୀଙ୍କୁ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ରିଫଣ୍ଡ ପୋର୍ଟାଲ ଲଞ୍ଚ ହେବା ପରେ ସାହାରାରେ ନିବେଶ କରିଥିବା ୧୦ କୋଟି ଜମାକାରୀଙ୍କ ମୁହଁରେ ହସ ଫୁଟୁଛି ।