ଉତ୍ତରକାଶୀ ନିର୍ମାଣଧୀନ ଟନେଲର ମାଟି ଅତଡ଼ା କେମିତି ଧସିଲା: ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହେଲା ୬ଜଣିଆ ବିଶେଷଜ୍ଞ କମିଟି
କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଆରମ୍ଭ ହେଲା ଅନୁସନ୍ଧାନ । ଭୁଶୁଡ଼ିବା କାରଣ ଅନୁସନ୍ଧାନ ପାଇଁ ଉତରାଖଣ୍ଡ ସରକାର ଗଠନ କଲେ ୬ ଜଣିଆ ବିଶେଷଜ୍ଞ କମିଟି । ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଯାଂଚ କରିବ । ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ । କନକ ନ୍ୟୁଜକୁ ସୂଚନା ଦେଲେ ଉତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି, ୨୬ରୁ ୩୦ ଘଂଟା ଭିତରେ ଫଶିଥିବା ଶ୍ରମିକ ଉଦ୍ଧାର ହେବେ ବୋଲି କହିଛନ୍ତି । ୪୮ ଘଂଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି । ରବିବାର ମାଟି ଅତଡା ଭୁଷୁଡି ପଡିବାରୁ ନିର୍ମାଣଧିନ ଟନେଲରେ ଫସି ଯାଇଥିଲେ ଶ୍ରମିକମାନେ । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜାରି ରହିଛି ପ୍ରୟାସ । ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଓଡିଆ । ଓଡିଶା ସମେତ ଉତରପ୍ରଦେଶ, ହିମାଚଳ, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡର ଶ୍ରମିକ ଅଛନ୍ତି । ସେମାନଙ୍କୁ ଗତକାଲି ଠାରୁ ପାଇପ୍ ଯୋଗେ ଅକ୍ସିଜେନ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଏଥିସହ ୱାକି ଟକି ସାହାଯ୍ୟରେ ବି ଶ୍ରମିକଙ୍କ ସହ ଆଲୋଚନା କରାଯାଉଛି ।