ସ୍ଥଗିତ ରହିଲା ଆଇପିଏଲ…କିନ୍ତୁ କେମିତି ନିଜ ଦେଶକୁ ଫେରିବେ ବିଦେଶୀ ଖେଳାଳୀ ? ଦେଖନ୍ତୁ କରୋନା ପାଇଁ କେଉଁ ଦେଶରେ କ’ଣ ରହିଛି ନିୟମ ।

356

କନକ ବ୍ୟୁରୋ : ଆଇପିଏଲ-୨୦୨୧ରେ ଅଂଶଗ୍ରହଣ କରିଥିବା କିଛି ଦଳର ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିସିସିଆଇ ଶେଷରେ ବାଧ୍ୟହୋଇ ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖିଛି । ତେବେ ମ୍ୟାଚ ସ୍ଥଗିତ ହୋଇଥିବାବେଳେ ବିଦେଶୀ ଖେଳାଳିମାନେ କିଭଳି ନିଜ ଦେଶକୁ ଫେରିବେ ସେ ନେଇ ବିସିସିଆଇ ମୁଣ୍ଡରେ ଚିନ୍ତା ପଶିଛି । କାରଣ ୧୪ ଅଷ୍ଟ୍ରେଲୀୟ, ୧୦ ନ୍ୟୁଜିଲାଣ୍ଡ ଏବଂ ୧୧ ଇଂଲଣ୍ଡ ଖେଳାଳି ଭାରତରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ୧୧, ୱେଷ୍ଟଇଣ୍ଡିଜ୍‌ର ୯, ଆଫ୍‌ଗାନିସ୍ତାନର ୩ ଏବଂ ବାଂଲାଦେଶର ୨ ଖେଳାଳି ଆଇପିଏଲ୍‌ ଖେଳିବାକୁ ଆସିଥିଲେ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସ୍ପଷ୍ଟ ଭାବେ କହିଛି ଯେ ଭାରତରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବ ନାହିଁ । କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲୀୟ କ୍ରିକେଟ୍ ଆସୋସିଏସନ୍ ମିଳିତ ବିବୃତ୍ତିରେ କହିଛନ୍ତି ଯେ ମେ ୧୫ ପର୍ଯ୍ୟନ୍ତ ଭାରତରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେ ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ​​ବିମାନର ବ୍ୟବସ୍ଥା କରିବାକୁ ବିସିସିଆଇ ଯୋଜନା କରୁଛି । ଭାରତରେ କୋଭିଡ -୧୯ ର ମାମଲା ବଢୁଥିବା ଯୋଗୁଁ ଅଷ୍ଟ୍ରେଲିଆ ଖେଳାଳିମାନେ ଘରକୁ ଫେରିବା ପୂର୍ବରୁ ମାଲଦ୍ୱୀପ କିମ୍ବା ଶ୍ରୀଲଙ୍କାରେ ରହିବେ ବୋଲି ଆଶା କରାଯାଉଛି । ତେବେ ନଜର ପକାନ୍ତୁ କେଉଁ ଦେଶ ଯାତ୍ରା ବାବଦରେ କଣ ସବୁ ପ୍ରତିବନ୍ଧକ ଜାରି କରିଛନ୍ତି ।

ଅଷ୍ଟ୍ରେଲିଆ: ମେ ୩ ରୁ ମେ ୧୪ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି । ଯେଉଁ ଯାତ୍ରୀମାନେ ଏହି ନିଷେଧାଦେଶକୁ ଭାଙ୍ଗିବେ କିମ୍ବା ଅନ୍ୟ କୌଣସି ଦେଶ ଦେଇ ଗୁପ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିବେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।

ଇଂଲଣ୍ଡ: ବ୍ରିଟେନ ସରକାର କେବଳ ଏହାର ନାଗରିକମାନଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି । ଅବଶ୍ୟ, ଇଂଲଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ୧୦ ଦିନ ପାଇଁ ଆଇସୋଲେସନରେ ରହିବାକୁ ପଡିବ । ଇଂଲଣ୍ଡକୁ ବିମାନରେ ଯିବା ପୂର୍ବରୁ ଖେଳାଳିମାନଙ୍କୁ ଦୁଇଥର କୋଭିଡ -୧୯ ଟେଷ୍ଟରେ ନେଗେଟିଭ ରିପୋର୍ଟ ଦେଖେଇବାକୁ ପଡିବ । ତେବେ ଇଂଲଣ୍ଡର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ବୁଧବାର ଦିନ ଫେରିଯାଇଛନ୍ତି । ମୋର୍ଗାନ୍, ଡେଭିଡ ମାଲାନ ଏବଂ କ୍ରିସ ଜୋର୍ଡାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବେ ବୋଲି ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ: ଏଠାରେ ସରକାର ଇଂଲଣ୍ଡ ଭଳି ନିୟମ ଲାଗୁ କରିଛନ୍ତି । କେବଳ ନ୍ୟୁଜିଲାଣ୍ଡର ବାସିନ୍ଦାମାନେ ଭାରତରୁ ଦେଶକୁ ଫେରିପାରିବେ । କିୱି ଖେଳାଳୀଙ୍କୁ ୧୪ ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ ।

ଦକ୍ଷିଣ ଆଫ୍ରିକା: ଭାରତରୁ ଆସୁଥିବା ବିମାନ ଉପରେ ସରକାର କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି । ଖେଳାଳିମାନେ ବିନା କଟକଣରେ ଘରକୁ ଫେରିପାରିବେ ।

ବାଂଲାଦେଶ: ଭାରତରୁ କେହି ବିମାନରେ ବାଂଲାଦେଶ ଯାଇପାରିବେ ନାହିଁ କିନ୍ତୁ ରାସ୍ତାରେ ଯାତ୍ରା କରିପାରିବେ । ଯିଏ ଭାରତରୁ ବାଂଲାଦେଶରେ ପହଞ୍ଚିବ ତାଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରହିବାକୁ ପଡିବ ।

Comments are closed.