ସ୍ତ୍ରୀଙ୍କୁ “ଧନ” ଡାକି ଧରାପଡିଲେ ରାଜଧାନୀର ସ୍ୱିଗି ବୟ । ନିଜକୁ ନିଜେ କରିଥିଲେ ଅପହରଣ । ପ୍ରେମିକା ସହ ଧରିପଡିଲେ ମଧ୍ୟପ୍ରଦେଶରୁ …

1,695

କନକ ବ୍ୟୁରୋ: ରାଜଧାନୀରେ ସ୍ୱିଗି ବୟଙ୍କ ଅପହରଣ କାହାଣୀ ଯେତିକି ଚର୍ଚ୍ଚା ସୃଷ୍ଟି କରିନଥିଲା, ଏବେ ତାଙ୍କର ଅପହରଣ ପଛର ସତ ସମସ୍ତଙ୍କୁ ତା’ଠୁ ଅଧିକ ଆଶ୍ଚଯ୍ୟ କରିଛି । ଆଉ କେହି ଦୁବୃର୍ତ୍ତ ନୁହେଁ, ବରଂ ନିଜକୁ ନିଜେ କିଡନାପ୍ କରିଥିଲେ ସ୍ୱିଗି ବୟ ପତିତପାବନ ପୃଷ୍ଟି । ଆଉ ଏହା ପଛର କାରଣ ଥିଲା ପ୍ରେମ ।

ଗତ ୧୧ ତାରିଖ ଦିନ ଡେଲିଭରି ବୟ ପତିତପାବନ ହଠାତ୍ ନିଖୋଜ୍ ହୋଇଯାଇଥିଲେ । ତାଙ୍କୁ କିଛି ଲୋକ ଅପହରଣ କରି ନେଇଯାଇଥିବା ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ସୂଚନା ଦେଇଥିଲେ । ଆଉ କହିଥିଲେ, “ଧନ, ଭାଇକି କହ…ଏଠିକି ଆସିବ । ମୋତେ କିଛି ଲୋକ ଛୁରୀ ଭୁଷିଦେଇଛନ୍ତି , ଉତ୍ତରା ପାଖରେ.. ଆଉ ତାଙ୍କୁ ଡାଲା ଅଟୋରେ ପକାଇ ନେଇଯାଉଛନ୍ତି ।”

ବାସ୍ ଏତିକି କଥା ପରେ ଫୋନ୍ କଟିଯାଇଥିଲା । ଆଉ ସ୍ୱାମୀଙ୍କ ଏଭଳି ଖବର ପାଇବା ପରେ ସ୍ତ୍ରୀ ଓ ପରିବାର ଲୋକ ପତିତପାବନଙ୍କୁ ଖୋଜିବାକୁ ଲାଗିଥିଲେ । ଖବର ପୋଲିସ ପାଖରେ ମଧ୍ୟ ପହଞ୍ଚିଥିଲା, ଆଉ ପତିତପାବନଙ୍କୁ ଖୋଜିବାକୁ ତନାଘନା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ଏହି ସମୟରେ ଲିଙ୍ଗିପୁର ନିକଟରୁ ପତିତପାବନଙ୍କ ଚପଲ ସହ ଏକ ଛୁରୀ ଜବତ କରିଥିଲା ପୋଲିସ । ଏହାପରେ ତଦନ୍ତ ପ୍ରକ୍ରିୟାକୁ ଜୋରସୋର କରିଥିଲା କମିଶନରେଟ୍ ପୋଲିସ ।

ପୋଲିସର ତଦନ୍ତ ପରେ ସ୍ୱିଗି ବୟଙ୍କ ଅପହରଣ ପଛର ସତ କାହାଣୀ ସାମ୍ନାକୁ ଆସିଥିଲା । ଆଉ କେହିଁ ନୁହେଁ, ବରଂ ନିଜକୁ ନିଜେ କିଡନାପ୍ କରିଥିଲେ ପତିତପାବନ ପୃଷ୍ଟି । ଆଉ ନିଜ ପ୍ରେମିକାଙ୍କୁ ନେଇ ଫେରାର୍ ହୋଇଯାଇଥିଲେ ମଧ୍ୟପ୍ରଦେଶ । ତେବେ ସିସିଟିଭ୍ ଫୁଟେଜରୁ ସୁରାକ୍ ପାଇବା ପରେ ଏବେ ପତିତପାବନଙ୍କ ସହିତ ତାଙ୍କ ପ୍ରେମିକାଙ୍କୁ ଓଡିଶା ଆଣିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ।

ପତିତପାବନଙ୍କ ପାଖରେ କେମିତି ପହଞ୍ଚିଲା ପୋଲିସ?

ପତିତପାବନ ତାଙ୍କ ସ୍ତ୍ରୀଙ୍କ ପାଖକୁ କରିଥିବା ଫୋନରୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ଫୋନ ରେକର୍ଡରେ ପତିତପାବନ ତାଙ୍କ ସ୍ତ୍ରୀଙ୍କୁ ଧନ ବୋଲି କହିଥିଲେ । ଯାହାକୁ ନେଇ ସନ୍ଦେହ ବଢିଥିଲା । ଯଦି ଜଣେ ବ୍ୟକ୍ତି ଛୁରାମାଡର ଶିକାର ହୋଇଥିଲେ, ତାଙ୍କର ଧନ ଶବ୍ଦ ଉଚ୍ଚାରଣକୁ ନେଇ ପୋଲିସର ସନ୍ଦେହ ବଢିଥିଲା ।

ସେହିପରି ମେସେଜ୍ ପଠାଇଥିବା ଲୋକେସନ ଓ ସୁଇଚ୍ ଅଫ୍ ସ୍ଥାନ ମଧ୍ୟ ଅଲଗା ଅଲଗା ରହିଥିଲା । ଖାଲି ସେତିକି ନୁହେଁ, କୌଣସି ଅପହରଣକାରୀ ଅପହୃତକୁ କେବେ ଡାଲା ଅଟୋରେ ନିଅନ୍ତି ନାହିଁ । ହେଲେ ଫୋନ କଲରେ ପତିତପାବନ ତାଙ୍କ ସ୍ତ୍ରୀଙ୍କୁ ଡାଲା ଅଟୋ ବାବଦରେ ସୂଚନା ଦେଇଥିଲେ । ଏହି ସବୁ କାରଣକୁ ନେଇ ପୋଲିସର ସନ୍ଦେହ ବଢିବା ସହିତ ତଦନ୍ତ ଆଗେଇଥିଲା । ଏହାପରେ ରେଳଷ୍ଟେସନର ସିସିଟିଭି ଫୁଟେଜରୁ ସବୁ ସତ ସାମ୍ନାକୁ ଚାଲିଆସିଥିଲା । ମଧ୍ୟପ୍ରଦେସ ଟ୍ରେନରେ ଚଢିଥିବାର ପ୍ରମାଣ ପାଇବା ପରେ କମିଶନରେଟ୍ ପୋଲିସ ଆରପିଏଫ ସହାୟତାରେ ଉଭୟ ପତିତପାବନ ଓ ତାଙ୍କ ପ୍ରେମିକାଙ୍କୁ ଗିରଫ ଓଡିଶା ଆଣିଛି ।

ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପତିତପାବନଙ୍କ ସହିତ ଫେରାର୍ ହୋଇଥିବା ତାଙ୍କ ପ୍ରମିକାଙ୍କ ନିଖୋଜ୍ ଖବର ମଧ୍ୟ ପୁରୀ ଗୋପ ଥାନାରେ ରହିଥିଲା । ଝିଅ ନିଖୋଜ୍ ହେବା ପରେ ସମ୍ପୃକ୍ତ ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପତିତପାବନ ସମ୍ପୃୃକ୍ତ ଯୁବତୀଙ୍କ ପଡୋଶୀ ଘରକୁ ଯିବା ବେଳେ ଏହି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଯାହାର ଫଳସ୍ୱରୂପ ଦୁହେଁ ମଧ୍ୟପ୍ରଦେଶ ଫେରାର୍ ହେବା କଥା ଏବେ ସାମ୍ନାକୁ ଆସିଛି ।