କନକ ବ୍ୟୁରୋ : ରାଜଧାନୀରୁ ୨ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ନୁଆ ନୁଆ ତଥ୍ୟ ସାମ୍ନାକୁ ଆସୁଛି । ସେହିପରି ଘଟଣାର ମୁଖ୍ୟ ୨ ଅଭିଯୁକ୍ତ ସନ୍ନି ଓ ରବିଙ୍କର ନେଟୱାର୍କ ବିଷୟରେ ବିଭିନ୍ନ ତଥ୍ୟ ମିଳୁଛି । ଚୁଡି ବେପାରକୁ ପାଥେୟ କରି କୋକେନ ବେପାର ପାଇଁ ନିଜର ରାସ୍ତା ତିଆରି କରୁଥିଲା ଗିରଫ ଅଭିଯୁକ୍ତ ସନ୍ନି କୁମାର । ତେବେ କୋକେନ ଯୋଗାଇବା ଦାୟିତ୍ୱ ରବିର ଥିଲା । ଓଡିଶାରେ କେମିତି କୋକେନର ଚାହିଦା ବଢିବ ଆଉ ଅଧିକରୁ ଅଧିକ ଲୋକଙ୍କୁ ଗ୍ରାହକ କରିହେବ ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲେ ରବି ଓ ସନ୍ନି । ଏମିତିକି ପୋଲିସ୍ ପଞ୍ଝାରୁ ଖସିବା ପାଇଁ ମାର୍କେଟ୍ ବିଲ୍ଡିଙ୍ଗରେ ଚୁଡି ବ୍ୟବସାୟ କରୁଥିଲା ସନ୍ନି । ତେବେ ଚୁଡି କିଣିବାକୁ ପାଖକୁ ଆସୁଥିବା ଯୁବତୀଙ୍କୁ ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ଫସାଉଥିଲା ସନ୍ନି ।

Advertisment

ଯୁବତୀଙ୍କ ଜରିଆରେ ନିଜର ବେପାର ବଢାଉଥିଲା ସନ୍ନି । ରବି ରାଜଧାନୀର ତାରକା ହୋଟେଲକୁ ଆସୁଥିବା ଗ୍ରାହକ ଓ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରୁଥିଲା । ବିଶେଷ କରି ପୁରୀ ଓ କୋଣାର୍କରେ ଗ୍ୟାଙ୍ଗକୁ ସକ୍ରିୟ କରିଥିଲା ରବି । ରବି ଦିଲ୍ଲୀର ତୁର୍କମାନ ଗେଟରୁ କୋକେନ ଆଣିି ବ୍ୟବସାୟ ଆରମ୍ଭ କରିଥିଲା । ଅନ୍ୟପଟେ ସନ୍ନି ଗିରଫ ହେବା ପରେ ପରିବାର ଓ ରାଜସ୍ଥାନୀ ବେପାରୀ ମଧ୍ୟ ଉଭାନ୍ ହୋଇଯାଇଛି । ଯେଉଁଥିପାଇଁ ଏଥିରେ ସେମାନଙ୍କର ସମ୍ପୁକ୍ତି ଥିବା ଅନୁମାନ କରିଛି ଏସଟିଏଫ ।

କୋକେନ ବ୍ୟବସାୟରେ ସମ୍ପୁକ୍ତ ଥିଲେ ଏଥିପାଇଁ ସ୍ୱତନ୍ତ୍ର ଆଇନ୍ ରହିଛି । କୌଣସି ବ୍ୟକ୍ତିଙ୍କ ଠାରୁ ୨ ଗ୍ରାମ କୋକେନ୍ ଜବତ ହେଉଛି ତେବେ ତାଙ୍କୁ ନୋଟିସ୍ ଦିଆଯିବ ନହେଲେ ନିଶା ନିବାରଣ କେନ୍ଦ୍ରରେ ଛାଡିବାର ନିୟମ ରହିଛି । ୨ ଗ୍ରାମରୁ ଅଧିକ ୧୦୦ ଗ୍ରାମରୁ କମ୍ କୋକେନ୍ ଜବତ ହେଲେ ସମ୍ପୁକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ ଦଣ୍ଡ ନିୟମ ରହିଛି । ୧୦୦ ଗ୍ରାମରୁ ଅଧିକ କୋକେନ୍ ଜବତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ନିୟମ ରହିଛି ।