‘ବିଶ୍ୱ ମହାମାରୀ’କୁ ମାତ୍ ଦେବାକୁ ବିଶ୍ୱକୁ ବାଟ ଦେଖାଇଥିଲେ ନବୀନ । 

434

କନକ ବ୍ୟୁରୋ : ବିଧାନସଭା ପରିସରରେ ହାତ ଧୂଆର ଦୃଶ୍ୟ ଠିକ୍ ବର୍ଷେ ତଳର । ଯେଉଁଥିରେ ନବୀନଙ୍କ ସମେତ ମନ୍ତ୍ରୀ ଓ ଅନ୍ୟ ଦଳର ନେତା ହାତ ଧୋଇବା ସହ ଓଡ଼ିଶାବାସୀଙ୍କୁ କରୋନା ଭୂତାଣୁ ସହ ଲଢିବା ପାଇଁ ଦେଇଥିଲେ ସଚେତନାର ବାର୍ତ୍ତା ।  ଆଉ ନବୀନଙ୍କ ଏହି ହାତ ଧୂଆ ସହ ଆରମ୍ଭ ହୋଇଥିଲା ମହାମାରୀ କରୋନାକୁ ମାତ୍ ଦେବାର ପ୍ରାକ୍ ପ୍ରସ୍ତୁତି । ୧୩ ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲେ ମଧ୍ୟ ମହାମାରୀର ମୁକାବିଲା ପାଇଁ ଅଣ୍ଟା ଭିଡ଼ି ସାରିଥିଲେ ମୁଖ୍ୟମନ୍ତ୍ରୀ । କାରଣ ବିଦେଶରେ କରୋନା ଭୟଙ୍କର ରୂପ ଧାରଣ କରି ସାରିଥିଲା । କିନ୍ତୁ  ବିଦେଶ ଭଳି କରୋନା ବିରୋଧରେ ଲଢେଇ ପାଇଁ ନା ରାଜ୍ୟରେ ଥିଲା ଅତ୍ୟାଧୁନିକ ହସ୍ପିଟାଲ ନା ଥିଲା ସେଭଳି ଭିତ୍ତିଭୂମି । ତେଣୁ ମହାମାରୀ ଥରେ ବ୍ୟାପିଲେ କେତେ ଯେ ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଧହୁଏ ତାହାର ଆକଳନ କରି ସାରିଥିଲେ ନବୀନ । ତେଣୁ ବିଦେଶ ଭଳି ସ୍ଥିତି ଯେପରି ଓଡ଼ିଶାରେ ନ ଉପୁଜୁ ସେଥିପାଇଁ ଆଗୁଆ ଆକ୍ସନମୋଡକୁ ଆସିଥିଲେ ରାଜ୍ୟ ସରକାର ।କ୍ରୀୟାଶୀଳ ହୋଇ ଉଠିଥିଲା ସମସ୍ତ ସରକାରୀ ବିଭାଗ । ଆଉ ଆରମ୍ଭ ହୋଇଥିଲା ମହାମାରୀ ବିରୋଧରେ ମହାଯୁଦ୍ଧ ।

କରୋନା ରୂପକ ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଯୁଦ୍ଧ ପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ କରି ସାରିଥିଲେ ରାଜ୍ୟ ସରକାର । କରୋନା ସହ ଯୁଦ୍ଧ ପୂର୍ବରୁ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ନବୀନ ଟାଣି ସାରିଥିଲେ କଟକଣାର ଲକ୍ଷ୍ମଣରେଖା । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୩୧ ଯାଏଁ ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ, ସୁଇମିଂ ପୁଲ ବନ୍ଦ ରଖିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଏପରିକି କୌଣସି ସ୍ଥାନରେ ଭିଡ଼ ନ ଜମାଇବା ସହ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଓ ସାମାଜିକ ଦୂରତାର ଫର୍ମୁଲା ଲୋକଙ୍କ ପାଇଁ ଆଣିଥିଲେ ସରକାର । ଏହାସତ୍ତେ୍ୱ ମଧ୍ୟ କରୋନାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ରହିଥିଲା । ତେଣୁ ଭୂତାଣୁର ଭୟକୁ ଲୋକଙ୍କ ମନରୁ ଦୂରେଇବାକୁ ସୁବ୍ରତଙ୍କୁ ସାମ୍ନାକୁ ଆଣିଥିଲେ ସରକାର । ଯିଏ କରୋନାକୁ ନେଇ ପ୍ରତିଟି ଅପଡେଟ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲଗାତାର ସଚେତନ କରି ଆସୁଥିଲେ । ପ୍ରଥମେ ମାସ୍କ, ହାତଧୁଆ, ସାମାଜିକ ଦୂରତାକୁ କରୋନା ବିରୋଧ ଲଢେଇରେ ବଡ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା । କିନ୍ତୁ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାର ଆହୁରି ତତ୍ପର ହୋଇ ଉଠିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ ଘୋଷଣା କରି କରୋନା ଲଢେଇରେ ଦୁଇ ପାଦ ଆଗରେ ରହିଥିଲେ ନବୀନ ।

କରୋନା ବିରୋଧ ଲଢେଇ ପାଇଁ ସରକାର ପୂରା ବ୍ୟବସ୍ଥାକୁ ଆକ୍ଟିଭ ମୋଡକୁ ଆଣିଥିଲେ । କୋଭିଡ ପରିଚାଳନା କମିଟି ଗଠନ କରି ଏହା ଉପରେ ପୂରା ଦାୟିତ୍ୱ ନ୍ୟସ୍ତ କରିଥିଲେ ନବୀନ । ଆଉ କରୋନା ତାର ଉଗ୍ର ରୂପ ଧାରଣ କରିବା ପୂର୍ବରୁ ଦେଶର ପ୍ରଥମ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଛିଡା ହୋଇଥିଲା ରାଜଧାନୀର ଛାତି ଉପରେ । ଆଉ ଏହାସହ ଘରୋଇ ହସ୍ପିଟାଲ ଗୁଡିକୁ ମଧ୍ୟ କୋଭିଡ ଯୁଦ୍ଧରେ ସାମିଲ କରିଥିଲେ ସରକାର । ଅଧିକାଂଶ ହସ୍ପିଟାଲରେ ଅଧିକରୁ ଅଧିକ କୋଭିଡ ୱାର୍ଡ ଖୋଲାଯାଇ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ସୃଦୁଢ କରାଯାଇଥିଲା । ଏହାସହ କଣ୍ଟେନମେଣ୍ଟ ଜୋନ, ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଉପରେ ଗୁରୁତ୍ୱ ଦିଆଯିବା ସହ କଟକଣାକୁ ଆହୁରି କଡାକଡି କରାଯାଇଥିଲା ।  ଯାହାଫଳରେ ରାଜ୍ୟରେ କରୋନା କାୟା ମେଲାଇବା ପୂର୍ବରୁ ମହାମାରୀ ଲଢେଇରେ ମହାରଥ ହାସଲ କରି ସାରିଥିଲେ ସରକାର ।