ବିଶ୍ୱ କରୁଛି କରୋନା ମୁକାବିଲା: କରୋନାକୁ ହରାଇବାରେ କେମିତି ସଫଳ ହେଲା ଚୀନର ପଡ଼ୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ? ପଢ଼ନ୍ତୁ, ବୁଝନ୍ତୁ ଏବଂ ସଚେତନ ହୁଅନ୍ତୁ…

17,214

କନକ ବ୍ୟୁରୋ: ଚୀନର ପଡୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ । ମାରାତ୍ମକ କରୋନା ଭୂତାଣୁର ଉତ୍ପତିସ୍ଥଳ ଉହାନଠାରୁ ମାତ୍ର ୧୩ ଶହ ୮୨ କିଲୋମିଟର ଦୂରରେ ରହିଛି ଏହି ଦେଶ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଭୂତାଣୁ ସଂକ୍ରମଣରେ ଏହା ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେଲା ଦକ୍ଷିଣ କୋରିଆ ଜାଣିବା ପୂର୍ବରୁ ଟିକେ ଏହି ତଥ୍ୟ ଉପରେ ପଢ଼ନ୍ତୁ ଏବଂ ଭଲ ଭାବେ ବୁଝନ୍ତୁ ।

୨୫ ମାର୍ଚ୍ଚରେ କରୋନା ସଂକ୍ରମଣ ତଥ୍ୟ
ଦକ୍ଷିଣ କୋରିଆ
କରୋନା ସଂକ୍ରମିତଙ୍କ ସଂଖ୍ୟା- ୯,୧୩୭
କରୋନା ସଂକ୍ରମଣରେ ମୃତ- ୧୨୯
ଭୂତାଣୁ ସଂକ୍ରମଣରେ ଗୁରୁତର- ୫୯
ସଂକ୍ରମଣ ମୁକ୍ତ ହୋଇଛନ୍ତି- ୩,୭୩୦

ମାର୍ଚ୍ଚ ୮-୯ ବେଳକୁ ଦକ୍ଷିଣ କୋରିଆରେ ଏଭଳି ସ୍ଥିତି ନଥିଲା । ସେତେବେଳେ ଦେଶରେ ୮ ହଜାରରୁ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ହେଲେ ଗତ ଦୁଇ ଦିନରେ ମାତ୍ର ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହା କିଭଳି ସମ୍ଭବ ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ ନେଇ ଖବର ଆସିବା ଦିନରୁ କେବେ ଲକଡାଉନ ଅର୍ଥାତ ତାଲାବନ୍ଦ କିମ୍ବା ବଜାର ବନ୍ଦ ଭଳି ନିଷ୍ପତି କରାଯାଇ ନାହିଁ । ତଥାପି କିଭଳି ଭୂତାଣୁର ସଂକ୍ରମଣକୁ ନିୟନ୍ତ୍ରିତ କରିପାରିଲା ଏହି ଦେଶ? ଦକ୍ଷିଣ କୋରିଆ ବିଦେଶ ମନ୍ତ୍ରୀ ଦାବି କରିଛନ୍ତି ଯେ, ଶୀଘ୍ର ପରୀକ୍ଷା ଓ ଉନ୍ନତମାନର ଚିକିତ୍ସା ସେବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଦେଶରେ ୬ଶହରୁ ଅଧିକ ଟେଷ୍ଟିଂ ସେଂଟର ଖୋଲିବା ସହ ୫୦ରୁ ଅଧିକ ଡ୍ରାଇଭିଂ ଷ୍ଟେସନରେ ସ୍କ୍ରିନିଂ କରାଯାଉଥିଲା ।

କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଦକ୍ଷିଣ କୋରିଆ ଯେଭଳି ପଦକ୍ଷେପ ନେଇଛି, ଏବେ ତାହା ଅନ୍ୟ ଦେଶଗୁଡିକ ପାଇଁ ଉଦାହରଣ ପାଲଟି ଯାଇଛି । ଚୀନ ସୀମାକୁ ଲାଗି ରହିଥିଲେ ମଧ୍ୟ ବିଶ୍ୱ ମହାମାରୀ ଉପରେ ନିୟନ୍ତ୍ରଣ ଆଣିପାରିଛି ଦକ୍ଷିଣ କୋରିଆ ।

କୁହାଯାଉଛି ଦକ୍ଷିଣ କୋରିଆକୁ ଏହି ମହା ବିପତିରୁ ଉଦ୍ଧାର କରିପାରିଛନ୍ତି କୋରିଆନ ସେଂଟର ଫର ଡିଜିଜ ଆଣ୍ଡ ପବ୍ଲିକ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ମୁଖ୍ୟ- ଡାକ୍ତର ଜୋଆଙ୍କ କିୟଙ୍ଗ । ତାଙ୍କରି ନେତୃତ୍ୱରେ ସାରାଦେଶରେ ଛୋଟଛୋଟ ଟେଲିଫୋନ ବୁଥ ଭଳି ଟେଷ୍ଟିଂ ସେଂଟର ସବୁ ପ୍ରତିଷ୍ଠା କରାଗଲା । ଏସବୁ ବୁଥରେ ଏବେ ବି ପ୍ରତ୍ୟେକ ଦିନ ପ୍ରାୟ ୨୦ ହଜାର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଉଛି । କୁହାଯାଉଛି ଦକ୍ଷିଣ କୋରିଆରେ ଏକ ଧାର୍ମିକ କାର୍ଯ୍ୟରୁ ପ୍ରଥମେ କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା । ଏବଂ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରି ପ୍ରତ୍ୟେକଙ୍କର ନମୁନା ପରୀକ୍ଷା କରାଇଥିଲେ ଡାକ୍ତର ଜୋଆଙ୍କ କିୟଙ୍ଗ ।