କନକ ବ୍ୟୁରୋ : ସାରା ବିଶ୍ୱରେ ଖେଳୁଛି ଓମିକ୍ରନ ଆତଙ୍କ । ପ୍ରାରମ୍ଭିକ ସ୍ତରରେ ଡେଲ୍ଟା ଭାରିଆଣ୍ଟକୁ ଧରି ନ ପାରିବାରୁ ଚଳିତବର୍ଷ ପ୍ରାରମ୍ଭରେ କୋଭିଡ୍-୧୯ର ଦ୍ବିତୀୟ ଲହରକୁ ମୁକାବିଲା କରିବା ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ଏବେ କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ ନୂତନ ମାରାତ୍ମକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ବୁଲିଲାଣି ଅଥଚ ତାହା ଚିହ୍ନଟ ହୋଇପାରିନି । ତେଣୁ ଉଭୟ ପରୀକ୍ଷା ଓ ଜେନୋମ୍ ସିକ୍ବେନ୍ସିଂ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଭାରତ ପଦକ୍ଷେପ ନେବାକୁ ଚିନ୍ତା କରିଛି ।
ଓମିକ୍ରନ୍ ଭାରିଆଣ୍ଟର ସଅଳ ଚିହ୍ନଟ ପାଇଁ ଭାରତ ପରୀକ୍ଷା ଓ ସିକ୍ବେନ୍ସିଂ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଭାରତର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶିକା ପ୍ରିୟା ଆବ୍ରାହମ୍ କହିଛନ୍ତି । ଏହାଦ୍ବାରା ଓମିକ୍ରନ୍ର ବ୍ୟାପକ ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିବ। ଫଳରେ ଦ୍ବିତୀୟ ଲହର ପରି ଭୟଙ୍କର ଅବସ୍ଥା ଏହା ଆଉ ଆଣିପାରିବ ନାହିଁ । ବର୍ତ୍ତମାନ ୪୮ ଘଣ୍ଟା ଭିତରେ ବିମାନବନ୍ଦରଗୁଡ଼ିକରୁ ଆସୁଥିବା ପଜିଟିଭ୍ ରିପୋର୍ଟର ବିଶ୍ଳେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ୩୮ଟି ବିଜ୍ଞାନାଗାରରେ ଏହା କରାଯାଉଥିବା ବେଳେ ସେଥିରେ ଆଉ ଏକ ଡଜନ ଯୋଡ଼ାଯିବ ବୋଲି କୁହାଯାଇଛି ।
ଏହି ବିଜ୍ଞାନାଗାରଗୁଡ଼ିକରେ ପରୀକ୍ଷଣର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଏହି ବିଜ୍ଞାନାଗାରଗୁଡ଼ିକ ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜେନୋମିକ୍ସ କନ୍ସର୍ଟିୟମ୍ ବା ଆଇଏନ୍ଏସ୍ଏସିଓଜିର ଅଂଶ ଭାବେ କାର୍ଯ୍ୟ କରିବେ ବୋଲି ମିସ୍ ଆବ୍ରାହମ୍ କହିଛନ୍ତି । ସେ କହିଛନ୍ତି ଯେ, ଆମେ ଦ୍ବିତୀୟ ଲହରରୁ ଅନେକ କିଛି ଶିକ୍ଷା କରିଛୁ। ପରୀକ୍ଷା ଓ ଭୂତାଣୁଙ୍କ କିସମ ଚିହ୍ନଟରେ ବିଳମ୍ବ ହେଲେ ତାହା ଦେଶ ସାରା ମାଡ଼ିଯାଇପାରେ ।
ସେପଟେ, ସମଗ୍ର ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାରେ ଏବେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି । ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସ୍ବତନ୍ତ୍ର କଟକଣା ଲାଗୁ ହୋଇଛି । ପୂର୍ବରୁ ଜାରି ନିର୍ଦ୍ଦେଶ ମୁତାବକ ଯାତ୍ରୀମାନଙ୍କୁ ୧୪ ଦିନର ଭ୍ରମଣ ରିପୋର୍ଟ ତଥ୍ୟ ସାଂଗକୁ ଆର୍ଟି-ପିସିଆର୍ ଯାଞ୍ଚ ରିପୋର୍ଟ ଅପଲୋଡ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଭାରତରେ ଏବେ ଆଫ୍ରିକାରୁ ଫେରିଥିବା କିଛି ଯାତ୍ରୀଙ୍କ କ୍ଷେତ୍ରରେ ନୂଆ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି ।
ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଥିବା ୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ନମୁନା ଡେଲ୍ଟାଠାରୁ ଭିନ୍ନ ଥିବା ଜଣାପଡ଼ିଛି । ସେହିପରି ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼କୁ ଫେରିଥିବା ଜଣେ ୩୯ ବର୍ଷୀୟ ଯୁବକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ଜଣ ସଂକ୍ରମିତ ହୋଇଛନ୍ତି । ଚଣ୍ଡିଗଡ଼ରେ ଉକ୍ତ ଯୁବକଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଘରୋଇ ସହାୟକ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ନମୁନାର ଜିନେମ୍ ସିକ୍ବେନ୍ସିଂ ପାଇଁ ଦିଲ୍ଲୀ ପଠାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/virus-istock-1055426-1638096510.jpg)