କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କାଲି ରାତି ୧୦ରେ ଉଠିବ ମହାଦୀପ । ଜାଣନ୍ତୁ, କେଉଁଠି କେମିତି ହେବ ଜାଗର ଯାତ୍ରା…

159

କନକ ବ୍ୟୁରୋ: ଆସନ୍ତାକାଲି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନୀତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ , ଧାଡ଼ି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ହେବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ତେବେ ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହେଲା କୋଭିଡ କଟକଣା ଭିତରେ ଭକ୍ତମାନେ ନିୟମ ମାନି ଦୀପ ଜାଳିବା । ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୦ ବରିଷ୍ଠ ପୋଲିସ ଅଧିକାରୀ, ୫ଜଣ ଅତିରିକ୍ତ ଡିସିପି , ୧୩ଜଣ ଏସିପି, ୧୭ଜଣ ଇନସ୍ପେକ୍ଟର ଓ ୮୬ ଜଣ ସବଇନସ୍ପେକ୍ଟର । ଭକ୍ତମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନଙ୍କ ସହଯୋଗ କାମନା କରିଛି ପୋଲିସ ।

ଅପରାହ୍ନରେ କମିଶନରେଟ ପୋଲିସ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମସି ଏବଂ ମନ୍ଦିରର ବିଭିନ୍ନ ନିଯୋଗ ଅଂଶଗ୍ରହଣ କରିଥିଲେ । କରୋନା କଟକଣା ଭିତରେ ଆସନ୍ତାକାଲି ପାଳନ ହେବ ଶିବରାତ୍ରୀ । ଏଥିପାଇଁ ସବୁ ଶୈବପୀଠରେ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ଜାଗର ଯାତ୍ରା ପାଇଁ ରୁଟ ନମ୍ବର ୩୨ରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିରକୁ ମୋ ବସ ସେବା ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ।

ଅନ୍ୟପଟେ ଭଦ୍ରକର ଆରଡି ପୀଠରେ ୧୪୪ ଧାରା ଜାରି କରାଯାଇଛି । ଭକ୍ତମାନଙ୍କୁ ମନ୍ଦିର ଆସିବାକୁ ମନା କରାଯାଇଛି । ଆଜି ଦିନ ୧୦ଟାରୁ ଶୁକ୍ରବାର ଦିନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ସେହିପରି କଟକ ଅନ୍ୟତମ ଶୈବପୀଠ ଧବଳେଶ୍ୱରରେ କରୋନା କଟକଣା ଯୁକ୍ତ ଜାଗର ପୂଜା କରାଯିବ । ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ମନା କରାଯଇଛି । ଏଥିପାଇଁ ଆସନ୍ତାକାଲି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯିବ । କେବଳ  ମନ୍ଦିର ପ୍ରଶାସନ ଓ ପୂଜକଙ୍କ ଉପସ୍ଥିତିରେ ଶିବରାତ୍ରୀ ନୀତିକାନ୍ତି କରାଯିବ ଏବଂ ସାଧାରଣ ଦର୍ଶନ ବନ୍ଦ ରହିବ । ପୁରୀର ଲୋକନାଥ ପୀଠରେ ମଧ୍ୟ କୋଭିଡ କଟକଣା ଭିତରେ ଜାଗର ଯାତ୍ରା ହେବ ।