କରୋନା ପାଇଁ ସାରା ଦେଶରେ ହାହାକାର । କରୋନା ରୋଗୀଙ୍କ ପାଇଁ ଅଭାବ ହେଉଛି ଅକ୍ସିଜେନ । ଜାଣନ୍ତୁ ରୋଗୀ କେତେ ଗୁରୁତର ହେଲେ ଦରକାର ହୋଇଥାଏ ଅକ୍ସିଜେନ?

204

କନକ ବ୍ୟୁରୋ: ଅକ୍ସିଜେନ ପାଇଁ ସାରା ଦେଶରେ ଏବେ ହାହାକାର । ଯେଉଁ ଭଳି ଭାବରେ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତା ତୁଳନାରେ ଅକ୍ସିଜେନର ସଂଖ୍ୟା ଢେର କମ ରହିଛି । କହିବାକୁ ଗଲେ ହସ୍ପିଟାଲରେ ଏବେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ହେଲେ କାହିଁକି କରୋନା ରୋଗୀଙ୍କୁ ଏତେ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ରହିଛି । ଆଉ ରୋଗୀ କେତେ ଗୁରୁତର ହେଲେ ତାଙ୍କୁ ଅକ୍ସିଜେନ ଦରକାର ପଡିଥାଏ । ତେବେ ଆସନ୍ତୁ ଜାଣିବା ଏ ସବୁ ପ୍ରଶ୍ନର ଉତ୍ତର ।

କରୋନା ଭାଇରସ ରୋଗୀର ଫୁସଫୁସକୁ ସିଧାସଳଖ ଆଟାକ କରିଥାଏ । ଏହାଦ୍ୱାରା ରୋଗୀର ନିଶ୍ୱାସ ନେବାର କ୍ଷମତା କମ ହୋଇଯାଇଥାଏ । ତେଣୁ ସେମାନେ ଶରୀରକୁ ଅମ୍ଲଜାନ ନେଇ ପାରନ୍ତିନି । ଏଭଳି ସମୟରେ ରୋଗୀର ସ୍ଥିତି ଗୁରୁତର ହୋଇଯାଇଥାଏ । ଆଉ ତାଙ୍କ ଶରୀରରେ ଅକ୍ସିଜେନର ଅଭାବ ପୂରଣ କରିବା ପାଇଁ ଏଭଳି ଆର୍ଟିଫିସିଆଲ ଅକ୍ସିଜେନ ଦିଆଯାଇଥାଏ । ଯଦି ରୋଗୀ ଅଧିକ ଗୁରୁତର ହୋଇଥାଏ ତେବେ ତାଙ୍କୁ ହାଇଫ୍ଲୋ ଅକ୍ସିଜେନ ଦିଆଯାଇଥାଏ ।

ଗୁରୁତର ରୋଗୀଙ୍କୁ ହାଇଫ୍ଲୋ ଅକ୍ସିଜେନ ଦିଆଯାଇଥାଏ । ଯେମିତି ଅକ୍ସିଜେନ ତାଙ୍କ ଫୁସଫୁସକୁ ଯିବ । ମାସ୍କ ଦେଇ ପ୍ରତି ମିନିଟରେ ଶରୀରକୁ ୫ରୁ ୬ ଲିଟର ଅକ୍ସିଜେନ ଯାଇଥାଏ । ହେଲେ ହାଇଫ୍ଲୋ ଅକ୍ସିଜେନ ମାଧ୍ୟମରେ ପ୍ରତି ମିନିଟରେ ୨୦ରୁ ୫୦ ଲିଟର ଅକ୍ସିଜେନ ଶରୀରକୁ ଯାଇଥାଏ । ଏହି ଅକ୍ସିଜେନ ଦେବା ଫଳରେ ରୋଗୀ ଖାଇବା ପିଇବା ସହ କଥା ମଧ୍ୟ ହୋଇ ପାରନ୍ତି ।

ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ଏଥିରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି । ତେଣୁ ହସ୍ପିଟାଲ ଗୁଡିକରେ ବେଡର ଅଭାବ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ପରିସ୍ଥିତି ଯେଉଁଭଳି ହୋଇଛି ତାହା ଅତି ଚିନ୍ତାଜନକ । କେଉଁଠି ହସ୍ପିଟାଲରେ ବେଡ ମିଳୁନି ତ କେଉଁଠି ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ଆମକୁ କରୋନାଠାରୁ ସତର୍କ ରହିବାକୁ ହେବ ।