କଂଗ୍ରେସର ଭାରତ ବନ୍ଦ ଯୋଗୁଁ ଅଡୁଆରେ ପଡିଲେ ନେତା । କିଏ ଚାଲି ଚାଲି ତ ପୁଣି କିଏ ଦୁଇ ଚକିଆ ଯାନରେ ପହଞ୍ଚିଲେ ବିଧାନସଭା

29

କନକ ବ୍ୟୁରୋ : କଂଗ୍ରେସ କର୍ମୀ ଭାରତ ବନ୍ଦକୁ ଜୋରଦାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁ ରାସ୍ତାରେ ବାହାରି ବିଧାନସଭାକୁ ଯିବେ ତା ଉପରେ ସମସ୍ତଙ୍କ ନଜର ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟମିତ ରୁଟରେ ପରିବର୍ତନ ଦେଖିବାକୁ ମିଳିଥିଲା । ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ଚାଲି ଚାଲି ଏବଂ ଦୁଇଚକିଆ ଯାନରେ କାର୍ଯ୍ୟାଳୟକୁ ଆସିଥିଲେ ।

ଗୋଟିଏ ପଟେ ଚାଲିଥାଏ ବରିଷ୍ଠ କଂଗ୍ରେସ ନେତାଙ୍କ ଭାରତ ବନ୍ଦ । ଏପରିକି ବିଧାନସଭା ଆଗରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ବାହାରିଥିଲେ ବିଧାନସଭା । ତେବେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିବାପରେ ତାଙ୍କ ନିୟମିତ ରୁଟରେ ପରବର୍ତନ ହୋଇଥିଲା । ଏଜି ଛକରେ କଂଗ୍ରେସର ଜୋରଦାର ପ୍ରତିବାଦ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗତିପଥରେ କରାଯାଇଥିଲା ପରିବର୍ତନ ।

ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି କେତେକ ବିଧାୟକ ମଧ୍ୟ ଦୁଇ ଚକିଆ ଯାନରେ ବିଧାନସଭାକୁ ଆସୁଥିବା ଦେଖାଯାଇଥିଲା । ବନ୍ଦ ଯୋଗୁଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ନିଜେ ସ୍କୁଟି ଚଲାଇ ଆସିଥିଲେ ବିଧାନସଭାକୁ । ଅନ୍ୟ କେତେକ ବିଧାୟକ ଚାଲି ଚାଲି ଆସିଥିଲେ ବିଧାନସଭା । କଂଗ୍ରେସର ପ୍ରତିବାଦ ଯୋଗୁଁ ଅତିରିକ୍ତ ଶାସନ ସଚିବ ବାଲକ୍ରିଷ୍ଣନ ମଧ୍ୟ ଚାଲି ଚାଲି ସଚିବାଳୟ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭାରତ ବନ୍ଦ ପାଇଁ ପୂର୍ବରୁ ଜାରି କରାଯାଇଥିଲା ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସରକାରୀ କର୍ମଚାରୀମାନେ ସକାଳ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଂଚିସାରିଥିଲେ ।