କନକ ବ୍ୟୁରୋ: ବିବନ୍ ବିଶ୍ୱାଳକୁ ଧରିବା ପାଇଁ ପ୍ରାୟ ୩ ମାସ ତଳେ କଟକ ଚୌଦ୍ୱାର ଜେଲରୁ ହିଁ ପଡ଼ିଥିଲା ମୂଳଦୁଆ । ଏକ ବ୍ୟାଙ୍କ୍ ଡକାୟତିର ଚେର ଖୋଜୁ ଖୋଜୁ ଜେଲରେ ପହଂଚିଥିଲେ ପୁଲିସ୍ କମିଶନର ସୁଧାଂଶ ଷଡ଼ଙ୍ଗୀ । ସେହି ସମୟରେ ପୁଲିସ କମିଶନରଙ୍କୁ ଜଣେ ଅପରାଧୀଙ୍କ ସହ ପରିଚୟ କରିଥିଲେ ଜେଲ୍ ସୁପରିଟେଣ୍ଡଂଟ । ଅପରାଧୀର ନାଁ ଥିଲା ଧୀରେନ୍ଦ୍ର ମହାନ୍ତି ଓରଫ୍ ଟୁନିଆ । ଟୁନିଆ ହେଉଛି ସେହି ଅପରାଧୀ ଯିଏ, ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଜେଲରେ ସଜା କାଟୁଥିଲା । ପ୍ରାୟ ୩ ମାସ ତଳର ଇଏ ହେଉଛି ଏକ ସାଂକେତିକ ଚିତ୍ର । ଟୁନିଆ ଜେଲର ଅନ୍ୟତମ ପୁରୁଣା ଅପରାଧୀ କହି ପରିଚିତ କରିଥିଲେ ଜେଲ୍ ସୁପରିଟେଣ୍ଡଂଟ । ଆଉ ଟୁନିଆ ସହ କଥାବାର୍ତା ହେବା ପରେ ପୁଲିସ୍ କମିଶନରଙ୍କୁ ଯାହା ନାଁ ପ୍ରଥମେ ଆସିଥିଲା, ସେ ନାଁ ଥିଲା ବିବନ୍ ବିଶ୍ୱାଳ ।
ଆଉ ଏହା ପରେ ଖୋଲିଥିଲା ୨୨ ବର୍ଷ ତଳର ପୁରୁଣା ଫାଇଲ୍ । ପୁରୁଣା ଖବରକାଗଜ ଏବଂ ପୁରୁଣା ଜର୍ଜମେଂଟ୍ ଦେଖି, ଧୁଳି ଜମିଯାଇଥିବା ଫାଇଲ୍କୁ ପୁଣି ଥରେ ଖୋଲିବାକୁ ମନସ୍ତ କରିଥିଲେ ପୁଲିସ୍ କମିଶନର । ଆଉ ଆରମ୍ଭ କରିଥିଲେ ଅପରେସନ୍ ସାଇଲେଂଟ ଭାଇପର ।
ଏକଦା ବାରଙ୍ଗ କିଙ୍ଗ୍ ବୋଲି ନିଜର ପରିଚୟ ଦେଉଥିବା ବିବନ୍, ଅଚାନକ୍ ଅର୍ନ୍ତଧ୍ୟାନ ହେବା କୌଣସି ରହସ୍ୟଠାରୁ କମ୍ ନଥିଲା । ବିବନ୍ ବିଶ୍ୱାଳର ପରିବାରର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲା ପୁଲିସ୍ । ଆଉ ଏହି ସମୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା ଯାହା ପୁଲିସ୍କୁ ବିବନ୍ ସୁରକ୍ଷିତ କେଉଁଠି ଲୁଚିଥିବା ସ୍ପଷ୍ଟ ହୋଇଗଲା । ନରଣପୁରରେ ରହୁଥିବା ବିବନଙ୍କ ପରିବାର ଲୋକଙ୍କ ପାଖକୁ ଆସୁଥିବା ମୋଟା ଅଙ୍କର ଟଙ୍କା । ଟଙ୍କା, କିଏ ଦେଉଛି ଓ କାହିଁକି ଟଙ୍କା ଦେଉଛି, ତାହା ପୁଲିସ୍ର ସନ୍ଦେହ ବଢ଼ାଇ ଦେଲା । ଆଉ ଏହି ସନ୍ଦେହ ବିବନ୍-ପୁଲିସର ଲୁଚକାଳିର ଅନ୍ତ ଆଡକୁ ଟାଣି ଆଣିନେଇଥିଲା ।
ବ୍ୟାଙ୍କ୍ ଖାତାର ଗୁମର ଖୋଲୁ ଖୋଲି ସ୍ପେଶାଲ ପୁଲିସ୍ର ନଜରକୁ ଆସିଥିଲା ଫୋନ୍ କଲ୍ । ଏକ ନିର୍ଦ୍ଧିଷ୍ଟ ନମ୍ବର ନିୟମିତ ବ୍ୟବଧାନରେ ଆସୁଥିଲା ଏକ ଫୋନକଲ । ତଦନ୍ତ ପରେ ଜଣାପଡ଼ିଲା, ମହାରାଷ୍ଟ୍ରରୁ ଜଳନ୍ଧର ବିଶ୍ୱାଳ ନାଁରେ ୨ ପୁଅ ଏବଂ ପତ୍ନୀଙ୍କ ପାଖକୁ ପରୋକ୍ଷରେ ଫୋନ୍ କରୁଥିଲା ବିବନ୍ । ଏହାରି ଭିତରେ ଆଉ ଏକ ବଡ଼ ଉଦ୍ୟମ କରୁଥିଲେ ପରିବାର ଲୋକ । ବିବନ୍କୁ ମୃତ ସାବ୍ୟସ୍ତ କରିବା ପାଇଁ ବିବନ୍ର ମୃତ ପ୍ରମାଣପତ୍ର ଯୋଗାଡ କରିବା ପାଇଁ ଉଦ୍ୟମ କରୁଥିଲେ । ଆଉ ଏହି ଉଦ୍ୟମ ପୁଲିସକୁ ଏକ ପ୍ରକାର ନିଶ୍ଚିତ କରିଦେଲା ଯେ, ବିବନ୍ ବଂଚିଛି ଏବଂ ଲୁଚି ରହିଛି ।
ଲୋନାୱାଲାର ଆମ୍ବିଭାଲିରେ ନାଁ ବଦଳାଇ ବିବନ୍ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିବା ପୁଲିସ୍ ନିଶ୍ଚିତ ହେବା ପରେ ପୁରା ଟିମ୍ ନେଇ ପୁଲିସ୍ ସେଠି ପହଂଚିଯାଇଥିଲା । ଆଉ ଯେତେବେଳେ ଜଳନ୍ଧର ନାଁ ରହୁଥିବା ବିବନ୍କୁ ଧରିବାକୁ ଉଦ୍ୟମ କରିଥିଲା ସାଦା ପୋଷାକଧାରୀ ପୁଲିସ୍ । ସେଠୁ ଖସିଯିବାକୁ ଉଦ୍ୟମ କରିଥିଲା, ହେଲେ ପୁଲିସ୍ ଟିମ୍ ତାକୁ କାବୁ କରିଦେଇଥିଲେ ।
ସବୁ ସନ୍ଦେହ ଦୂର ହୋଇଯାଇଥିଲା, ଯେତେବେଳେ ଜଳନ୍ଧର ବା ବିବନ୍ ରହୁଥିବା ଘର ତଲାସୀ କରିଥିଲା ପୁଲିସ୍ । ଆମ୍ବିଭାଲିର ବିବନ୍ ଘରୁ ମିଳିଥିଲା ୨ ପୁଅ ଏବଂ ପତ୍ନୀର ଆଧାର କାର୍ଡ । ଆଉ ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିଲା ।