ହାଇଦ୍ରାବାଦ ସୈତାନଙ୍କୁ ଏମିତି ଧରିଥିଲା ପୋଲିସ? । ପେଟ୍ରୋଲ ପମ୍ପର କର୍ମଚାରୀ ଦେଇଥିଲେ ବଡ ସୁରାକ୍, ସେଦିନ ରାତି ୧ଟାରେ ହୋଇଥିଲା କଣ?

13,671

ହାଇଦ୍ରାବାଦ ସୈତାନଙ୍କୁ ଏନକାଉଣ୍ଟର କରି ମାରିବାର ପାଖାପାଖି ଦେଢ ଦିନ ବିତି ସାରିଲାଣି । ପୂରା ଦେଶରେ ଏହି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ପୋଲିସକୁ ପ୍ରଂଶସାର ସୁଅ ଛୁଟିଛି । ମାତ୍ର ୧୦ ଦିନ ମଧ୍ୟରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସଫା କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସାଧାରଣ ଜନତା । ତେବେ ଏନକାଉଣ୍ଟର କରିବା ପୂର୍ବରୁ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ନିଜ ହେପାଜତରେ ରଖିଥିଲା । ଡାକ୍ତରୀ ଯୁବତୀ ଦିଶାଙ୍କୁ ଗଣଦୁଷ୍କର୍ମ ଓ ଜାଳି ହତ୍ୟା କରିବା ପରେ ପୂରା ଦେଶରେ ଯେତେବେଳେ ତେଲେଙ୍ଗାନା ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଥିଲା ସେତେବେଳେ ଗଣଦୁଷ୍କର୍ମ ଘଟଣାର ମାତ୍ର ୬୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । କିନ୍ତୁ ଏତେ କମ ସମୟ ମଧ୍ୟରେ କିଭଳି ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ।  ତେବେ ଅଭିଯୁକ୍ତଙ୍କ ଧରାଇବା ପଛରେ ଥିଲା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ ହାତ । ଯିଏ ଅଭିଯୁକ୍ତଙ୍କ ବାବଦରେ ପୋଲିସକୁ ଦେଇଥିଲେ ପୂରା ତଥ୍ୟ । ଏପରିକି ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ସୈତାନଙ୍କ ବାବଦରେ ଅନେକ ସତ ସାମ୍ନାକୁ ଆଣିଥିଲା ।

ହାଇଦ୍ରାବାଦ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଜାଳିବା ପାଇଁ ପେଟ୍ରୋଲର ଆବଶ୍ୟକତା ପଡିଥିଲା । ତେଣୁ ଅଭିଯୁକ୍ତ ଜୋଲୁ ଶିବା ରାତି ପ୍ରାୟ ୧ଟା ସମୟରେ ପାଖରେ ଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିବାକୁ ପହଞ୍ଚିଥିଲେ । ହାତରେ ୨ ଲିଟର ବୋତଲ ଧରି ପେଟ୍ରୋଲ କିଣିବାକୁ ପହଞ୍ଚିଥିଲେ ମଧ୍ୟ ଖୋଲାରେ ଏଭଳି ପେଟ୍ରୋଲ ଦେବାକୁ ମନା କରିଥିଲେ କର୍ମଚାରୀ । ତେଣୁ ପେଟ୍ରୋଲ ପମ୍ପରୁ ତରବରିଆ ଭାବେ ଚାଲିଯାଇଥିଲା ଶିବା । ତେବେ ସନ୍ଦେହ ହେବାରୁ ଶିବାର ପିଛା କରିଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । କିନ୍ତୁ ଅନ୍ୟ ଏକ ପେଟ୍ରୋଲ ପମ୍ପରୁ ଡବା ଭର୍ତ୍ତି କରି ପେଟ୍ରୋଲ ନେଇଥିଲା ଶିବା । ଆଉ ଏହି ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କ ବାବଦରେ ପ୍ରଥମ ସୁରାକ ପାଇଥିଲା ପୋଲିସ ।

ତଦନ୍ତ ଆରମ୍ଭ ପରେ ଗଣଦୁଷ୍କର୍ମ ଘଟଣା ରାତିରେ ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବା ବେଳେ ଅଭିଯୁକ୍ତଙ୍କ ବାବଦରେ ଆଉ କିଛି ତଥ୍ୟ ହାସଲ କରିଥିଲା । ପରେ ଅଭିଯୁକ୍ତ ଶିବାଙ୍କର ସ୍କେଚ ତିଆରି କରିବାରେ ଏହି ପେଟ୍ରୋଲ ପମ୍ପ କର୍ମଚାରୀ ସହଯୋଗ କରିଥିଲେ । ଏପରିକି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଶିବାଙ୍କୁ ଚିହ୍ନଟ କରିଥିଲେ ଉକ୍ତ ପେଟ୍ରୋଲ ପମ୍ପ କର୍ମଚାରୀ । ପରେ ପୋଲିସ ଆଗରେ ସବୁ ସତ ବଖାଣିଥିଲେ ଅଭିଯୁକ୍ତ ।