ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ହେଉଛି ଠକେଇ, ତେଲ ପକାଇବା ବେଳେ ଗ୍ରାହକଙ୍କୁ ଏମିତି କରାଯାଉଛି ଲୁଟ୍ । ଜାଣି ରଖନ୍ତୁ ପେଟ୍ରୋଲ ପମ୍ପରେ ହେଉଥିବା ଠକେଇର କିଛି ତରିକା, ନଚେତ ଫାଙ୍କା ହୋଇଯିବ ଆପଣଙ୍କ ପକେଟ ।

1,025

ଗୋଟିଏ ପଟେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଅନ୍ୟପଟେ ପେଟ୍ରୋଲ ପମ୍ପରେ ଗ୍ରାହକ ଠକେଇର ଶିକାର ହେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ଗ୍ରାହକ ଠକାମୀର ଶିକାର ହେଉଛନ୍ତି । ଗାଡି ଚାଳକ ଟଙ୍କା ଠିକ୍ ଦେଇଥିବେ ଆଉ ପେଟ୍ରୋଲ କମ୍ ପାଇଥିବେ । ବଡ ଚାଲାକିର ସହ ଗ୍ରାହକଙ୍କ ଅଜାଣତରେ ପକେଟ ଖାଲି କରି ଦେଉଛନ୍ତି କିଛି ଲାଭଖୋର ପେଟ୍ରୋଲ ପମ୍ପ ମାଲିକ । ତେବେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ କେମିତି ଠକାଯାଏ ଓ ଏଥିରୁ କିଭଳି ବର୍ତ୍ତିପାରିବେ ତାହା ଆପଣ ଜାଣିବା ନିହାତି ଜରୁରୀ ।

ମିଟର ଶୂନ ଥିଲେ ତେଲ ପକାନ୍ତୁ :

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ସବୁବେଳେ ମିଟର ଜିରୋ ରହିବା ଆବଶ୍ୟକ । ଅଧିକାଂଶ ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଆପଣଙ୍କୁ ମିଟର ଜିରୋ ଦେଖାଇଥାନ୍ତି ସତ କିନ୍ତୁ କଥା ଛଳରେ ଆପଣଙ୍କ ଦ୍ୱାରା ମଗାଯାଇଥିବା ପେଟ୍ରୋଲର ମୂଲ୍ୟ ମିଟରରେ ସେଟ୍ କରିନଥାନ୍ତି । ତେଣୁ ଏଭଳି ସମୟରେ ଗ୍ରାହକ ଠକାମୀର ଶିକାର ହୋଇପାରନ୍ତି । ଏବେ ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ଡିଜିଟାଲ ମିଟର ଲଗାଯାଇଛି । ତେଣୁ ତେଲ ପକାଇବା ପୂର୍ବରୁ କେତେ ମୂଲ୍ୟର ତେଲ ପକାଇବେ ତାହା ମିଟରରେ ଫିଡ୍ କରିବାକୁ କୁହନ୍ତୁ ଯାହାଦ୍ୱାରା ଠକାମୀର ସମ୍ଭାବନା କମିଯାଇଥାଏ ।

ନୋଜଲ ବାହାରକୁ ଦେଖାଯିବା ଆବଶ୍ୟକ :

ଗାଡିରେ ତେଲ ଭରୁଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀ ନୋଜଲକୁ ଟାଙ୍କି ଭିତରେ ପୂରାଇ ରଖିଥାନ୍ତି ଯାହାଦ୍ୱାରା ପେଟ୍ରୋଲ ଭର୍ତ୍ତି ହେଉଛି କି ନାହିଁ ତାହା ଜଣା ପଡେ ନାହିଁ । ତେଣୁ ଗାଡିରେ ତେଲ ପକାଇବା ବେଳେ ନୋଜଲକୁ ଟିକିଏ ଉପରକୁ ଟେକି ରଖିବାକୁ କୁହନ୍ତୁ, ଯାହାଦ୍ୱାରା ଟାଙ୍କିରେ ତେଲ ଭର୍ତ୍ତି ହେଉଛି କି ନାହିଁ ଜାଣିପାରିବେ ।

ରିଡିଂରେ ଠକେଇ :

କେବଳ ମିଟର ଶୂନ ରହିଲେ ହେବନି, ବରଂ ମିଟର ରିଡିଂ କେଉଁ ସଂଖ୍ୟାରୁ ଆରମ୍ଭ ହେଉଛି ତାହା ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ । ସିଧା ୧୦ କିମ୍ବା ୧୫ରୁ ମିଟର ରିଡିଂ ହେଉଥିଲେ ଆପଣ ଠକାମୀର ଶିକାର ହୋଇପାରନ୍ତି । କାରଣ ମିଟର ରିଡିଂ ୩ରୁ ଯେତିକି ଅଧିକ ହେବ ଆପଣଙ୍କ ପକେଟ ସେତିକି ଫାଙ୍କା ହେବ । ତେଣୁ ସର୍ବଦା ୩ ଭିତରେ ମିଟର ରିଡିଂ ଆରମ୍ଭ ହେବା ଆବଶ୍ୟକ ।

ମିଟର ଅଧିକ ଜୋର ଚାଲୁଥିଲେ :

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ  ଯଦି ମିଟର ଜୋର ଚାଲୁଥାଏ ତେବେ ଜାଣି ରଖନ୍ତୁ କିଛି ଗଡବଡ ରହିଛି । ତେଣୁ ଏଭଳି ସମୟରେ ମିଟରର ସ୍ପିଡ କମ କରିବାକୁ କର୍ମଚାରୀଙ୍କୁ କୁହନ୍ତୁ । କାରଣ ଯେତିକି ଅଧିକ ସ୍ପିଡରେ ମିଟର ଚାଲିବ ଆପଣଙ୍କ ପକେଟ ସେତିକି ଫାଙ୍କା ହେବ ।

ପାଇପ ଦାବି ରଖୁଥିଲେ ସାବଧାନ :

ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ସର୍ବଦା ତେଲ ପକାଉଥିବା କର୍ମଚାରୀଙ୍କ ଉପରେ ଧ୍ୟାନ ରଖନ୍ତୁ । କାରଣ ଅଧିକାଂଶ ସମୟରେ ତେଲ ଆସୁଥିବା ପାଇପକୁ କର୍ମଚାରୀ ଦାବି ଧରିଥାନ୍ତି । ଯାହା ଫଳରେ କମ ସ୍ପିଡରେ ତେଲ ଆସୁଥିବା ବେଳେ ମିଟର ସେମିତି ଚାଲୁଥାଏ । ତେଣୁ ଏଭଳି ସ୍ଥିତିରେ ଉକ୍ତ କର୍ମଚାରୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ।

ମେସିନରେ ଚିପ୍ ଲାଗୁଛି, ତେଲ କମ ଆସୁଛି !

ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପ ମେସିନରେ ଚିପ୍ ଲଗାଇ ମଧ୍ୟ ଗ୍ରାହକଙ୍କୁ ଠକୁଥିବାର ଅଭିଯୋଗ ସାମ୍ନାକୁ ଆସୁଛି । ଉକ୍ତ ଚିପରେ ପୂର୍ବରୁ ବିଭିନ୍ନ ମୂଲ୍ୟ ଧାର୍ଯ୍ୟ କରି ରଖାଯାଇଥାଏ । ଯାହାଫଳରେ ଚିପକୁ ହ୍ୟାକ୍ କରି ବେଶ ଆରାମରେ ଗ୍ରାହକଙ୍କୁ ଲୁଟି ଥାଆନ୍ତି ଲାଭଖୋର ପେଟ୍ରୋଲ ପମ୍ପ ମାଲିକ । ଏହାଛଡା ଦେଶ ତଥା ରାଜ୍ୟରେ ବିଭିନ୍ନ ସମୟରେ ପମ୍ପିଂ ମାଧ୍ୟମରେ ବି ଗ୍ରାହକଙ୍କୁ ଠକାଯାଇଥାଏ । ଏଭଳି ଠକେଇ ହେଉଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ ମଧ୍ୟ କରାଯାଇଛି ।