କନକ ବ୍ୟୁରୋ: ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଜଣା ପଡିବା ପରେ ସୀମାରେ କଡାକଡି ହୋଇଛି ଯାଂଚ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଡା ନଜର ରଖିଛି ପୁଲିସ । ବିଶେଷ କରି କୋଲକାତାରୁ ଆସୁଥିବା ବ୍ୟକ୍ତିଙ୍କୁ ତନତନ କରି ଯାଂଚ କରୁଛି ପୁଲିସ । ପଶ୍ଚିମବଙ୍ଗ-ବାଲେଶ୍ୱର ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟରେ ଜଗି ରହିଛି ପୁଲିସ । କିନ୍ତୁ କିଛି ଅମାନିଆ ଲୋକ ଗଳାବାଟ ଦେଇ ରୋଗୀ ସାଜି ଆମ୍ବୁଲାନ୍ସରେ ରାଜ୍ୟ ଭିତରକୁ ପ୍ରବେଶ କରୁଛନ୍ତି । ଆଉ ପୁଲିସ ହାବୁଡରେ ପଡିଯିବା ପରେ ସୀମାରୁ କ୍ୱାରେନ୍ଟାଇନ୍ ହୋମକୁ ଯାଇଛନ୍ତି ।
ବାଲେଶ୍ୱର ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟର ଏହି ଦୃଶ୍ୟ ଦେଖି ଯେକେହି ଭାବିବେ ବହୁ ସଂଖ୍ୟାରେ ରୋଗୀ ପଶ୍ଚିମବଙ୍ଗରୁ ଓଡିଶା ଆସିଛନ୍ତି । ଆଉ ସେମାନଙ୍କ ଚିକିତ୍ସା ବହୁତ ଜରୁରୀ । ବହୁ ସଂଖ୍ୟାରେ ଆମ୍ବୁଲାନ୍ସକୁ ଅଟକାଇ ଦେଇଛି ପୁଲିସ । ପରେ ଜଣାପଡିଲା ଏସବୁ ଆମ୍ବୁଲାନ୍ସରେ ଓଡିଶା ପଶିବାକୁ ଚେଷ୍ଟା କରୁଛନ୍ତି ପଶ୍ଚିମବଙ୍ଗରୁ ଆସୁଥିବା କିଛି ବ୍ୟକ୍ତି । ଏମାନେ ରୋଗୀ ସାଜି ଆମ୍ବୁଲାନ୍ସରେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିଲେ । ପୁଲିସ ଆମ୍ବୁଲାନ୍ସକୁ ଅଟକ ରଖିବା ସହ ଆମ୍ବୁଲାନ୍ସରେ ଥିବା ବ୍ୟକ୍ତିଙ୍କୁ କ୍ୱରେନ୍ଟିନ୍ ହୋମକୁ ପଠାଇ ଦେଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଜଣାପଡିବା ପରେ ଓଡିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଲକ୍ଷ୍ମଣନାଥ ତନଖୀ ଫାଟକକୁ ସଂପୂର୍ଣ୍ଣ ଭାବେ ସିଲ କରାଯାଇଛି । ଆଉ ଏତିକି ବେଳେ କିଛି ବ୍ୟକ୍ତି ଗଳାବାଟ ଖୋଜି ଓଡିଶା ଭିତରକୁ ପ୍ରବେଶ କରୁଛନ୍ତି ।
ମାର୍ଚ ୨୮ ତାରିଖରୁ ସୀମା ସିଲ ହେବା ପରଠାରୁ ଶହଶହ ସଂଖ୍ୟାରେ ଲୋକ ବିଭିନ୍ନ ଗଳାବାଟ ଦେଇ ପଶ୍ଚିମବଙ୍ଗରୁ ଓଡିଶାକୁ ଆସିଛନ୍ତି । ଆଉ ଏବେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କୋଲକାତାରୁ ଆସିଥିବା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୀମାରେ ଗଳାବାଟ ଖୋଜୁଛି ପୁଲିସ । ବାଲେଶ୍ୱରର ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟରେ ପୁଲିସ କଡା ଯାଂଚ କରୁଛି । ପୁଲିସର କହିବା ଅନୁସାରେ ଯିଏ ଯେଉଁ ଗଳାବାଟ ଦେଇ ଆସିଲେ ବି ବାଲେଶ୍ୱର ଭିତରକୁ ଯିବାକୁ ହେଲେ ଏହି ବ୍ରିଜ ଦେଇ ଯିବାକୁ ପଡିବ ।
ପୁଲିସ ବିଭିନ୍ନ ସ୍ଥାନାରେ ନାକାବନ୍ଦୀ କରି ଯାଂଚ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ନିଜେ ସୀମାନ୍ତବର୍ତୀ ଅଂଚଳ ବୁଲି ଗଳାବାଟ ଖୋଜିଛନ୍ତି । କରଣ ପଶ୍ଚିମବଙ୍ଗର ସୀମା ସିଲ ନହେବା ଯାଏଁ ଓଡିଶାରେ କରୋନା ଭୟ ବଢି ବଢି ଚାଲିଥିବ ବୋଲି ଆଶଙ୍କା କରାଯାଉଛି ।