ସେନାର ସମ୍ମାନ ‘ବଳିଦାନ ବ୍ୟାଜ୍’ । ଯାହାକୁ ପାଇବା ପାଇଁ ପାରା କମାଣ୍ଡୋଙ୍କୁ କାଚ ଖାଇବାକୁ ପଡିଥାଏ ।

646

ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଧୋନୀ ପିନ୍ଧିଥିବା ଗ୍ଲୋଭସକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଧୋନିଙ୍କ ଗ୍ଲୋଭସରେ ଥିବା ପାରା କମାଣ୍ଡୋ ଲୋଗୋକୁ ନେଇ ଏବେ ସୋସିଆଲ ମିଡିଆ ୱାର ଆରମ୍ଭ ହୋଇଛି । ଗୋଟିଏ ପଟେ ଆଇସିସି ଏହି ବଳିଦାନ ଲୋଗୋକୁ ହଟାଇବାକୁ ବିସିସିଆଇକୁ ଅପିଲ କରିଥିବା ବେଳେ ଅନ୍ୟପଟେ ବିସିସିଆଇ ପକ୍ଷରୁ ଏହି ଲୋଗୋ ହଟାଇବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛି । ତେବେ କଣ ଏହି ବଳିଦାନ ଲୋଗୋ ଓ କାହିଁକି ପ୍ରତି ଯବାନ ଏହି ବ୍ୟାଜ୍ ପାଇବା ପାଇଁ ସ୍ୱପ୍ନ ଦେଖିଥାନ୍ତି ।

ପାରା କମାଣ୍ଡୋ । ଭାରତୀୟ ସେନାର ସବୁଠୁ ଘାତକ କମାଣ୍ଡୋ ଭାବେ ଜଣାଶୁଣା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିନା ଶତ୍ରୁଙ୍କୁ ନିପାତ କରିବାରେ ଏମାନେ ପୂରା ପାରଙ୍ଗମ । ଆଉ ଏହି କୌଶଳରେ ମାହିର ହେବାକୁ ପାରା କମାଣ୍ଡୋଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ । ପାରା କମାଣ୍ଡୋ ହେବା ପାଇଁ ପ୍ରତି ଯବାନଙ୍କୁ ପାରାଟ୍ରୁପର୍ସ କ୍ୱାଲିଫାଇ କରିବାକୁ ପଡିଥାଏ । ଏଥିରେ ସଫଳ ହେବା ପରେ ସ୍ପେଶାଲ ଫୋର୍ସରେ ସାମିଲ ହୋଇଥାନ୍ତି ଯବାନ ।

ଭାରତୀୟ ସେନାର ଯବାନ ମାନେ ହିଁ କେବଳ ପାରାଟ୍ରୁପର୍ସ ପାଇଁ ଆବେଦନ କରିପାରିବେ । ଏଥିରେ ଯବାନ ମାନଙ୍କୁ ୩ ମାସ ପ୍ରଶିକ୍ଷଣ ଦିଆଯାଇଥାଏ । ଯେଉଁଥିରେ ଯବାନ ମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ପରୀକ୍ଷା ଦେବାକୁ ପଡିଥାଏ । ସଫଳ ହୋଇଥିବା ଯବାନଙ୍କୁ ଆହୁରି କଡା ପ୍ରଶିକ୍ଷଣ ପାଇଁ ଉତ୍ତର ପ୍ରଦେଶରେ ଥିବା ପାରାଟ୍ରୁପର୍ସ ଟ୍ରେନିଂ ସ୍କୁଲକୁ ପଠାଯାଇଥାଏ । ଯେଉଁଠାରେ ଯବାନ ମାନଙ୍କୁ କଠିନରୁ କଠିନ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ଏହି ଟ୍ରେନିଂ ସମୟରେ ହିଁ ଯବାନ ମାନଙ୍କୁ ଆକାଶପଥରୁ ଡେଇଁବାକୁ ପଡିଥାଏ । ଏପରିକି ଅନ୍ଧକାରରେ ଏହି ଟ୍ରେନିଂ ହୋଇଥାଏ । ଏହାପରେ ଯେଉଁ ଯବାନ ମାନେ ସ୍ପେଶାଲ ପାରା ଫୋର୍ସରେ ସାମିଲ ହେବାକୁ ଚାହିଁବେ ସେମାନଙ୍କୁ ଅତିରିକ୍ତ ୩ ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇଥାଏ ।

ପାରା କମାଣ୍ଡୋଙ୍କୁ ଦିଆଯାଉଥିବା ଟ୍ରେନିଂ ବିଶ୍ୱର ସବୁଠୁ କଷ୍ଟଦାୟକ ଟ୍ରେନିଂ ମଧ୍ୟରୁ ଅନ୍ୟତମ । ଯେଉଁଠି ଯବାନ ମାନଙ୍କୁ ବହୁତ କଠିନ ପରିସ୍ଥିତି ସହ ଗତି କରିବାକୁ ପଡିଥାଏ । ଯବାନ ମାନଙ୍କୁ ଶୋଇବାକୁ ଦିଆଯାଇନଥାଏ, ଅଧିକାଂଶ ଦିନ ଉପାସରେ ରଖାଯାଇଥାଏ, ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥାଏ । ଏପରିକି ଯବାନ ଥକି ଯାଇଥିଲେ ମଧ୍ୟ ଟ୍ରେନିଂ ବନ୍ଦ ହୋଇନଥାଏ । ଖାଇବା ନ ମିଳିଲେ ମଧ୍ୟ ପାରିପାଶ୍ୱିକ ସ୍ଥିତିରେ ଯାହା ଉପଲବ୍ଧ ଥିବ ସେଥିରେ କେମିତି ଜୀବନ ବଞ୍ଚାଇ ହେବ ତାହା ଟ୍ରେନିଂ ସମୟରେ ଯବାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ ।
ଏଭଳି ଯନ୍ତ୍ରଣାଦାୟକ ଟ୍ରେନିଂ ପୂରା କରିବା ପରେ ଯବାନ ମାନଙ୍କୁ ଗୋଲାପୀ ରଙ୍ଗର ଟୋପି ଦିଆଯାଇଥାଏ । କିନ୍ତୁ ଏହାପରେ ଯେଉଁ ବଳିଦାନ ଲୋଗୋ ଥିବା ବ୍ୟାଚ୍ ଦିଆଯାଇଥାଏ ତାହା ପାଇବା ପାଇଁ ତାହାକୁ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥାନ୍ତି ଯବାନ ମାନେ । କିନ୍ତୁ ଏହି ବ୍ୟାଜ୍ ହାସଲ କରିବା ପାଇଁ ମଧ୍ୟ ଶେଷ ମୁହୂର୍ତ୍ତରେ ବଡ ପରୀକ୍ଷା ଦେବାକୁ ପଡିଥାଏ । ଗୋଲାପୀ ଟୋପି ମିଳିବା ପରେ ଯବାନ ମାନଙ୍କୁ ଗ୍ଲାସ ଭର୍ତ୍ତି ରମ ପିଇବାକୁ ଦିଆଯାଇଥାଏ । ଏହାକୁ ପିଇବା ପରେ ଗ୍ଲାସକୁ ଦାନ୍ତରେ ଭାଙ୍ଗିବା ସହ ଏହାକୁ ଚୋବାଇ ଖାଇବାକୁ ପଡିଥାଏ । ଆଉ ଏହାପରେ ଯବାନଙ୍କ ଛାତିରେ ଶୋଭା ପାଇଥାଏ ବଳିଦାନ ବ୍ୟାଜ୍ । ଆଉ ଏହାସହ ପାରା କମାଣ୍ଡୋ ସ୍ପେଶାଲ ଫୋର୍ସରେ ସାମିଲ ହୋଇଥାନ୍ତି ଯବାନ ।