୮୦୦ ଟନ୍ ଅଚଳ ନୋଟକୁ ନଷ୍ଟ କରିବା ପରେ କାହିଁକି ପଠାଗଲା ଦକ୍ଷିଣ ଆଫ୍ରିକା? ଜାଣନ୍ତୁ ଏହା ପଛର ରୋଚକ କାହାଣୀ?

353

କନକ ବ୍ୟୁରୋ : ନୋଟବନ୍ଦୀ ବା ବିମୁଦ୍ରାକରଣକୁ ୫ ବର୍ଷ ପୂରି ସାରିଛି । ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧନ କରିବା ସହ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ନେଇ ଘୋଷଣା କରିଥିଲେ । ଆଉ ମୋଦୀଙ୍କ ଏହି ଘୋଷଣା ପୂରା ଦେଶବାସୀଙ୍କୁ ବେଶ କିଛି ସମୟ ପାଇଁ ଚକିତ କରି ଦେଇଥିଲା । ମୋଦୀଙ୍କ ଏହି ଘୋଷଣାରେ ପ୍ରାୟ ୧୫.୪୧ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା । ଯାହା ଦେଶର ମୋଟ ପ୍ରଚଳିତ ଟଙ୍କାର ୮୬ ପ୍ରତିଶତ ଥିଲା । କିନ୍ତୁ ଏତେ ଅଚଳ ଟଙ୍କା ଗଲା କୁଆଡେ ତାହା ବାବଦରେ ଅନେକ ଥର ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଚଳ ନୋଟରୁ କିଛି ଭାଗ ଦକ୍ଷିଣ ଆଫ୍ରିକା ପଠାଯାଇଥିଲା । ଅଚଳ ହୋଇଯାଇଥିବା ନୋଟର ଓଜନ ହଜାର ହଜାର ଟନ୍ ଥିଲା । କିନ୍ତୁ ଏଥିରୁ ୮୦୦ ଟନର ନୋଟକୁ ପ୍ରୋସେସ କରି ଦକ୍ଷିଣ ଆଫ୍ରିକା ପଠାଯାଇଥିଲା । ଦକ୍ଷିଣ ଆଫ୍ରିକାକୁ ଏହା ପଠାଯିବା ପୂର୍ବରୁ କେରଳର ଏକ ପ୍ଲାଇବୋର୍ଡ ଫ୍ୟାକ୍ଟ୍ରିକୁ ପଠାଯାଇଥିଲା । ଆଉ ଏହିଠାରେ ଏହି ନୋଟକୁ ଟୁକୁଡା ଟୁକୁଡା କରାଯିବା ହାର୍ଡ ବୋର୍ଡ ପ୍ରସ୍ତୁତ କରାଯାଇଥିଲା । ଆଉ ଏହି ହାର୍ଡ ବୋର୍ଡର ବ୍ୟବହାର ଦକ୍ଷିଣ ଆଫ୍ରିକାରେ କ୍ଷତିଗ୍ରସ୍ତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ କରାଯାଇଥିଲା ।

ରିପୋର୍ଟ ମୁତାବକ, ଭାରତୀୟ ରିଜର୍ଭ ବ୍ୟାଙ୍କ ଟନ ଟନ୍ ଅଚଳ ନୋଟକୁ ନଷ୍ଟ କରିବା ପାଇଁ ପୂରା ଦେଶରେ ୨୭ଟି ସେଣ୍ଟର ଖୋଲାଯାଇଥିଲା । ଯେଉଁଥିରୁ କେରଳରେ ମଧ୍ୟ ଏକ ସେଣ୍ଟରକୁ ପ୍ରସ୍ତୁତ କରାଯାଇଥିଲା । ବିମୁଦ୍ରାକରଣର ଗୋଟିଏ ମାସ ପୂର୍ବରୁ ଉକ୍ତ ସେଣ୍ଟରକୁ ଅଗ୍ରୀମ ଦିଆଯାଇଥିଲା । ଅଚଳ ଟଙ୍କା ପହଞ୍ଚିବା ପରେ ଏହାକୁ ହାର୍ଡ ବୋର୍ଡ ଏବଂ ସଫ୍ଟ ବୋର୍ଡ ନିର୍ମାଣରେ ବ୍ୟବହାର କରାଯାଇଥିଲା । ୮୦୦ ଟନ୍ ଓଜନର ନୋଟକୁ କାଟିବା ସହ ପାଖାପାଖି ଏକବର୍ଷ ପର୍ଯ୍ୟନ୍ତ ଏଠାରେ ହାର୍ଡ ବୋର୍ଡ ନିର୍ମାଣ ଚାଲିଥିଲା । ନୋଟବନ୍ଦୀ ପୂର୍ବରୁ ଆରବିଆଇ ସହ ମିଶି କାମ କରୁଥିଲା ଉକ୍ତ କମ୍ପାନି । ତେବେ ପରବର୍ତ୍ତୀ ସମୟରେ ଟଙ୍କା ଛପା କାମ ବଦଳରେ ହାର୍ଡବୋର୍ଡ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା କମ୍ପାନି । ନୋଟବନ୍ଦୀ ପୂର୍ବରୁ ହିଁ କିଛି ଖରାପ ବା ନଷ୍ଟ ହୋଇଯାଇଥିବା ନୋଟକୁ ନଷ୍ଟ କରିବାକୁ ଅକ୍ଟୋବର ୨୦୧୬ରେ ପ୍ରଥମ ଅର୍ଡର ମିଳିଥିଲା ।