ଓଡ଼ିଶାରେ କେମିତି ଚାଲିଛି ଅନଲାଇନ ପାଠ : କେତେ ପିଲାଙ୍କ ପାଖରେ ମୋବାଇଲ ନାହିଁ ? କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଲା ଓଡ଼ିଶା

106

କନକ ବ୍ୟୁରୋ : ଗତ ଦେଢ ବର୍ଷରୁ ଅଧିକ ସମୟ ଧରି କୋଭିଡ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଥିବା ବେଳେ ଅନଲାଇନ ପାଠପଢାକୁ ବିକଳ୍ପ ଭାବେ ନିଆଯାଇଛି । କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସବୁଆଡେ କଟକଣା ଲଗାଯାଇଥିବା ବେଳେ ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ କରାଯାଇ ଅନଲାଇନରେ ପାଠପଢା ଚାଲିଛି । ତେବେ ରାଜ୍ୟ ସରକାର ଦେଇଥିବା ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ମୋବାଇଲ ବା କୌଣସି ଡିଜିଟାଲ ଡିଭାଇସ ଉପଲବ୍ଧ ନାହିଁ । କେନ୍ଦ୍ର ଶିକ୍ଷା ବିଭାଗ ମାଗିଥିବା ତଥ୍ୟ ପରେ ଓଡ଼ିଶା ସରକାର ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ରାଜ୍ୟରେ ମୋଟ ୬୭ହଜାର ୨୦ସ୍କୁଲ ଥିବା ବେଳେ ୩ଲକ୍ଷ ୪୮ହଜାର ୨୪୯ଶିକ୍ଷକ ଅଛନ୍ତି । ଏବଂ ୭୬ଲକ୍ଷ ୮୬ହଜାର ୮୯୪ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ କୌଣସି ଡିଜିଟାଲ ଡିଭାଇସ ନାହିଁ । ଏତେ ପିଲାଙ୍କ ପାଖରେ ମୋବାଇଲ ନଥିବା ଯୋଗୁଁ ପିଲାଙ୍କ ପାଠପଢା କେମିତି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସାରା ଦେଶରେ ୨କୋଟି ୯୬ଲକ୍ଷ ୪୮ହଜାର ୫୮୩ପିଲାଙ୍କ ପାଖରେ ମୋବାଇଲ ନାହିଁ । ବିହାରରେ ସର୍ବାଧିକ ୧କୋଟି ୪୩ଲକ୍ଷ ପିଲାଙ୍କ ନିକଟରେ ଡିଜିଟାଲ ଡିଭାଇସ ନାହିଁ । ସେହିପରି ତାମିଲନାଡୁରେ ୧୭ଲକ୍ଷ ୫୦ହଜାର, କର୍ଣ୍ଣାଟକରେ ୩୧ଲକ୍ଷ ୩୧ହଜାର ୯୮, ଝାଡଖଣ୍ଡରେ ୩୨ଲକ୍ଷ ୫୨ହଜାର ୨୫୫ ଓ ଆସାମରେ ୩୧ଲକ୍ଷ ୬ହଜାର ୨୫୫ଜଣ ପିଲାଙ୍କ ପାଖରେ ମୋବାଇଲ ନାହିଁ ।