ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ୟାସ୍ । ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ପଢନ୍ତୁ, ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ପ୍ରସ୍ତୁତି…

162

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ୟାସ୍ ଧୀରେ ଧୀରେ ବଳ ଗୋଟାଉଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ । ଏହା ଆଗରୁ ଓଡିଶାର ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ଜୋର ଧରିଛି ବାତ୍ୟା ମୁକାବିଲାର ପ୍ରସ୍ତୁତି । ବାଲେଶ୍ୱର, ମୟୂରଭଂଜ, କେନ୍ଦ୍ରାପଡା ଓ ଭଦ୍ରକ ପରି ଜିଲ୍ଲାରେ ବାତ୍ୟା ଆଗରୁ ସଜାଗ ହୋଇଗଲାଣି ପ୍ରଶାସନ ।

ସାମୁଦ୍ରିକ ବାତ୍ୟା ୟାସ୍ ଆସିବା ଆଗରୁ କେନ୍ଦ୍ରାପଡା ଜିଲ୍ଲା ଉପକୂଳ ଅଂଚଳରେ କିପରି ଲୋକଙ୍କ ଧନଜୀବନ ରକ୍ଷା କରାଯାଇ ପାରିବ ଏହା ଏବେ ମୁଖ୍ୟ ଫୋକସ । ସେଥିପାଇଁ ପାରାଦୀପ ମେରାଇନ ଥାନା ପୋଲିସ ସ୍ୱତନ୍ତ୍ର ବୋଟ୍ ଯୋଗେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଇଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ କିପରି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ଗ୍ରାଉଣ୍ଡ ଜିରୋରେ ନିଜେ ପହଁଚି ସ୍ଥିତି ଦେଖିଛନ୍ତି ଜିଲ୍ଲାପାଳ । ମହାକାଳପଡା ବ୍ଲକରେ ପହଁଚି ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକର ଯାଞ୍ଚ କରିଛନ୍ତି । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ ପୂରା ପ୍ରସ୍ତୁତ ରହିଛି ।

ବାତ୍ୟା ଆସିବା ଆଗରୁ ଭଦ୍ରକରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ । ଭଦ୍ରକ ଜିଲ୍ଲାର ୯ଟି ଓ ଜିଲ୍ଲା ବାହାରୁ ୧୨ଟି ଟିମକୁ ମିଶାଇ ମୋଟ୍ ୨୧ଟି ଟିମ୍ ବାତ୍ୟା ମୁକାବିଲା ପାଇଁ ସଜାଗ ହୋଇ ରହିଛି । ବାତ୍ୟା ପରବର୍ତି ସମୟରେ କିପରି ରାସ୍ତା ସଫା, ଉଦ୍ଧାର କାମ ହେବ ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

ସେହିପରି ମୟୂରଭଂଜରେ ବାତ୍ୟା ଆଶ୍ରୟ ସ୍ଥଳରେ ପହଁଚିଛନ୍ତି ନିଜେ ଜିଲ୍ଲାପାଳ । କିପରି ରହିଛି ପ୍ରସ୍ତୁତି , ଆଉ ବାତ୍ୟା ଆଗରୁ କିପରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସୁଥିବା ବାତ୍ୟା ୟାସ୍ ପାଇଁ ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବାରୁ ଚିନ୍ତା ଅଧିକ ବଢି ଯାଇଛି ।  ବାତ୍ୟା ୟାସ୍ ପହଁଚିବା ଆଗରୁ ଏହାର ମୁକାବିଲା ନେଇ ବାଲେଶ୍ୱର ଜିଲ୍ଲାର ସୋରରେ ପୁରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଏସଆରସିଙ୍କ ସହିତ ଭିଡିଓ କନଫରେନ୍ସରେ ବୈଠକ କରି ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ଅଧିକାରୀ । ବାହାନଗା ବ୍ଲକରେ ୧୮ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ୨୯ଟି ସ୍କୁଲରେ ସାଢେ ୮ ହଜାର ଲୋକଙ୍କୁ ରଖିବାର ବ୍ୟବସ୍ଥା କରିଛି ପ୍ରଶାସନ । କଟକ ଜିଲ୍ଲାର ଆଠଗଡରେ ମଧ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି କରାଯାଇଛି । ଅଗ୍ନିଶମ ବାହିନୀର ଟିମକୁ ପୁରା ସଜାଗ ରଖାଯାଇଛି ।