ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଲେଣି ଓମିକ୍ରନ ଆକ୍ରାନ୍ତ । ଜାଣନ୍ତୁ ଓମିକ୍ରନର ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା?

286

କନକ ବ୍ୟୁରୋ : ଗୋଟିଏ ପଟେ ଓମିକ୍ରନ ପୂରା ବିଶ୍ୱର ଚିନ୍ତା ବଢାଇଥିବା ବେଳେ ଏବେ ଦେଶରେ ମଧ୍ୟ କିଛି ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ତେବେ ରାଜ୍ୟରେ ଏଯାବତ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଓମିକ୍ରନର ମୁକାବିଲା ପାଇଁ କିନ୍ତୁ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ଆଉ ଏଥିପାଇଁ ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଖାସକରି ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ଜଣାଯାଉଛି । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ରହିଛି, ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ ।  ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ, ପଜିଟିଭ ବାହାରିଲେ, ଜିନମ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି  । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ  ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ  । ସେମାନଙ୍କ ନିବେଦନ ରହିବ, ସଂଗରୋଧରେ ରୁହନ୍ତୁ  ।ଅତିକମରେ ୭ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରୁହନ୍ତୁ  । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ  ।ଟେଷ୍ଟ ପଜିଟିଭ ଆସିଲେ, ଜିନାମ ସିକ୍ୱେନ୍ସିଂ କଲେ, ଜଣା ପଡ଼ିବ, ଓମିକ୍ରନ ଅଛି ନା ନାହିଁ  । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି  ଏହା ସତ୍ୟ ଯେ ଓମିକ୍ରନର ସଂକ୍ରମଣ ହାର ଅଧିକ  । ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ରାଷ୍ଟ୍ରକୁ ବ୍ୟାପିଗଲାଣି  ।କିନ୍ତୁ ଯେଉଁ ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ  ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ  । ଟୀକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ନାହିଁ  । କିନ୍ତୁ ଟୀକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟୀକା କାମ କରୁଛି  ।ତେଣୁ ଆତଙ୍କିତ ନ ହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।