କନକ ବ୍ୟୁରୋ: ନୂଆବର୍ଷରୁ ଏଟିଏମ୍ ବ୍ୟବହାର ହେବ ମହଙ୍ଗା । ଏଣିକି ଏଟିଏମ୍ ବ୍ୟବହାର କରିବା ପାଇଁ ଲୋକଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦେଶର ସବୁ ବ୍ୟାଙ୍କକୁ, ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜ ବଢାଇବାକୁ ଅନୁମତି ଦେବା ପରେ, ନୂଆବର୍ଷରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଆପଣ ଯଦି ଏଟିଏମ୍ ବ୍ୟବହାର କରୁଛନ୍ତି, ଆଉ ଏଟିଏମ୍ ସାହାର୍ଯ୍ୟରେ ଟଙ୍କା କାରବାର କରୁଛନ୍ତି । ତେବେ ଆପଣ ଏହି ନୂଆ ନିୟମ ବିଷୟରେ ଜାଣି ରଖିବା ନିହାତି ଦରକାର । ନଚେତ୍ ଆପଣ ଏହି ନୂଆ ନିୟମ ପାଇଁ ଅସୁବିଧାରେ ପଡିପାରନ୍ତି ।
ରିଜର୍ଭ ବ୍ୟାଙ୍କର ସୂଚନା ମୁତାବକ, ଏଣିକି ଏଟିଏମ୍ ଫ୍ରି ଟ୍ରାଞ୍ଜାକ୍ସନ ପରେ, ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ପୂର୍ବରୁ ଏଥିପାଇଁ ବ୍ୟାଙ୍କ୍ ୟୁଜର୍ସଙ୍କଠାରୁ ୨୦ ଟଙ୍କା ନେଉଥିବାବେଳେ, ନୂଆବର୍ଷରୁ ଏହା ୨୧ ଟଙ୍କାକୁ ବୃଦ୍ଧି ପାଇବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଉଭୟ ଫାଇନାନସିଆଲ୍ ଏବଂ ନନ୍ ଫାଇନାନସିଆଲ୍ ଟ୍ରାଞ୍ଜାକ୍ସନ୍ ପାଇଁ ଲାଗୁ ହେବ ।
• ଦେଶର ଅଧିକାଂଶ ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ ନିଜ ଏଟିଏମରୁ ୫ ଥର ଟ୍ରାଞ୍ଜାକ୍ସନ କରିବାକୁ ଅନୁମତି ଦେଇଥାନ୍ତି
• ଏଥିପାଇଁ ଗ୍ରାହକଙ୍କୁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡିନଥାଏ
• ସେହିଭଳି ଅନ୍ୟ ଏଟିଏମରୁ ମଧ୍ୟ ଗ୍ରାହକମାନେ ୩ ଥର ଫ୍ରିରେ ଟଙ୍କା ଉଠାଇପାରିଥାନ୍ତି
• ମେଟ୍ରୋ ସହର ବ୍ୟତୀତ ଅନ୍ୟ ଅଂଚଳରେ ଲୋକମାନଙ୍କ ପାଇଁ ଏହି ସୀମା ୫ ଥର ରହିଥାଏ
• ହେଲେ ଏହାପରେ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇବାକୁ ଜାନୁଆରୀରୁ ଲୋକଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ
• ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ଏଥିପାଇଁ ଏଟିଏମ୍ ବ୍ୟବହାରକାରୀଙ୍କୁ ୨୧ ଟଙ୍କା ଦେବାକୁ ପଡିବ
ବ୍ୟାଙ୍କ୍ ନିଜ ଗ୍ରାହକମାନଙ୍କୁ ଦେଉଥିବା ଫ୍ରି-ଲିମିଟ୍ ଭିତରେ ନନ୍-ଫାଇନାନସିଆଲ୍ ଟ୍ରାଞ୍ଜାକ୍ସନକୁ ମଧ୍ୟ ଗଣାଯାଏ । ଯଦି ଆପଣ ଫ୍ରି-ଲିମିଟ୍ ଶେଷ ହେବା ପରେ ଏଟିଏମ ଯାଇ କେବଳ ବାଲାନ୍ସ ଚେକ୍ କରୁଛନ୍ତି କିମ୍ବା ମିିନି ଷ୍ଟେଟମେଂଟ ବାହାର କରୁଛନ୍ତି । ତେବେ ମଧ୍ୟ ଆପଣଙ୍କୁ ଅତିରିକ୍ତ ଚାର୍ଜ ପଡିପାରେ । ସେହିପରି ଫ୍ରି-ଲିମିଟ୍ ଶେଷ ହେବା ପରେ ଏଟିଏମ୍ ପିନ୍ ଚେଞ୍ଜ କଲେ ମଧ୍ୟ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ପଡିପାରେ ବୋଲି ସୂଚନା ମିଳିଛି ।