କେମିତି ହିସାବ ହୁଏ ନେଟ୍ ରନରେଟ ? ଭାରତର ସେମିଫାଇନାଲ ଆଶାକୁ ବଢାଇଛି, ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପରୁ ବିଦା କରିଛି ।

454

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସୁପର-୧୨ ପର୍ଯ୍ୟାୟର ଆଉ କିଛି ମ୍ୟାଚ୍ ବାକି ଥିବା ବେଳେ ୩ଟି ଦଳ ସେମିଫାଇନାଲ ଟିକେଟ ହାତେଇ ସାରିଲାଣି । ଏବେ ସେମିଫାଇନାଲ ରେସରେ ଆଉ ଗୋଟିଏ ସ୍ଥାନ ବାକି ରହିଛି । ଆଉ ଏହି ଟିକେଟ କିଏ ହାତେଇବ ତାହା ଗ୍ରୁପ-୨ରେ ହେବାକୁ ଥିବା ବଳକା ମ୍ୟାଚର ଫଳାଫଳ ସ୍ଥିର କରିବ । କାରଣ ଗ୍ରୁପ-୨ରୁ ଏବେ ଆଫଗାନିସ୍ତାନ, ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ରେସରେ ରହିଛନ୍ତି । ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଉଛି ତେବେ ଭାରତ ପାଇଁ ସେମିଫାଇନାଲ ଖେଳିବାର ସମ୍ଭାବନା ସୃଷ୍ଟି ହେବ । କିନ୍ତୁ ଏଥିପାଇଁ ନାମ୍ବିଆ ବିପକ୍ଷରେ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ । ଆଉ ଏଭଳି ସ୍ଥଳେ ଉପରୋକ୍ତ ୩ଟି ଟିମର ପଏଣ୍ଟ ସମାନ ରହିବ । ତେଣୁ ରନରେଟ ଆଧାରରେ ସେମିଫାଇନାଲ ଟିକେଟ ମିଳିବ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଏହି ରନ ରେଟ କଣ ଓ ଏହା କିଭଳି ହିସାବ କରାଯାଏ ।

ଆଇସିସି ଯେତେବେଳେ ଏକାଧିକ ଟିମକୁ ନେଇ ଟୁଣ୍ଣମେଣ୍ଟ ଆୟୋଜନ କରେ ସେତେବେଳେ ରନ ରେଟର ଗୁରୁତ୍ୱ ଦେଖିବାକୁ ମିଳିଥାଏ । ଖାସକରି ଏବେ ଟି-୨୦ ଫର୍ମାଟରେ ରନ୍ ରେଟର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । କାରଣ ପଏଣ୍ଟ ସମାନ ଥାଇ ସୁଦ୍ଧା ଚଳିତ ବିଶ୍ୱକପର ସେମିଫାଇନାଲ ରେସରୁ ବିଦା ହୋଇଛି ଦକ୍ଷିଣ ଆଫ୍ରିକା । କାରଣ ରନ୍ ରେଟରେ ପଛୁଆ ରହିବା ଦଳକୁ ମହଙ୍ଗା ପଡିଛି ।

ସାଧାରଣତଃ କୌଣସି ଦଳର ରନ୍ ରେଟ ହିସାବ କରିବାକୁ ମ୍ୟାଚର ଦୁଇଟି ପାଳିରେ ଟିମର ପ୍ରଦର୍ଶନ ଦେଖିବାକୁ ପଡିଥାଏ । ବ୍ୟାଟିଂ କରୁଥିବା ବେଳେ ଟିମ୍ କେତେ ଓଭର ଖେଳିଲା ଓ କେତେ ରନ କଲା, ଏବଂ ବୋଲିଂ ସମୟରେ କେତେ ଓଭରରେ କେତେ ରନ୍ ପ୍ରଦାନ କଲେ ତାହା ଆଧାରରେ ରନ୍ ରେଟ ହିସାବ କରାଯାଏ । ଉଦାହରଣ ସ୍ୱରୂପ କୌଣସି ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଯଦି ୧୨୦ ରନ୍ କରିଥାଏ ତେବେ ଏହାର ରନ୍ ରେଟ ୬ ରହିଥାଏ । କିନ୍ତୁ ବୋଲିଂରେ ମାତ୍ର ୧୫ ଓଭରରେ ଯଦି ଏହି ରନ ବ୍ୟୟ କରିଦିଏ ତେବେ ରନ୍ ରେଟ ୮ ରହିଥାଏ । ଆଉ ଏଭଳିସ୍ଥଳେ ଦଳର ମୋଟ ନେଟ୍ ରନରେଟ୍ -୨.୦୦୦ରେ ପହଞ୍ଚିଯାଏ । ସେହିଭଳି ଯଦି ୨୦ ଓଭର ବ୍ୟାଟିଂ କରି ଦଳ ୧୨୦ ରନ କରୁଛି, ଏବଂ ୨୦ ଓଭର ବୋଲିଂ କରି ୧୦୦ ରନରେ ପ୍ରତିପକ୍ଷଙ୍କୁ ସୀମିତ ରଖୁଛି ସେତେବେଳେ ବିଜୟୀ ଟିମର ନେଟ ରନରେଟ +୧.୦୦୦କୁ ଚାଲି ଆସିବ ।

ନେଟ ରନରେଟ ହିସାବ : ଟିମର ମୋଟ ସ୍କୋର/ଟିମ ଖେଳିଥିବା ଓଭର- ମୋଟ ରନ୍ ବ୍ୟୟ/ ଓଭର ବ୍ୟୟ

ସେହିଭଳି ମ୍ୟାଚରେ ଦୁଇଟି ଟିମର ରନରେଟ ଯେତେବେଳେ ହିସାବ କରାଯାଏ ସେତେବେଳେ ପରାଜିତ ଟିମର ରନରେଟରୁ ବିଜୟୀ ଟିମର ରନରେଟ ଫେଡିଦେବା ଉଚିତ୍ । ଯଦି ବିଜୟୀ ଟିମର ନେଟ ରନରେଟ ୫ ଥାଏ ଓ ପରାଜିତ ଟିମର ରନ୍ ରେଟ ୪ ଥାଏ ତେବେ ପଏଣ୍ଟ ଟେବୁଲରେ ବିଜୟୀ ଟିମର ନେଟ୍ ରନରେଟ୍ +୧.୦୦୦ ଓ ପରାଜିତ ଟିମର ନେଟ୍ ରନରେଟ -୧.୦୦୦ରେ ରହିଥାଏ । ତେବେ ନେଟ୍ ରନ୍ ରେଟ ହିସାବ କଲା ବେଳେ କୌଣସି ୱିକେଟକୁ ହିସାବ କରାଯାଇନଥାଏ । ତେବେ ପ୍ରତି ମ୍ୟାଚ ପରେ ରନରେଟ ବଦଳିଥାଏ ।