କନକ ବ୍ୟୁରୋ : ୭୬ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ୭୬ ବର୍ଷ ମଧ୍ୟରୁ ଓଡ଼ିଶାବାସୀଙ୍କ ସେବାରେ ୨୦ ବର୍ଷରୁ ଅଧିକ ସମୟ ଦେଇଛନ୍ତି ନବୀନ । ଲୋକମାନଙ୍କ ଭଲପାଇବା ଓ ଆର୍ଶୀବାଦ ରାଜ୍ୟବାସୀଙ୍କ ସେବା କରିବାକୁ ନବୀନଙ୍କୁ ଲଗାତାର ପ୍ରେରଣା ଯୋଗାଇ ଆସୁଛି । ଦୀର୍ଘ ୨୧ ବର୍ଷ ହେବ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ଓଡ଼ିଶାବାସୀ । ଶାସନ କ୍ଷମତାରେ ଦୀର୍ଘ ୨୧ ବର୍ଷ ହେବ ରହି ଆସୁଥିଲେ ମଧ୍ୟ ନବୀନ ଏବେ ବି ର୍ନିବିବାଦୀୟ ଓ ନିଷ୍କଳଙ୍କ ନେତା ଭାବେ ପରିଚିତ । ରାଜନୀତିରେ ନବୀନଙ୍କ ସଫେଦ କୁର୍ତ୍ତାରେ ଏଯାଏଁ ଲାଗିନି ଦୁର୍ନୀତିର ଦାଗ । ଯାହା ତାଙ୍କୁ ଅପରିଚିତରୁ ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ ଓ ଅଦ୍ୱିତୀୟ ନେତା ଭାବେ ଗଢି ତୋଳିଛି ।
ଗତ ୨୧ ବର୍ଷ ହେବ ଓଡ଼ିଶା ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ନବୀନ । ନା ଏଯାଏଁ ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୧ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି । ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି । ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ, କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦୀ ନେତାର ଟ୍ୟାଗ୍ ପାଇଛନ୍ତି ।
ଗତ ୨୧ ବର୍ଷ ହେବ ନବୀନ ଲଗାତାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ତାଙ୍କର କ୍ରେଜ କମିନାହିଁ । ଭୋଟରଙ୍କ ଭରସାର ଅନ୍ୟ ନାଁ ପାଲଟି ସାରିଛନ୍ତି ନବୀନ । ବିରୋଧୀଙ୍କୁ ମାତ୍ ଦେଇ ନିର୍ବାଚନ ଜିତିବାର ଫର୍ମୁଲା ନବୀନଙ୍କୁ ବେଶ ଭଲ ଭାବେ ଜଣା । ଆଞ୍ଚଳିକ ଦଳର ନେତା ହୋଇଥିଲେ ମଧ୍ୟ ନବୀନଙ୍କ ଆକାଶଛୁଆଁ ଲୋକପ୍ରିୟତା ଆଗରେ ଜାତୀୟ ଦଳର ନେତା ମଧ୍ୟ ହାର୍ ମାନିଥାନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନ ଏହାର ସବୁଠୁ ବଡ ଉଦାହରଣ । ନିର୍ବାଚନ ପରିଚାଳନାରେ ମାହିର ଥିବା ନବୀନ, ବିରୋଧୀଙ୍କୁ ଚକମା ଦେବାରେ ବେଶ ପାରଙ୍ଗମ । ଯାହାର ଝଲକ ବିଭିନ୍ନ ନିର୍ବାଚନରେ ଦେଖିବାକୁ ମିଳେ । ୨୦୦୯ ଯାଏଁ ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଆସନରେ ବସି ଆସୁଥିଲେ ନବୀନ । କିନ୍ତୁ ଗତ ୩ଟି ସାଧାରଣ ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ବିଜେଡି ଏକାକୀ ନିର୍ବାଚନ ଲଢିବା ସହ ଶାସନ ଗାଦି ବଜାୟ ରଖିବାରେ ସଫଳ ହୋଇଛି । ଆଉ ଏହା ପଛରେ ରହିଛି ନବୀନଙ୍କ ସଫଳ ନିର୍ବାଚନ ରଣନୀତି । କଥା କମ, କାମ ଅଧିକ । ନବୀନଙ୍କ ନିର୍ବାଚନ ବିଜୟ ପଛର ସବୁଠୁ ବଡ ସିକ୍ରେଟ ।
ଏସବୁ ଭିତରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନ ଉଭୟ ବିଜେଡି ଓ ନବୀନଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ଏବେଠୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ନବୀନ ଜୋର ଦେଉଥିବା ବେଳେ ୨୦୧୭ ଭଳି ଯେପରି ସ୍ଥିତି ନ ଉପୁଜେ ସେଥିପାଇଁ ଦଳର ପାୱାରସେଣ୍ଟର ଏବେଠୁ ସତର୍କ ହୋଇ ଉଠିଛନ୍ତି । କାରଣ ପଞ୍ଚାୟତ ନିର୍ବାଚନର ଫଳାଫଳ ନବୀନଙ୍କ ଷଷ୍ଠ ପାଳି ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କୁହାଯାଉଛି ।
Follow Us