କନକ ବ୍ୟୁରୋ: ଅକ୍ଟୋବର ମାସର ବାତ୍ୟାକୁ ଓଡ଼ିଶାବାସୀ କେବେ ବି ଭୁଲିପାରିବେ ନାହିଁ ।  ୧୯୯୯ ଅକ୍ଟୋବରରେ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ବଦଳିଯାଇଥିଲା ଉପକୂଳ ଓଡ଼ିଶାର ଭୌଗଳିକ ସ୍ଥିତି । ୧୯୯୯ ମହାବାତ୍ୟା ଯେଉଁ ପଦଚିହ୍ନ ଛାଡି ଯାଇଥିଲା ତାହାକୁ ଭୁଲିବା ଏତେ ସହଜ ନଥିଲା । ଆଉ ଏହାପରେ ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନରେ ଛନକା ପଶୁଥିଲା, କାଳେ ପୁଣିଥରେ ସେମିତି ଏକ ମହାବାତ୍ୟା ମାଡରେ ଭାଙ୍ଗିଯିବନି ତ ଓଡ଼ିଶାର ମେରୁଦଣ୍ଡ । କିନ୍ତୁ ରାଜ୍ୟବାସୀଙ୍କ ମନରୁ ଏହି ଭୟ ଭାବନାକୁ ଦୂରେଇବା ସହ ଗତ ୨୧ ବର୍ଷ ହେବ ବିପର୍ଯ୍ୟୟ ମୁକାବିଲା ପାଇଁ ଲୋକଙ୍କ ମନରେ ସାହସ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସଂଯୋଗ ଦେଖନ୍ତୁ ନବୀନଙ୍କ ଜନ୍ମ ମଧ୍ୟ ସେହି ଅକ୍ଟୋବର ମାସରେ । ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ଭାବେ ଏବେ ସାରା ବିଶ୍ୱକୁ ବାଟ ଦେଖାଉଛନ୍ତି ନବୀନ । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଯେଉଁ ଫର୍ମୁଲା ଆପଣାଉଛି, ତାହାକୁ ପୂରା ଦେଶ ଓ ବିଶ୍ୱ ଅନୁକରଣ କରିବାକୁ ଆଗେଇ ଆସୁଛି ।  ଜିରୋ କାଜୁଆଲିଟି ସହ ଧନଜୀବନ ରକ୍ଷା,  ନବୀନଙ୍କ ବିପର୍ଯ୍ୟୟ ପରିଚାଳନାର ସବୁଠୁ ବଡ ଦିଗ । ଯେଉଁଥିପାଇଁ ଗତ ଦୁଇ ଦଶନ୍ଧି ମଧ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡିନାହିଁ । ସେ ଫୋନି ହେଉ କି ଅମ୍ଫାନ, ୟାସ ହେଉ କି ଗୁଲାବ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ଅନ୍ୟ କେଉଁ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିଲେ ନବୀନଙ୍କ ମଡେଲ ଖୋଜାପଡେ ।  ଆଉ ନବୀନଙ୍କ ବାତ୍ୟା ମୁକାବିଲାର ମଡେଲ କିଛି ଏମିତି...?

Advertisment

୨୦୧୯ : ବାତ୍ୟା ଫୋନି

ଓଡ଼ିଶାରେ ସାଧାରଣ ନିର୍ବାଚନ ସରିଥାଏ, ଫଳାଫଳକୁ ଅପେକ୍ଷା କରିଥାନ୍ତି ରାଜ୍ୟବାସୀ । କିନ୍ତୁ ଏଭଳି ସମୟରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫୋନି । ପୁରୀ ବାଲୁଖଣ୍ଡ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଏହାର ବିଭୀଷିକା ଦେଖିଥିଲା ଓଡ଼ିଶା ସମେତ ପୂରା ଦେଶ । ଗଛ ଗୁଡିକ ଭାଙ୍ଗି ତଳେ ପଡିଥିଲା, ଚାଳ ଘର ଛପର ଆକାଶରେ ପତ୍ର ଭଳି ଉଡୁଥିଲା । ରାଜଧାନୀ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା ।  କିନ୍ତୁ ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା ଯେଉଁ ଢଙ୍ଗରେ ହୋଇଥିଲା ସେଥିପାଇଁ ଅନେକ ଜୀବନ ବଞ୍ଚି ଯାଇଥିଲା । ଆଉ ଏହି ମହାସଙ୍କଟକୁ ମାତ୍ ଦେବା ପଛର ନାୟକ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଡକୁ ମହାସଙ୍କଟ ସାଜି ବାତ୍ୟା ମାଡି ଆସୁଥିବାର ଆଭାସ ମିଳିବା ମାତ୍ରେ ସତର୍କ ହୋଇ ଉଠିଥିଲେ ନବୀନ । ଆରମ୍ଭ ହୋଇଥିଲା ବାତ୍ୟା ମୁକାବିଲା ପାଇଁ ଅପରେସନ । ନିଜେ ନବୀନ କଣ୍ଟ୍ରୋଲ ରୁମରେ ପହଞ୍ଚି ବାତ୍ୟା ମୁକାବିଲାର ସମୀକ୍ଷା କରିଥିଲେ । ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଲା ପ୍ରସ୍ତୁତି ।  ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବା ଠାରୁ ଆରମ୍ଭ କରି ପୁଣିଥରେ ଅଣ୍ଟାସଳଖି ଛିଡା ହେବା ପର୍ଯ୍ୟନ୍ତ ନବୀନଙ୍କ କାର୍ଯ୍ୟଶୈଳୀକୁ ପୂରା ଦେଶ ପ୍ରଂଶସା କରିଥିଲା ।  କାରଣ ଫୋନି ଯିବା ପରେ ଯେଉଁ ଚିହ୍ନ ଛାଡିଥିଲା ତାହା ବର୍ଣ୍ଣନା କରୁଥିଲା ଯେ, ଯଦି ନବୀନ ସଠିକ୍ ସମୟରେ ସଠିକ୍ ନିଷ୍ପତି ନେଇନଥାନ୍ତେ ତେବେ ସ୍ଥିତି କଣ ହୋଇଥାନ୍ତା?

୨୦୨୦ : ବାତ୍ୟା ଅମ୍ଫାନ

ସେହି ସମାନ ମାସ । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିକୁ ପ୍ରଥମ ବର୍ଷ ପୂରିବାକୁ ଯାଉଥାଏ । ଆଉ ଏହାସହ ମହାମାରୀ କରୋନା ମଧ୍ୟ ଓଡ଼ିଶାରେ କାୟା ବିସ୍ତାର କରୁଥାଏ । ଆଉ ଏଭଳି ସମୟରେ ପୁଣିଥରେ ଓଡ଼ିଶା ଉପକୂଳ ମୁହାଁ ହୋଇଥିଲା ବାତ୍ୟା ଅମ୍ପାନ । ବାତ୍ୟାର ନାଁ ଶୁଣି ଲୋକଙ୍କ ମନରେ ଭୟ ବଢୁଥିଲା, ଚିନ୍ତା ଘାରୁଥିଲା । କାରଣ ଗୋଟିଏ ବର୍ଷ ପୂର୍ବରୁ ପ୍ରଳୟଙ୍କାରୀ ଫୋନିର କରାଳ ରୂପ ଦେଖିଥିଲେ ରାଜ୍ୟବାସୀ । ତେଣୁ ପୁଣିଥରେ ସେଭଳି ଏକ ବାତ୍ୟାକୁ ସାମ୍ନା କରିବାକୁ ସାହସ ଜୁଟାଇବା ଏତେଟା ସହଜ ନଥିଲା । କିନ୍ତୁ ଏଭଳି ସମୟରେ ପୁଣିଥରେ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ମନରେ ସାହସ ଭରିଥିଲେ, ଜିରୋ କାଜୁଆଲିଟିର ମନ୍ତ୍ର ସହ ଆରମ୍ଭ କରିଥିଲେ ବାତ୍ୟା ମୁକାବିଲାର ପ୍ରସ୍ତୁତି । ବାତ୍ୟା ଲ୍ୟାଣ୍ଡଫଲ କରି ପୁଣିଥରେ ଫୋନି ଭଳି ବିଭୀଷିକା ରଚିବା ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ପ୍ରଭାବିତ ହେବାକୁ ଥିଲା ଜିଲ୍ଲା ଗୁଡିକରେ ଜାରି କରାଯାଇଥିଲା ଆଲର୍ଟ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ପୂରା ଆଲର୍ଟ ମୋଡରେ ରଖାଯାଇଥିଲା । ଅମ୍ପାନ ଆଖି ଦେଖାଇ କୂଳ ଆଡକୁ ମାଡି ଆସୁଥିବା ବେଳେ ନବୀନ ସୃଷ୍ଟି କରି ସାରିଥିଲେ ସୁରକ୍ଷାକବଚ । ତେବେ ଏଭଳି ପ୍ରସ୍ତୁତି ଭିତରେ ବାତ୍ୟା ସମୁଦ୍ର ଭିତରୁ ବଙ୍ଗ ମୁହାଁ ହୋଇଥିଲା । ବାତ୍ୟା ବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା ସତ କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଥିଲା । କିନ୍ତୁ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲେ ନବୀନଙ୍କ ସାହସୀ ସିପାହୀ ।

୨୦୨୧ : ବାତ୍ୟା ୟାସ୍ 

ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରିବାର ଦିନ କେଇଟା ପୂର୍ବରୁ ବାତ୍ୟା ୟାସ୍ ସହ ମୁକାବିଲା କରିଥିଲେ ନବୀନ ସରକାର । ସେହି ସମାନ ମେ’ ମାସରେ । ଗୋଟିଏ ପଟେ ମହାମାରୀ କରୋନା ଶୀର୍ଷରେ ଥିବା ବେଳେ ବାତ୍ୟା ୟାସର ମୁକାବିଲା ନବୀନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ସତ । କିନ୍ତୁ ବିପର୍ଯ୍ୟୟ ମୁକାବିଲାର ମହାରଥ ହାସଲ କରିଥିବା ନବୀନ ୟାସକୁ ବେଶ ସଫଳତାର ସହ ମୁକାବିଲା କରିଛନ୍ତି । ନବୀନଙ୍କ ସମୟ ଉପଯୋଗୀ ପଦକ୍ଷେପ, ଆଗୁଆ ସତର୍କତା ସଂକ୍ରମଣ ଭିତରେ ବି ୟାସର ମୁକାବିଲାକୁ ଆହୁରି ସହଜ କରିଦେଇଥିଲା । ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍, କିନ୍ତୁ କିଛି ଗଛ ଓ ଘର ଏହାର ଶିକାର ହୋଇଥିଲେ । ଆଉ ବଞ୍ଚିଯାଇଥିଲା ଶହ ଶହ ଜୀବନ ।  ୟାସ୍ ବାତ୍ୟା ପରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ଗୁଲାବ । ଓଡ଼ିଶା ଉପକୂଳ ଗୁଲାବ ଛୁଇଁନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି କରାଯାଇଥିଲା ତାହା ଦର୍ଶାଉଥିଲା ନବୀନଙ୍କ ପାଇଁ ପ୍ରତିଟି ଜୀବନ କେତେ ମୂଲ୍ୟବାନ?

ତେବେ ପ୍ରତିଟି ବିପର୍ଯ୍ୟୟକୁ ଅତି ସରଳ ଢଙ୍ଗରେ ମୁକାବିଲା କରିବାରେ କେମିତି ମାହିର ହେଲେ ନବୀନ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଦୁଇ ଦଶନ୍ଧି ପୂର୍ବକୁ ଯିବାକୁ ହେବ ।  ଓଡ଼ିଶା ରାଜନୀତିରେ ନବୀନ ନୂଆ ନୂଆ ପାଦ ଦେଇଥିଲେ, ଆଉ ଏହି ସମୟରେ ଓଡ଼ିଶାରେ ମାଡ ହୋଇଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଉପକୂଳ ଓଡ଼ିଶାର ଭୌଗଳିକ ଚିତ୍ରକୁ ବଦଳାଇ ଦେଇଥିଲା ଏହି ବାତ୍ୟା । ଆଉ ସେତେବେଳେ ଏହି ବିଭୀଷିକାର ମୂକସାକ୍ଷୀ ପାଲଟିଥିଲେ ନବୀନ  । ଓଡ଼ିଶା ପାଇଁ ବାତ୍ୟା ଯେ ଏଭଳି ବିପଦଜନକ ହୋଇପାରେ ତାହା ସେତେବେଳେ ଅନୁଭବ କରି ସାରିଥିଲେ ନବୀନ । ଆଉ ୨୦୦୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ବାତ୍ୟା ମୁକାବିଲା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ନବୀନ  । କାରଣ ଭୌଗଳିକ ଦୃଷ୍ଟିକୋଣରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ପ୍ରତିବର୍ଷ ରହିବ ତାହା ଅନ୍ଦାଜ ଲଗାଇ ସାରିଥିଲେ ନବୀନ । ଆଉ ଏହାରି ଭିତରେ ରାଜ୍ୟ ଫାଇଲିନ, ହୁଡୁହୁଡୁ, ଫୋନି, ଅମ୍ଫାନ, ତିତଲି, ୟାସ୍ ଭଳି ବାତ୍ୟାର ସାମ୍ନା କରିଛି । କିନ୍ତୁ ୧୯୯୯ ଭଳି ଆଉ ଜୀବନହାନି ହୋଇନାହିଁ । କାରଣ ବାତ୍ୟାକୁ ଅତି ପାଖରୁ ଦେଖିଛନ୍ତି ନବୀନ । ଯେଉଁଥିପାଇଁ ବାତ୍ୟା ଆସିଲେ ମିଶନମୋଡରେ କାମ କରିବା ସହ ଧନ ଓ ଜୀବନ ହାନି ଯେପରି କମ ରହିବ ସେଥିପାଇଁ ଆଗୁଆ ନିଷ୍ପତି ନେଇଥାନ୍ତି ନବୀନ ।  ଆଉ ନବୀନଙ୍କ ଏହି ମୁକାବିଲା ଫର୍ମୁଲାକୁ ଏବେ ଆପଣାଉଛି ପୂରା ଦେଶ ।  ଆଉ ଏସବୁ ଭିତରେ ଦେଶର ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳକୁ ବିପର୍ଯ୍ୟୟ ପରିଚାଳନାର ପାଠ ପଢାଇଛି ଓଡ଼ିଶା । ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ବଡ ବଡ ବନ୍ୟା ଓ ପ୍ରଳୟଙ୍କାରୀ ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା । କିନ୍ତୁ ଏଭଳି ମହାସଙ୍କଟକୁ ସଫଳତାର ସହ ସାମ୍ନା କରି ଓଡ଼ିଶାବାସୀଙ୍କ ପାଇଁ ସଙ୍କଟମୋଚକ ସାଜି ଛିଡା ହୋଇଛନ୍ତି ନବୀନ । ଯେଉଁଥିପାଇଁ ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ବାହାବା ମିଳିଛି, ଜାତିସଂଘ ପ୍ରଂଶସା କରିଛି ।